କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା

ହରଭଙ୍ଗା: ଅକ୍ଷୟ ତୃତୀୟା ଏକ ହିନ୍ଦୁ ଧାର୍ମିକ ପରମ୍ପରା। ଏହି ପର୍ବ ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପଡିଥାଏ। ଏହି ପର୍ବଟି ପର୍ଶୁରାମ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଇଥାଏ। ବହୁ କିମ୍ବଦନ୍ତୀ ଏହି ପର୍ବ ସହିତ ଜଡିତ ହୋଇରହିଛି। ଏହିଦିନ ବ୍ୟାସଦେବ ଏବଂ ଗଣେଷ ମହାଭାରତ ରଚନା ଶୁଭାରମ୍ଭ କରିଥିଲେ। ସେହିପରି ଏହିଦିନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ନିର୍ମାଣ ଶୁଭାରମ୍ଭ କରାଯାଇଥାଏ। ଏଥିସହିତ ନରେନ୍ଦ୍ର ପୋଖରୀରେ ତିନିବିଗ୍ରହ ଚାପ ଖେଳନ୍ତି। ଅକ୍ଷୟ ତୃତୀୟା ଏକ ସଂସ୍କୃତ ଶବ୍ଦରୁ ଉଦ୍ଧୃତ। ଅକ୍ଷୟ ଶବ୍ଦର ଅର୍ଥ ଯାହା କେବେ କ୍ଷୟହୁଏ ନାହିଁ। ତେଣୁ ଏହି ଦିନ ଧନଧାନ୍ୟ, ହସ, ଉଲ୍ଲାସ, ଶାନ୍ତି ଓ ବିଶ୍ୱାସର କ୍ଷୟ ନହୋଇ ବରଂ ବୃଦ୍ଧି ଘଟିଥାଏ ବୋଲି ଲୋକବିଶ୍ୱାସ ରହିଛି। ଏହି ପର୍ବର ଅନ୍ୟ ଏକ ମାହାତ୍ମ୍ୟ ରହିଛି ଯାହା କି କୃଷିକ୍ଷେତ୍ର ସହ ଜଡିତ। ତେଣୁ ଏହାକୁ କୃଷିଭିତିକ ପର୍ବରୂପେ ମଧ୍ୟ ପାଳନ କରାଯାଏ। ଏହିଦିନ ଚାଷୀ ନିଜ ଜମିରେ ଭୂମିପୂଜନ ସହ ହଳକରି ଅଖିମୁଠିର ଅନୁକୂଳ କରି ଚାଷ ଆରମ୍ଭ କରିଥାଏ। ଯାହାଦ୍ୱାରା ଜମିରେ ଭଲ ଫସଲ ହୋଇଥାଏ ବୋଲି ଚାଷୀମନରେ ଦୃଢବିଶ୍ୱାସ ରହିଛି। ପ୍ରତିବର୍ଷ ଏହି ପର୍ବକୁ କୃଷିବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବରେ ପ୍ରତି ବ୍ଲକସ୍ତରରେ ପାଳନ କରାଯାଉଛି। କେବଳ ଚାଷୀନୁହେଁ ପରିବାରର ସମସ୍ତ ସଦସ୍ୟ ଏହି ପର୍ବକୁ ହସଉଲ୍ଲାସରେ ପାଳନ କରିଥାନ୍ତି। ଏହିଦିନ ପ୍ରତ୍ୟେକ ଚାଷୀ ପରିବାର ଜମିରେ ପୂଜାକରି ବର୍ଷର କୃଷିକାର୍ଯ୍ୟର ଶୁଭ ଦେଇଥାନ୍ତି। ବର୍ଷ ଶେଷରେ କିପରି ଅଧିକ ଅମଳ ହେବ ତାହା ଭୂମି ଦେବତାଙ୍କୁ ମାଗିଥାନ୍ତି। ଏହାବ୍ୟତୀତ ଏହିଦିନ ଲୋକମାନେ ସୁନା କିଣିବାକୁ, ନୂତନ ବ୍ୟବସାୟ କିମ୍ବା ବାସଗୃହ ଆଦି ନିର୍ମାଣ କରିବା ଶୁଭବୋଲି ମନେକରିଥାନ୍ତି। ଓଡ଼ିଶା ଭଳି କୃଷିପ୍ରଧାନ ରାଜ୍ୟରେ ଅକ୍ଷୟ ତୃତୀୟା ପର୍ବକୁ ରୀତିନୀତି ଅନୁସାରେ ଧୁମ୍‍ଧାମରେ ପାଳନ କରାଯାଇଥାଏ। ବୌଦ୍ଧ ଜିଲ୍ଲା ଓଡ଼ିଶାର ଖାଦ୍ୟଶସ୍ୟ ଏବଂ ବନଜାତଦ୍ରବ୍ୟର ବିବିଧତାର କେନ୍ଦ୍ରସ୍ଥଳୀ। ଏହି ଜିଲ୍ଲାରେ ଶତକଡା ୯୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଜିିଲ୍ଲାର ଆୟତନ ୩ହଜାର ୯୮ବର୍ଗ କିଲୋମିଟର ରହିଛି। ଏହାର ଉତ୍ତରରେ ମହାନଦୀ, ଅନୁଗୁଳୁ ଜିଲ୍ଲା, ଦକ୍ଷିଣରେ କନ୍ଧମାଳ ଜିଲ୍ଲା, ପଶ୍ଚିମରେ ସୋନପୁର ଜିଲ୍ଲା ଏବଂ ତେଲନଦୀ ରହିଛି। ଜିଲ୍ଲାର ଅବସ୍ଥିତି ଅକ୍ଷାଂଶ-୨୦ଡିଗ୍ରୀ ୨୨ରୁ ୨୦ଡିଗ୍ରୀ ୫୦ ଉତର। ଦ୍ରାଘିମା ୮୩ଡିଗ୍ରୀ ୩୪ରୁ ୮୪ଡିଗ୍ରୀ ୪୯ ପୂର୍ବରେ ରହିଛି। ଜିଲ୍ଲାରେ ସମୁଦାୟ ୮୫ହଜାର ୫ଶହ ହେକ୍ଟର ଚାଷ ଜମି ରହିଛି। ସେଥିରୁ ଧାନଚାଷ ପାଇଁ ୬୪ହଜାର ହେକ୍ଟର ଜମି ରହିଛି। ଅଣଧାନ ଚାଷ ଜମି ପରିମାଣ ୨୧ହଜାର ୫ଶହ ହେକ୍ଟର। ଉଚ୍ଚ ଧାନଚାଷ ଜମି ପରିମାଣ ୩୩ହଜାର ୩ଶହ ହେକ୍ଟର। ମଧ୍ୟମ ଧାନଚାଷ ଜମି ପରିମାଣ ୧୯ହଜାର ୪ଶହ ହେକ୍ଟର। ଖାଲୁଆ ଧାନଚାଷ ଜମି ପରିମାଣ ୧୧ହଜାର ୩ଶହ ହେକ୍ଟର ରହିଥିବାଜଣାପଡିଛି। ଖରିଫ ଋତୁରେ ଧାନଚାଷ ପାଇଁ ୩୫ହଜାର ୭୧୩ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି। ଚାଷଜମିକୁ ଜଳସେଚନ ସୁବିଧା ପାଇଁ ଜିଲ୍ଲାରେ ୧୩୭ଟି ଉଠାଜଳସେଚନ ପଏଣ୍ଟ ରହିଥିବା ବେଳେ ୫୭ଟି କ୍ଷୁଦ୍ରଜଳସେଚନ ପ୍ରକଳ୍ପ, ୪୨ଟି ଜଳ ଅମଳ ପ୍ରକଳ୍ପ ଏବଂ ୩୭୨ଟି କୂଅ ରହିଛି। ଜିଲ୍ଲାର ଜଳବାୟୁସ୍ଥିତିକୁ ଅନୁଧ୍ୟାନ କଲେ ସର୍ବାଧିକ ତାପମାତ୍ରା ୪୫ଡିଗ୍ରୀ ରହୁଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ। ସେହିପରି ଆନୁପାତିକ ବୃଷ୍ଟିପାତର ପରିମାଣ ୧୬୨୩.୧ମି.ମି ହୋଇଥିବାବେଳେ ଆନୁପାତିକ ବୃଷ୍ଟିପାତଦିନ ୬୮.୧ ବୋଲି ରେକର୍ଡ ଜଣାପଡିଛି। ଜିଲ୍ଲାରେ ଧାନଚାଷ ପରିମାଣ ଅଧିକ ରହିଥିବାବେଳେ ମୁଗ, ହରଡ, ରାଶି, ବିରି, ସୋରିଷ ଇତ୍ୟାଦି ଡାଲି ଜାତୀୟ ଶସ୍ୟ ପାଇଁ ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ରହିଛି।

ସେହିପରି ଉଦ୍ୟାନ କୃଷି ଉପରେ ନଜର ପକାଇଲେ ପିଆଜ, ଆଳୁ, ଲଙ୍କା, କନ୍ଦମୂଳ, ପନିପରିବା, ତରଭୁଜ ଇତ୍ୟାଦି ଚାଷମଧ୍ୟ ଦେଖିବାକୁ ମିଳେ। ପ୍ରତି ଦୁଇ ବର୍ଷରେ ଥେରେ ମରୁଡି, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଥିବାବେଳେ ପ୍ରତିବର୍ଷ ବାତ୍ୟା ଭଳି ବିପର୍ଯ୍ୟୟ ଚାଷୀର ଆର୍ଥିକ ମେରୁଦଣ୍ଡକୁ ଦୋହଲି ପକାଏ। ଧାନ ଚାଷ ପରେ ରବି ଋତୁରେ ଅଧିକ ପରିମାଣରେ ବର୍ତମାନ ମୁଗ ଚାଷକରାଯାଉଥିବା ଦେଖିବାକୁ ମିଳୁଛି। ଖରିଫ ଋତୁରେ ଜୁନ ଶେଷରୁ ଅଗଷ୍ଟ ମଧ୍ୟଭାଗରେ ମୁଗ ଚାଷ ଆରମ୍ଭ କରାଯାଏ। ସେହିପରି ରବି ଋତୁରେ ନଭେମ୍ବର ଦ୍ୱିତିୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ମୁଗ ବୁଣାଯାଏ। ଚାଷୀମାନେ ଏହିସବୁ ଋତୁରେ ପି.ଡି.ଏମ-୧୧, ପି.ଡିଏମ-୫୪,ଟର୍ମ-୧, ପି.ଡିଏମ ୧୩୯, ସୁଜାତା, ଚଇତି ଭଳି କିସମର ମୁଗ ଚାଷ କରିଥାନ୍ତି। ଖରିଫରେ ମୁଗଚାଷକଲେ ଏକରକୁ ୧.୭ଟନ ମୁଗ ଅମଳ ହୋଇଥାଏ।ରବିରେ କଲେ ଏକରପିଛା ୪.୭ଟନ ମୁଗ ଅମଳ ହୋଇଥାଏ। ଉଭୟ ଖରିଫ ଏବଂ ରବି ଋତୁରେ ସମୁଦାୟ ୬.୩ଟନ ମୁଗ ଅମଳ କରାଯାଇଥାଏ। ଜିଲ୍ଲାରେ ପ୍ରାୟ ୧୩ହଜାର୧୫୩ ହେକ୍ଟର ଜମିରେ ମୁଗ ଚାଷ କରାଯାଇଥାଏ। ବୌଦ୍ଧରେ ୫ହଜାର ୨୬୩, କଂଟାମାଳରେ ୩ହଜାର ୬୯୦ ଏବଂ ହରଭଙ୍ଗାରେ ୪ହଜାର ୨ଶହ ହେକ୍ଟର ଜମିରେ ମୁଗ ଚାଷ କରାଯାଇଥାଏ। ବିଶେଷକରି ଜିଲ୍ଲାରେ ଚଇତି ମୁଗ ବହୁଳଭାବେ ଚାଷ କରାଯାଇଥାଏ। ଗତବର୍ଷ ୧୪ଶହ ଚାଷୀଙ୍କୁ ମୁଗ ମିନିକିଟ୍‍ ବଣ୍ଟନ କରାଯାଇଛି।ଜିଲ୍ଲାର ଅଗ୍ରଣୀ ଚାଷୀଙ୍କ ମଧ୍ୟରେ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତର ବାଘପାଲ୍ଲୀ ଗ୍ରାମର ଜିତେନ୍ଦ୍ର ବିଶ୍ୱାଳ ଧାନ, ପନିପରିବା, ଆଖୁ ଇତ୍ୟାଦି ୪ହେକ୍ଟର ଜମିରେ ଚାଷ କରିଥାନ୍ତି। ହରଭଙ୍ଗା ବ୍ଲକର ମଥୁରା ପଂଚାୟତର ବଡବାଗବର ଗ୍ରାମର ସନ୍ତୋଷ ଭୋଇ ଧାନ, ମୁଗ, ବିରି, ପନିପରିବା ୪.୮୦ହେକ୍ଟର ଜମିରେ ଚାଷ କରିଥାନ୍ତି। କଂଟାମାଳ ବ୍ଲକର ଲମ୍ବସରୀ ପଂଚାୟତର ଖଲିଆପାଲ୍ଲୀ ଗ୍ରାମର ଗୋପାଳ ମେହେର ୫ହେକ୍ଟର ଜମିରେ ଧାନ, ହରଡ, ମୁଗ, ବିରି ଚାଷ କରନ୍ତି।

ପରମ୍ପରାଗତ କୃଷି- ୬୨ ଆଦିବାସୀ ସଂପ୍ରଦାୟ ମଧ୍ୟରୁ ବୌଦ୍ଧରେ ମୋଟ ୨୫ଟି ଆଦିବାସୀ ଗୋଷ୍ଠୀ ବସବାସ କରନ୍ତି। ସେମାନେ ପରମ୍ପରାଗତ ଚାଷ କରିଥାନ୍ତି।ଦେଶୀ ବିହନ ଏବଂ ନିଜର ଜ୍ଞାନକୌଶଳ ପ୍ରୟୋଗରେ ଧାନ ବିଭିନ୍ନ ପ୍ରକାରର ଡାଲି ଜାତୀୟ ଶସ୍ୟ, ତୈଳ ଜାତୀୟ ଶସ୍ୟ ଏବଂ ପନିପରିବା ଚାଷ କରିଥାନ୍ତି।ସେମାନେ ବଣ ଜଙ୍ଗଲରୁ ଜାଳେଣୀ, ଗୋ-ଖାଦ୍ୟ, ଔଷଧ ଏବଂ ବିଭିନ୍ନ ଜଙ୍ଗଲଜାତଦ୍ରବ୍ୟ ସଂଗ୍ରହ କରି ଜୀବିକାନିର୍ବାହ କରନ୍ତି। କନ୍ଧ, ଖରିଆ, ଗଣ୍ଡ, କୋହ୍ଲ, ମୁଣ୍ଡା ପରି ଆଦିବାସୀ ସଂପ୍ରଦାୟମାନେ ବୌଦ୍ଧ ଜିଲ୍ଲାରେ ଅଧିକ ଦେଖାଯାନ୍ତି। ସେମାନେ ଧାନ, ଡାଲିଜାତୀୟ ଶସ୍ୟ, ଆଖୁ ଏବଂ ଧୂଆଁପତ୍ର ଛୋଟଦାନା ଶସ୍ୟ ପ୍ରମୁଖ ଭାବରେ ଚାଷ କରିଥାନ୍ତି। ସେମାନେ ଛୋଟଦାନା ଶସ୍ୟ ଡାଲି, ତୈଳଜାତୀୟ ଶସ୍ୟକୁ ଉଚ୍ଚଜମିରେ ଚାଷକରିଥାନ୍ତି। ଏମାନେ ଦେଶୀବିହନକୁ ସଂରକ୍ଷଣ କରି ରଖିଥାନ୍ତି। ମୁଖ୍ୟତଃ ଏମାନେ ମଧ୍ୟମ ଓ ବଡଧରଣର ଧାନ ଚାଷ କରିଥାନ୍ତି। ସେମାନେ ବିଶେଷକରି ପ୍ରଧାନ, ସପୁରୀ, ଉମାରିଆଚୂଡି, ମୁକ୍ତାବାଲି, ହଳଦୀ ଚୂଡି ଭଳି କିସମର ଧାନଚାଷ କରିଥାନ୍ତି। ପ୍ରଧାନ ଧାନ ନାଲିଧାନ, ଉଷୁନା ଚାଉଳ ରୂପେ ବ୍ୟବହାର କରନ୍ତି। ସପୁରୀକୁ ବାସ୍ନା ଚାଉଳ ଏବଂ କ୍ଷିରି ପାଇଁ ବ୍ୟବହାର କରନ୍ତି। ଉମାରିଆ ଚୂଡି ମୁଢି ପାଇଁ ବ୍ୟବହାର କରନ୍ତି। ହଳଦୀଚୂଡି ବିରିୟାନୀ, ପଲଉ ପାଇଁ ବ୍ୟବହାର କରନ୍ତି। ଛୋଟଦାନା ଶସ୍ୟଭାବେ ମାଣ୍ଡିଆ, କାଙ୍ଗୁ, ଯଅ, ବାଜରା ଚାଷ କରନ୍ତି। ଖାଦ୍ୟ ଶସ୍ୟ ମଧ୍ୟରେ ଧାନ ଓ ମକା ଚାଷକରିଥାନ୍ତି। ଡାଲିଜାତୀୟ ଶସ୍ୟ ହରଡ, ବିରି, ମୁଗ, ଝୁଡଙ୍ଗକୁ ସେମାନେ ତୈଲବୀଜ ଓ ଛୋଟଦାନା ଶସ୍ୟ ସହିତ ଚାଷ କରିଥାନ୍ତି। ରାଶି, ଖସା ଭଳି ତୈଳଜାତୀୟ ଶସ୍ୟ ତେଲ ପାଇଁ ଚାଷ କରିଥାନ୍ତି। ଜଡ଼ା ଜାତୀୟ ଶସ୍ୟ କରି ସେମାନେ ଏହାକୁ ଦେହରେ ମୁଣ୍ଡରେ ଲଗାଇବା ପାଇଁ ବ୍ୟବହାର କରିଥାନ୍ତି। ସେମାନେ ପନିପରିବା ମଧ୍ୟରେ ଟମାଟୋ, ସାରୁ, ଲାଉ, କୁନ୍ଦୁରୀ, କଖାରୁ, ଭଣ୍ଡା, କଲରା, ଦେଶୀ ଆଳୁ, ଖଡା ଶାଗ, ପୋଇ ଇତ୍ୟାଦି ଚାଷ କରନ୍ତି।

 

Comments are closed.