ୟୁପିରେ ଅଲ କାଏଦାର ଶାଖା ସଂଗଠନ; ମାନଚିତ୍ର ଜବତ, ଆଉ ୧୨ ସନ୍ଦିଗ୍ଧ ଗିରଫ

ବିଭିନ୍ନ ସହରରେ ବିସ୍ଫୋରଣ ଯୋଜନା କରୁଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଅଲ କାଏଦା ଅନୁବନ୍ଧିତ ସଂଗଠନ ଅନସର-ଘାଜୱାତ-ଉଲ୍-ହିନ୍ଦ (ଏଜିଏଚ୍‌)ର ଦୁଇ ସଦସ୍ୟ ଗିରଫ ପରେ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ରବିବାର ଉତ୍ତରପ୍ରଦେଶ ଆତଙ୍କବାଦୀ ନିରୋଧ ଦଳ (ଏଟିଏସ୍‌) ଏଜିଏଚ୍‌ର ଦୁଇ ସଦସ୍ୟ ମିନହାଜ୍ ଅହମ୍ମଦ ଓ ମସିରୁଦ୍ଦିନ ଆକା ମୁସହିର ଗିରଫ ପରେ ଏହି ଯାଞ୍ଚ କରାଯାଇଛି। ଗିରଫ ଦୁଇ ଆତଙ୍କବାଦୀଙ୍କୁ ଜେରା କରିବା ପରେ ପୁଲିସ ​‌କହିଛି ଯେ ଆତଙ୍କବାଦୀ ଦ୍ବୟ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଲକ୍ଷ୍ନୌ ସମେତ ଆଖପାଖ ଅଞ୍ଚଳରେ ବିସ୍ଫୋରଣ ଘଟାଇବା ଯୋଜନା କରିଥିଲେ। ପ୍ରେସର କୁକର ବୋମା ମାଧ୍ୟମରେ ସେମାନେ ବିସ୍ଫୋରଣ ଯୋଜନା କରିଥିଲେ। ସେମାନଙ୍କ ନିକଟରୁ ଅଯୋଧ୍ୟା ରାମ ମନ୍ଦିର ସମେତ, ମଥୁରା, ବାରାଣସୀ, ଲକ୍ଷ୍ନୌ ଓ ଅନ୍ୟ ସହରର ମାନଚିତ୍ର ଜବତ କରାଯାଇଛି। ପୁଲିସ ଜାଣିବାକୁ ପାଇଛି ଯେ ଏଜିଏଚ୍‌ ଏହାର ସଂଗଠନକୁ ଟେଲିଗ୍ରାମ ଓ ହ୍ବାଟ୍ସଆପ୍‌ ମାଧ୍ୟମରେ ପରିଚାଳନା କରୁଥିଲା। ସଂଗଠନ ସହିତ ଯୋଗାଯୋଗ ରଖିଥିବା ୧୨ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯାଇଛି।
ଏହି ଘଟଣା ପରେ ବୃନ୍ଦାବନର ଶ୍ରୀକୃଷ୍ଣ ଜନ୍ମସ୍ଥାନ, ଠାକୁର ବାଙ୍କବିହାରୀ ମନ୍ଦିର, ତୈଳ ବିଶୋଧନାଗାର ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହିସବୁ ସ୍ଥାନର ସୁରକ୍ଷା ଦାୟିତ୍ବ ଏନଏସ୍‌ଜିକୁ ଦିଆଯାଇଛି। ସ୍ବତନ୍ତ୍ର ପୁଲିସ ଦଳ ଯମୁନା ଏକ୍ସପ୍ରେସ ୱେ, ଆଗ୍ରା-ଦିଲ୍ଲୀ ରାଜପଥରେ ଲୋକଙ୍କ ଯାତାୟାତ ଉପରେ ନଜର ରଖିଛନ୍ତି। ଗିରଫ ଦୁଇ ଆତଙ୍କବାଦୀଙ୍କୁ ଜେରା ନିମନ୍ତେ ପୁଲିସ ୧୪ଦିନ ପାଇଁ ନିଜ ହେପାଜତକୁ ନେଇଛି। ଏଥିପାଇଁ ଅଦାଲତ ଅନୁମତି ଦେଇଛନ୍ତି। ଗିରଫ ଆତଙ୍କବାଦୀଙ୍କର ଜଣେ ସହଯୋଗୀ ସକିଲ ଫେରାର ଥିବାବେଳେ ତାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ଉତ୍ତରପ୍ରଦେଶରେ ଅଲ କାଏଦାର ଦୁଇ ଆତଙ୍କବାଦୀ ଗିରଫ ହେବା ପରେ ହିମାଚଳ ପ୍ରଦେଶ ଓ ପଞ୍ଜାବରେ ଉଚ୍ଚ ସତର୍କତା (ହାଇ ଆଲର୍ଟ) ଜାରି କରାଯାଇଛି।

Comments are closed.