ବିଜ୍ଞାପନ କରି ଫଶିଗଲେ ଅକ୍ଷୟ: ଥାନାରେ ମାମଲା

ମୁମ୍ବଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏକ ନାମୀଦାମୀ ବ୍ରାଣ୍ଡର ଓ୍ବାଶିଂ ପାଉଡର ବିଜ୍ଞାପନ କରି ବିବାଦରେ ଫଶି ଯାଇଛନ୍ତି। ଏହି ବିଜ୍ଞାପନ ମାଧ୍ୟମରେ ମରାଠା ଯୋଦ୍ଧାଙ୍କ ପରିହାସ କରିଥିବା ନେଇ ଅକ୍ଷୟଙ୍କ ନାଁରେ ଅଭିଯୋଗ ହୋଇଛି। ଏନେଇ ଉତ୍ୟକ୍ତ ଲୋକେ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ବିଜ୍ଞାପନଟି କିଛି ଏହିପରି,- ମରାଠା ଯୋଦ୍ଧାଙ୍କ ରାଜା ହୋଇଥିବା ଅକ୍ଷୟ ଶତ୍ରୁଙ୍କ ସହ ଯୁଦ୍ଧ କରି ଫେରିବା ପରେ ତାଙ୍କୁ ଓ ସେନାକୁ ସ୍ବାଗତ କରାଯାଉଛି। ଏହାପରେ ମଇଳା କପଡ଼ାକୁ ଦେଖି ଜଣେ ସୈନ୍ୟଙ୍କ ସ୍ତ୍ରୀ ବ୍ୟଙ୍ଗ କରୁଛନ୍ତି। ସ୍ତ୍ରୀଙ୍କ ବ୍ୟଙ୍ଗ ପରେ ଅକ୍ଷୟ ଏକ କୌତୁକିଆ ନୃତ୍ୟ କରି ନିଜ କପଡ଼ା ଧୋଉଥିବାର ଏହି ବିଜ୍ଞାପନ ଭିଡିଓରେ ଦେଖିବାକୁ ମିଳିଛି।

ମରାଠା ଯୋଦ୍ଧାଙ୍କ ରାଜା ହୋଇଥିବା ଅକ୍ଷୟଙ୍କ ଏପରି ନୃତ୍ୟ ଓ କପଡ଼ା ଧୋଇବାକୁ ନେଇ ଲୋକମାନେ କ୍ରୋଧିତ ହେବା ସହ ଆପତ୍ତି ଜଣାଇଛନ୍ତି। ଏନେଇ ମୁମ୍ବଇର ଓ୍ବର୍ଲି ଥାନାରେ ଅକ୍ଷୟଙ୍କ ବିରୋଧରେ ଅଭିଯୋଗ ହୋଇଛି। ଅଭିଯୋଗ ପତ୍ରରେ ଲେଖାଅଛି, ଅକ୍ଷୟ ମରାଠା ସଂସ୍କୃତିକୁ ପରିହାସ କରି ଲୋକଙ୍କ ଭାବନାକୁ କୁଠାରଘାତ କରିଛନ୍ତି। ଏଥିପାଇଁ ଅକ୍ଷୟ କ୍ଷମା ମାଗିବା ଉଚିତ।

ଅପରପକ୍ଷରେ ଏହି ବିଜ୍ଞାପନକୁ ସାମାଜିକ ଗଣମାଧ୍ୟମରେ ଶେୟାର କରି କିଛି ଲୋକ ଅକ୍ଷୟଙ୍କୁ ଟ୍ରୋଲ୍‌ କରିଛନ୍ତି। ସେହିପରି  ବିଜ୍ଞାପନ ତିଆରି କରିଥିବା କମ୍ପାନୀକୁ ମଧ୍ୟ ଲୋକେ ସମାଲୋଚନା କରିଛନ୍ତି। ମାତ୍ର ଅକ୍ଷୟ ଓ ବିଜ୍ଞାପନ କମ୍ପାନୀ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed.