ବିନା ଭକ୍ତରେ ଅଲାରନାଥଙ୍କ ଅଣସର ନୀତି ହେବ

ପୁରୀ : ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର ସେବା ଶନିବାର ଠାରୁ ଆରମ୍ଭ ହେବ । ଏହା ୧୪ ଦିନ ଧରି ଚାଲିବ । ଏହି ସମୟରେ ଜଗନ୍ନାଥପ୍ରେମୀ ଭକ୍ତମାନେ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କୁ ଦର୍ଶନ ପାଇଁ ଯାଇଥାନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଭକ୍ତଙ୍କ ଅଲାରନାଥଙ୍କ ଅଣସର ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ପୁରୀ ଏସ୍ଡ଼ିଏଙ୍କ ନିର୍ଦେଶ ଅନୁଯାୟୀ ଅଲାର ନାଥ ମନ୍ଦିର ତଥା ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ମଧ୍ୟରାତ୍ରୀ ରୁ ଆସନ୍ତା ୨୦ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ୧୪୪ଧାର ବଳବତ୍ତର ରହିବ, ତାହା ସହିତ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରିକରାଯାଇଛି। ଏହାକୁ ଦେଖି ଚତୁଃପାଶ୍ୱର୍ରେ ଥିବା ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରାଯାଇଛି । ମନ୍ଦିରର ପାଳିଆ ସେବାୟତମାନେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି କରିବା ପାଇଁ ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯିବ । ସେବାୟତଙ୍କ ଛଡା କୌଣସି ଜଣେ ହେଲେ ବ୍ୟକ୍ତି ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ ସେ ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ମନ୍ଦିର ଭିତରେ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଅଲାରନାଥଙ୍କ ମଧ୍ୟମ କାଳୀନ ଟ୍ରଷ୍ଟି ତଥା ତହସିଲଦାର କିଶୋର କୁମାର ପଣ୍ଡା, ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ କୁମାର ଶତପଥୀ ସେବାୟତ ନିଯୋଗ ଓ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି । କିପରି ୧୪ଦିନ ଅଲାରନାଥଙ୍କ ଅଣସର ଯାତ୍ରା ଶାନ୍ତିଶୃଙ୍ଖଳାରେ ହୋଇ ପାରିବ ସେ ଉପରେ ଅଧିକାରୀମାନେ ଗୁରୁତ୍ୱ ଦେଉଛନ୍ତି । ଦୀର୍ଘ ୨ମାସରୁ ଊର୍ଦ୍ଦ୍ବି ହେବ ମନ୍ଦିର ବନ୍ଦ ହେବା ଯୋଗୁ ସେବାୟତମାନେ ଦୁଇ ପଇସା ପାଇ ପାରୁ ନାହାନ୍ତି । ଅଣସର ଯାତ୍ରାରେ ସେମାନେ କିଛି ଅର୍ଥ ପାଇଥାନ୍ତେ। ଭକ୍ତଙ୍କୁ ଦର୍ଶନ ବନ୍ଦ ଥିବାରୁ ସେମାନଙ୍କର ବାର୍ଷକ ଆୟ ବନ୍ଦ ହୋଇଗଲା ବୋଲି କହିଛନ୍ତି । ଏନେଇ ପ୍ରଶାସନ ନିକଟରେ ସେବାୟତମାନେ ଦାବି କରିଛନ୍ତି।

Comments are closed.