ଶିକ୍ଷା ଓ ସାଧନାର ତପୋଭୂମି : ‘ଅଳକା’

ସୁନେଲୀ ଭବିଷ୍ୟତ ପଥେ ନୂଆ ରୂପରେ ଅଳକା ହାଇସ୍କୁଲ

‘ଅଳକା’ ! ଏମିତି ଏକ ନାମ ଯାହାର ଉଚ୍ଚାରଣରେ ମନରେ ଖେଳିଯାଏ ଶିହରଣ। ଜ୍ଞାନ ଓ ସାଧନାର ତପୋଭୂମି। ମଣିଷ ଗଢା କାରଖାନା। ଶିକ୍ଷା ଓ ତପସ୍ୟାର ପ୍ରାଣକେନ୍ଦ୍ର। ରାଜ୍ୟର ଅନ୍ୟତମ ପ୍ରାଚୀନ ଶିକ୍ଷା କେନ୍ଦ୍ର। ପରାଧୀନ ଭାରତରେ ରାଜ୍ୟରେ ଗଢି ଉଠିଥିବା କେତେକ ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ। ବିଲୁଆଖାଇ ନଦୀର ଶାଖା ବିଲୁପ୍ତ ପ୍ରାୟ ‘ଅଳକା’। ସେଇ ଅଳକା ଅନ୍ତଃ ସଲିଳା ଫଲଗୁ ପରି ହଜିଯାଇଛି ବିସ୍ମୃତି ଗର୍ଭରେ, ଯାହର ଛାତି ଉପରେ ସେତେବେଳ ଗଢି ଉଠିଥିଲା ସ୍ୱାଧୀନତା ସଂଗ୍ରାମର ଅଗ୍ରଣୀ ସନ୍ଥ ଗୋପବନ୍ଧୁ ଚୌଧୁରୀଙ୍କ ‘ଅଳକା ଆଶ୍ରମ’। ଯାହା ଏବେ ମଧ୍ୟ ବଖାଣୁଛି ସ୍ୱାଧୀନତାର ଗୌରବ ଓ ବୀରତ୍ୱର ଗାଥା।

ଅଳକା ହାଇସ୍କୁଲର ପୁରାତନ ଶ୍ରେଣୀଗୃହ

ସେଇ ‘ଅଳକା’ର ବିସ୍ତୀର୍ଣ୍ଣ ବାଳୁକା ରାଶି, ଆଖପାଖରେ ଥିବା ଆମ୍ବ, କେନ୍ଦୁ, ତାଳ ଗଛ, ଲଙ୍କା ଆମ୍ବ ଓ ଝାଉଁ ଗଛ ଘେରା ପ୍ରାକୃତିକ ପରିବେଶରେ ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିଲା ‘ଅଳକା ଉଚ୍ଚ ବିଦ୍ୟାଳୟ’ ବା ଅଳକା ହାଇସ୍କୁଲ। ଯାହାକୁ ସେତେବେଳର ଅନେକ ଶିକ୍ଷାବୀତ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ସହଚର ପଂଚସଖାଙ୍କ ‘ସତ୍ୟବାଦୀର ବକୁଳ ବନ ବିଦ୍ୟାଳୟ’ ଓ ବିଶ୍ୱଗୁରୁ ରବୀନ୍ଦ୍ରନାଥଙ୍କ ‘ଶାନ୍ତି ନିକେତନ’ ସହ ତୁଳନା କରିବାକୁ ପଛାଉ ନଥିଲେ। ପାଖରେ ଥିଲା ଅନନ୍ତବଟ ଓ ମା’ ଭଗବତୀଙ୍କ ବିଜେସ୍ଥଳୀ ଭଗବତୀ ବନ। ପାଖରେ କୁଳୁକୁଳୁ ନାଦରେ ବହି ଯାଉଥିଲା ବିଲୁଆଖାଇ ନଦୀ। ସ୍କୁଲକୁ ଘେରି ରହିଥିଲା ବାଲିକୁଦ, ‘ଗୁପ୍ତ ଗଙ୍ଗା’ ଓ ‘ପଦ୍ମ ପୋଖରୀ(ବଳେଇସାଗର)। ଅବିଭକ୍ତ କଟକ ଜିଲ୍ଲା (ବର୍ତ୍ତମାନର ଜଗତସିଂହପୁର)ରେ ସେତେବେଳେ ଯେଉଁ କେତୋଟି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା ତା’ ମଧ୍ୟରେ ଅଳକା ହାଇସ୍କୁଲର ସ୍ଥାନ ଥିଲା ଭିନ୍ନ ଓ ସ୍ୱତନ୍ତ୍ର। ସେଦିନର କନକପୁରର ଶାରଳା ଏକାଡେମୀ, ଅଲଣାହାଟ ହାଇସ୍କୁଲ, ବୋର୍ଡ ସ୍କୁଲ, ପିଏମ୍ ଏକାଡେମୀ, ବାରଙ୍ଗର ଝୁନଝୁନୱାଲା ବିଦ୍ୟାପୀଠ ଆଦି ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧ୍ୟରେ ଅଳକା ହାଇସ୍କୁଲ ସ୍ୱତନ୍ତ୍ର ମାନ୍ୟତା ପାଇପାରିଥିଲା। ସେତେବେଳେର ଜଗତସିଂହପୁର ଅଞ୍ଚଳ(ତହସିଲ)ରେ ଥିବା ‘ଅଳକା ହାଇସ୍କୁଲ’ର ଠିକଣା ବଦଳିଛି । ପ୍ରଶାସନିକ ବ୍ୟବସ୍ଥା ଭିତରେ ଅଧୁନା ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମପଂଚାୟତର ବାଲିଆ  ‘ଅଳକା ହାଇସ୍କୁଲ’ର ନୂଆ ଠିକଣା ପାଲଟିଛି ।

ସଂକ୍ଷେପରେ କିଛି :

ପରାଧୀନ ଭାରତରେ ଅଳକା ହାଇସ୍କୁଲ ପ୍ରତିଷ୍ଠାରେ ପ୍ରମୁଖ  ଭୂମିକା ଗ୍ରହଣ କରିଥିଲେ ବାଗଲପୁର ଅଞ୍ଚଳର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସ। ସେହିପରି କାହ୍ନୁ ଚରଣ ଦାସ, ପାର୍ବତୀ ଚରଣ ଦାସ, ବିମଳ ଚରଣ ଦାସ , ବାମନ ଚରଣ ଦାସ ପ୍ରମୁଖ  ଗୌରାଙ୍ଗ ଚରଣ ଦାସଙ୍କ ସହ ମିଶି ଏହି ସ୍କୁଲ ପ୍ରତିଷ୍ଠାର ନେତୃତ୍ବ ନେଇଥିଲେ । ସରକାରୀ ନଦୀକୂଳ ଜାଗା ଓ ଯୋଗଯୋଗର ସୁବିଧା ଦୃଷ୍ଟିରୁ ଏହି ସ୍ଥାନକୁ ଚିହ୍ନଟ କରାଯାଇଥିଲା।

ପରାଧୀନ ଓ ସ୍ୱାଧୀନୋତର ଭାରତରେ ଆଖ ପାଖ ଅଂଚଳରେ ଏହାକୁ ଶିକ୍ଷାର ଏନ୍ତୁଡିଶାଳ କୁହାଯାଉଥିଲା। କାରଣ ବାଲିଆ, ବିରିଡି, ହାଜିପୁର, ବାଗଲପୁର, ମଇନ୍ଦିପୁର, ଚାଷୀଖଣ୍ଡ, ମଙ୍ଗୁଲି, ନହରବାରୀ, ଶଙ୍ଖାରିସାହି, ପାର୍ବତୀପୁର, ଅଢଙ୍ଗ, ରଘୁନାଥପୁର, ମଣ୍ଡାସାହି ଆଦି ଅନେକ ଅଞ୍ଚଳର ପିଲା ଏହି ସ୍କୁଲକୁ ପାଠ ପଢିବା ପାଇଁ ଆସୁଥିଲେ। ନଦୀ, ନାଳ ପାରି ହୋଇ ଆଖପାଖ ୩୦-୪୦ଟି ଗ୍ରାମର ପିଲା କାନ୍ଧରେ ବସ୍ତାନୀ ପକାଇ ସମସ୍ତେ ଅଳକାକୁ ଧାଉଁଥିଲେ। ସାରଙ୍କ ଛାଟ ପିଲାଙ୍କୁ ଭଲ ମଣିଷ ହେବାକୁ ବାଟ ବତାଉଥିଲା।

୧୯୫୫ ମସିହା ଏହି ଶିକ୍ଷା ଅନୁଷ୍ଠାନଟି ପାଇଁ ଥିଲା ଏକ ଦୁଃସମୟ, କାରଣ ଅପ୍ରେଲ ୨୭ ତାରିଖରେ ସ୍କୁଲଟି ପୋଡ଼ି ପାଉଁଶ ହୋଇଗଲା । ଯାହାର କାରଣ ଏବେ ମଧ୍ୟ ଏକ ଅନାଲୋଚିତ ଅଧ୍ୟାୟ ହୋଇ ରହିଯାଇଛି। ତେବେ ସେତେବେଳେ ସ୍କୁଲର ପ୍ରଧାନ ଶିକ୍ଷକ ଥଲେ ଗିରିଧାରୀ ମହାନ୍ତି। ଅନ୍ୟ ସହକର୍ମୀ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଖପାଖ ଅଞ୍ଚଳର ଲୋକଙ୍କଠାରୁ ସହାୟତା ମାଗି ଅକ୍ଳାନ୍ତ ପରିଶ୍ରମ କରି ସେ ସ୍କୁଲର ପୁନରୁଦ୍ଧାର କଲେ। ପୁଣି ସେହି ବର୍ଷ ସେପ୍ଟେମ୍ବର ମାସରେ ଭାଙ୍ଗିଲା ଦଳେଇଘାଇ। ରାଜ୍ୟ ଇତିହାସରେ ଅନ୍ୟତମ ବଡ଼ ବନ୍ୟା। ସେତେବେଳେ ଅଳକା ହାଇସ୍କୁଲ ପାଲଟିଥିଲା ଆଖ ପାଖ ଅଞ୍ଚଳର ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ । ପିଲାଛୁଆ ଓ ଗାଇଗୋରୁଙ୍କୁ ଧରି ଅନେକ ଲୋକ ଏଠାରେ ଆଶ୍ରୟ ନେଇଥିଲେ। ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱରେ ଏଠାରେ ସରକାରୀ  ରିଲିଫ ଶିବିର ମଧ୍ୟ ଚାଲିଲା। ସେହି ସମୟ ଅଳକା ଇତିହାସରେ କଳା ଅଧ୍ୟାୟ ପାଲଟିଯାଇଥିଲା, କିନ୍ତୁ ପରୋକ୍ଷରେ ଅଳକାରେ ପୁନର୍ବିନ୍ୟାସ ଆରମ୍ଭ ହୋଇଥିଲା। ଅନେକ ଇତିହାସର ମୁକସାକ୍ଷୀ ହୋଇ ରହିଛି ବାଲିଆର ଏହି ଐତିହ୍ୟ ସମ୍ପନ୍ନ ଅଳକା ସରକାରୀ ଉଚ୍ଚ ବିଦ୍ୟାଳୟ।

ଇତି ମଧ୍ୟରେ ସାତ ଦଶନ୍ଧିରୁ ଅଧିକ ସମୟ ହେବ ଜ୍ଞାନର ଆଲୋକ ବିତରଣ କ୍ଷେତ୍ରରେ ଓ ସୁନାଗରିକ ଗଠନ କରିବା ଦିଗରେ ଅଳକା ହାଇସ୍କୁଲ କେବେ ପଛଘୁଞ୍ଚା ଦେଇ ନାହିଁ । ଏହି ସ୍କୁଲରୁ ପାଠ ପଢି ଆଜି ଦେଶ ବିଦେଶରେ ଅନେକ ଛାତ୍ର-ଛାତ୍ରୀ ସୁନାମ ଅର୍ଜନ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅନେକ ପଦ ପଦବୀରେ ରହି ଅବସର ନେଲେଣି। କେତେକ ପରଲୋକ ଗମନ କଲେଣି । କବି, ସାହତ୍ୟିକ, ଲେଖକ, ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଗବେଷକ, ପ୍ରଶାସକ, ଯନ୍ତ୍ରୀ, ପାଇଲଟ ଓ ବୈଜ୍ଞାନିକ ଆଦି ସମାଜର ଅନେକ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି ଅଳକାର ଛାତ୍ର-ଛାତ୍ରୀ।

୧୯୯୯ର ମହାବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ପରେ ନବନିର୍ମିତ କୋଠାଘର ଓ କିଛି ପୁରୁଣା ଆଜବେଷ୍ଟସ ଘରେ ଏବେ ପାଠ ପଢା ଚାଲିଛି। ଇତି ମଧ୍ୟରେ ବିଲୁଆଖାଇ ନଦୀରେ କେତେ ପାଣି ପ୍ରବାହିତ ହୋଇ ଯାଇଛି, ଯାହା କେହି ଆକଳନ କରି ପାରିବେ ନାହିଁ। ଠିକ୍ ସେହିପରି ଏହି ମଣିଷ ଗଢା କରଖାନାରୁ କେତେ ସୁନାଗରିକ ବାହାରିଛନ୍ତି ତା’ର ମଧ୍ୟ କଳନା ନାହିଁ। ଏବେ ସ୍କୁଲରେ ପିଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ନବ ନିର୍ମିତ ସ୍ମାର୍ଟ ଶ୍ରେଣୀ ଗୃହ

ଗୌରୋବଜ୍ୱଳ ଅତୀତର ସୁନାମ ବହନ କରିଥିବା ଅଳକା ହାଇସ୍କୁଲ ଏବେ ସ୍ୱର୍ଣ୍ଣିମ ଭବିଷ୍ୟତ ଆଡକୁ ଅଗ୍ରସର ହେଉଛି। ୫-ଟି ଅଧୀନରେ ରାଜ୍ୟ ସରକାରଙ୍କର ‘ମୋ-ସ୍କୁଲ’ ଯୋଜନାକୁ ସ୍ୱାଗତ କରିଛନ୍ତି ସ୍କୁଲର ପୁରାତନ ଛାତ୍ର-ଛାତ୍ରୀ। ଅଳକା ଆଲୁମୁନି ଆସୋସିଏସନ(ଏଏଏ) ବା ପୁରାତନ ଛାତ୍ର ସଂଘ ମାଧ୍ୟମରେ ଯୋଗାଇ ଦେଇଛନ୍ତି ଅକୁଣ୍ଠ ଆର୍ଥିକ ସହାୟତା । ଏବେ ଚାଲିଛି ସ୍କୁଲର ରୁପାନ୍ତରଣ କାର୍ଯ୍ୟ। ଯାହାର ପୃଷ୍ଠ ଭାଗରେ ଅଛନ୍ତି ଛାତ୍ର ସଂଘର ସଭାପତି ସରୋଜ କୁମାର ମାହପାତ୍ର।  ଶ୍ରୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଳକା ଏବେ ନୂଆ ରୂପ ପାଇଛି । ପୁରାତନ ସହିତ ନୂତନର ସମନ୍ୱୟରେ ନୂଆ କୋଠାଘର ତିଆରି ହୋଇଛି। ସ୍କୁଲର ସୌନ୍ଦର୍ଯ୍ୟକରଣ କରାଯାଇଛି।କୁ ପିଲା ପ୍ରତୀକ୍ଷା କରି ରହିଛନ୍ତି। ଇ-ଲାଇବ୍ରେରୀ ଓ ବିଜ୍ଞାନାଗାର ମଧ୍ୟ ନିର୍ମାଣ ହୋଇଛି। କିଛି ପୁରାତନ ଛାତ୍ର ପିଲାମାନଙ୍କୁ ବିଭିନ୍ନ ଦିଗରେ ଆଗେଇ ନେବାପାଇଁ ନିଜର ଅଭିଜ୍ଞତା ବାଣ୍ଟିବା ଓ ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କେବଳ ଏହି ନବକଳେବର ଉଦଘାଟନକୁ ସମସ୍ତେ ପ୍ରତୀକ୍ଷା କରି ରହିଛନ୍ତି।

ତେବେ ଏଠାରେ ଗୋଟିଏ କଥା ପ୍ରଣିଧାନ ଯୋଗ୍ୟ ଯେ, ସରକାର ଏବେ ସ୍ମାର୍ଟ କ୍ଲାସ କଥା ଚିନ୍ତା କରୁଥିବା ବେଳେ ଅଳକା ହାଇସ୍କୁଲରେ ଷାଠିଏ-ଶତୁରୀ ଦଶକରୁ ଗ୍ୟାଲେରୀ ଯୁକ୍ତ (ଉପରୁ ତଳକୁ ବସିବା ପାଇଁ ଚେୟାର ବେଂଚ ବ୍ୟବସ୍ଥା) ବିଜ୍ଞାନାଗାର ଥିଲା, କାଚ ଆଲମାରିରେ ଅନେକ ବୈଜ୍ଞାନିକ ଉପକରଣ ଓ ସ୍କେଲିଟନ ଥିଲା।ଏକାଦଶ ଶ୍ରେଣୀ ଛାତ୍ର-ଛାତ୍ରୀମାନେ ତାହାକୁ ବ୍ୟବହାର କରୁଥିଲେ । ସେତେବେଳର ଦୂରଦ୍ରଷ୍ଟା ଶିକ୍ଷକ ତଥା ଶିକ୍ଷା ବିଭାଗ ପକ୍ଷରୁ ଏଭଳି ବନ୍ଦୋବସ୍ତ କରାଯାଇଥିଲା। ସ୍କୁଲରେ ପ୍ରତି ବର୍ଷ ନାଟକ, କ୍ରୀଡା ପ୍ରତିଯୋଗିତା ଓ ପାଲା, ଦାଶକାଠିଆ ଆଦି ପରିବେଷଣ କରାଯାଉଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଫୁଟବଲ, ଭଲି ଓ ବ୍ୟାଡମିଂଟନ ଆଦି ପ୍ରତିଯୋଗିତାରେ ଅଳକାର ପିଲା କୃତିତ୍ୱ ହାସଲ କରି ସ୍କୁଲକୁ ଗୌରବ ମଣ୍ଡିତ କରୁଥିଲେ।

ଅଳକା ଉଚ୍ଚ ବିଦ୍ୟାଳୟର (ନୂତନ) ପ୍ରବେଶ ପଥ

ଅତୀତ ଭବିଷ୍ୟତ ଆଡକୁ ପଥ ପ୍ରଦର୍ଶନ କରିଥାଏ। ଏବେ ଅଳକା ନୂଆ ରୂପ ନେଇଛି। ପରଲୋକଗତ ଶିକ୍ଷକ-ଶିକ୍ଷୟିତ୍ରୀ ସ୍ୱର୍ଗରେ ଥାଏ ଏହାକୁ ଅବଲୋକନ କରୁଛନ୍ତି। ତାଙ୍କରି ଆଶିଷରେ ଏବେ ଏହା ଅତୀତର ଗୌରବକୁ ପାଥେୟ କରି ଆଗେଇ ଚାଲିଛି। ନିଜ ସ୍କୁଲକୁ ନେଇ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି। ଅଳକାର ସମସ୍ତ ଛାତ୍ର-ଛାତ୍ରୀ ଏହି ଶିକ୍ଷା ମହାଯଜ୍ଞରେ ନିଜକୁ ସାମିଲ କରିବାକୁ ଆଗେଇ ଆସନ୍ତୁ।

ଅଳକା ପ୍ରାଣ ପ୍ରତିଷ୍ଠାତା ଜ୍ଞାନଗୁରୁ ଗିରିଧାରୀ

ଗିରିଧାରୀ ମହାନ୍ତିଙ୍କୁ ବାଦଦେଇ ଅଳକା ହାଇସ୍କୁଲ ବିଷୟରେ କହିବା ଧ୍ରୁଷ୍ଟତା ହେବ। କାରଣ ଗିରିଧାରୀ ସାରଙ୍କୁ ବାଦ ଦେଇ ଅଳକାର ଇତିହାସ ଅସମ୍ପୂର୍ଣ୍ଣ। ୧୯୪୪ରେ ଅଳକା ହାଇସ୍କୁଲ ପ୍ରତିଷ୍ଠା ହୋଇଥିବା ବେଳେ ୧୯୪୮ରେ ଗିରିଧାରୀ ମହାନ୍ତି ଏହାର ପ୍ରଧାନ ଶିକ୍ଷକ ଥିଲେ। ପ୍ରାୟ ୨୩ ବର୍ଷ ଧରି ସେ ଏହାର ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇ ଥିଲେ।

୧୯୫୫ ମସିହାରେ ନିଆଁ ଲାଗି ସ୍କୁଲ ପୋଡ଼ିଯିବା ପରେ ସେ ଗୋଟି ଦିନ ନିର୍ଜ୍ଜଳା ଉପବାସ କରି ସ୍କୁଲକୁ ନୂଆ ରୂପରେ ଗଢିବାର ଶପଥ ନେଇଥିଲେ। ଏହି ଶିକ୍ଷାନୁଷ୍ଠାନର କର୍ଣ୍ଣଧାର ସାଜି ସେ ନୂଆ ରୂପରେ ଅଳକାକୁ ଗଢିଥିଲେ। ନିଜର ଅଦମ୍ୟ ସାହସ, କର୍ତବ୍ୟ ନିଷ୍ଠା ଓ ତ୍ୟାଗ ବଳରେ ସେ ଅଳକାକୁ ଶିକ୍ଷାର ଅଳକାପୁରୀରେ ପରିଣତ କରିପାରିଥିଲେ। ୧୯୯୬ ମସିହାରୁ ସେ ଇହଧାମ ତ୍ୟାଗ କରିସାରିଛନ୍ତି। ସ୍ୱର୍ଗତ ଗିରିଧାରୀ ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଅଳକା ହାଇସ୍କୁଲ ପରିସରରେ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତି ପ୍ରତିଷ୍ଠା କରାଯାଇଛି। ସ୍କୁଲ ପ୍ରଙ୍ଗଣରେ ରହି ସେ ଅଳକାର ଏହି ନୂଆ ରୂପକୁ ଅବଲୋକନ କରିବା ସହ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି।

ଉପସ୍ଥାପନା-ଅମୂଲ୍ୟ କୁମାର ହୋତା

Comments are closed.