କଂଗ୍ରେସକୁ ଫେରିଲେ ଅଳକା ଲାମ୍ବା

ନୂଆଦିଲ୍ଲୀ: ଆମ୍‌ ଆଦମି ପାର୍ଟି (ଆପ୍‌)ରେ ୫ବର୍ଷ ବିତାଇବା ପରେ କଂଗ୍ରେସକୁ ଫେରିଛନ୍ତି ଅଳକା ଲାମ୍ବା। ପୂର୍ବରୁ ସେ ଏ ସମ୍ପର୍କରେ ଘୋଷଣା କରିଥିଲେ ମଧ୍ୟ ଶନିବାର ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ୨୦୧୪ରେ ସେ କଂଗ୍ରେସ ଛାଡ଼ି ଆପ୍‌ରେ ଯୋଗ ଦେଇ ଚାନ୍ଦନିଚୌକ୍‌ ଆସନରୁ ବିଧାୟକ ହୋଇଥିଲେ। ଗତ କିଛି କାଳ ଧରି ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ସହିତ ତାଙ୍କର ମତାନ୍ତର ହୋଇଥିଲା। ସେପ୍ଟେମ୍ବରରେ ସେ ଆପ୍‌ରୁ ଇସ୍ତଫା ଦେବା ପରେ ଦଳ ବଦଳ ଆଇନ ଦ୍ବାରା ବିଧାନସଭା ସଦସ୍ୟ ଭାବେ ଅଯୋଗ୍ୟ ଘୋଷିତ ହୋଇଥିଲେ। ଅଳକା ଚାନ୍ଦିନୀଚୌକ ବିଧାନସଭା ଆସନରୁ ଆପ୍‌ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଦଳୀୟ ନେତୃତ୍ଵ ସହିତ ତାଙ୍କ ମତଭେଦ କାରଣରୁ ସେ ଅସନ୍ତୁଷ୍ଟ ଥିଲେ। ୨୦୨୦ରେ ସେ ଦଳ ଛାଡ଼ିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ବହୁ ପୂର୍ବରୁ  ଦଳରୁ ଇସ୍ତଫା ଦେଇଥିଲେ ଅଳକା । ଏହାପରେ ଅଳକା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ।  ଅଳକା କଂଗ୍ରେସରୁ ହିଁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୪ରେ ସେ କଂଗ୍ରେସର ଛାତ୍ରନେତା ଭାବେ ରାଜନୀତିରେ ପାଦ ଦେଇଥିଲେ।

Comments are closed.