ଅକ୍ଷୟଙ୍କ କିନ୍ନର ଅବତାର

ମୁମ୍ବଇ : ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍‍’ର ପୋଷ୍ଟର ଗୁରୁବାର ସାମ୍ନାକୁ ଆସିଛି। ନିଜେ ଅକ୍ଷୟ ସାମାଜିକ ଗଣମାଧ୍ୟମରେ ଏହାକୁ ଶେୟାର କରିଛନ୍ତି। ପୋଷ୍ଟରରେ ଅକ୍ଷୟଙ୍କ କିନ୍ନର ଅବତାର ଦେଖିବାକୁ ମିଳିଛି। ମଥାରେ ବଡ଼ ଲାଲ୍‍ ଟିକିଲି, ଲାଲ୍‍ ଶାଢୀ ଓ ମୁଣ୍ଡରେ ଖୋସା ସହ ଅକ୍ଷୟ ଦମ୍‍ଦାର୍‍ ଲୁକ୍‌ରେ ନଜର ଆସିଛନ୍ତି। ତାଙ୍କର ଏହି ଲୁକ୍‍ ସାମାଜିକ ଗଣମାଧ୍ୟମରେ ଖୁବ୍‍ ଭାଇରାଲ୍‍ ହେଉଛି ଏବଂ ଲୋକେ ଏହାକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଚରିତ୍ରକୁ ନେଇ ଅକ୍ଷୟ ଖୁବ୍‍ ଉତ୍ସାହିତ ଥିବା କହିଛନ୍ତି।
ସୂଚନାଯୋଗ୍ୟ, ‘ଲକ୍ଷ୍ମୀ ବମ୍‍’ ତାମିଲ ଚଳଚ୍ଚିତ୍ର ‘କଞ୍ଚନା’ର ରିମେକ୍‍। ଏଥିରେ ଅକ୍ଷୟଙ୍କ ସହ କିୟାରା ଆଡ଼ଭାଣୀଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହା ଏକ ହରର୍‍-କମେଡ଼ି ଭିତ୍ତିକ ଚଳଚ୍ଚିତ୍ର। ଏଥିରେ ଅମିତାଭ ବଚ୍ଚନ ମଧ୍ୟ କିନ୍ନର ଭୂତ ଭୂମିକାରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି। ରାଘବ ଲରେନ୍ସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଏପ୍ରିଲ୍‍ ୫ ତାରିଖରେ ମୁକ୍ତିଲାଭ କରିବ।

Comments are closed.