ବିଜେପି ନିର୍ଦେଶରେ ଦେଶରେ ହିଂସା ହେଉଛି : ଅଖିଳେଶ ଯାଦବ

ଲକ୍ଷ୍ନୌ: ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ଅଖିଳେଶ ଯାଦବ ଦେଶରେ ହେଉଥିବା ହିଂସାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ଅଖିଳେଶ କହିଛନ୍ତି ବିଜେପି ଦେଶର ଆର୍ଥିକ ମାନ୍ଦାବସ୍ଥା,ବେକାରି ସମସ୍ୟା ଏବଂ ଚାଷୀମାନଙ୍କ ସମସ୍ୟା ଉପରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ଯୋଜନା ବଦ୍ଧ ଭାବେ ସାରାଦେଶରେ ହିଂସା ସୃଷ୍ଟି କରୁଛି। ଦେଶରେ ହିଂସା ଏବଂ ଦଙ୍ଗା ହେବାଦ୍ବାରା ବିଜେପିକୁ ଲାଭ ପହଞ୍ଚୁଛି କାରଣ ଦେଶର ଜନସାଧାରଣଙ୍କ ଧ୍ୟାନ ବେକାରି ସମସ୍ୟା, ଆର୍ଥିକ ମାନ୍ଦାବସ୍ଥା ଉପରୁ ହଟି ଦଙ୍ଗା ଏବଂ ହିଂସା ଉପରେ ରହୁଛି।
ଅଖିଳେଶ ଯାଦବ ରବିବାର ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ନାଗରିକତା ସଂଶୋଧନ ଆଇନ ଦେଶର ସମ୍ବିଧାନ ଉଲ୍ଲଘନ କରୁଛି। ଏଥିପାଇଁ ସମାଜବାଦୀ ପାର୍ଟି ଏହି ଆଇନକୁ ବିରୋଧ କରୁଛି। କିନ୍ତୁ ଆମେ ଶାନ୍ତିପୂର୍ଣ୍ଣ ଉପାୟରେ ଏହି ଆଇନର ବିରୋଧ କରିଥିଲୁ। ଯେଉଁଠି ବି ହିଂସା ହେଉଛି ତାହା କେବଳ ବିଜେପି ପ୍ରଣୋଦିତ ବୋଲି କହିଛନ୍ତି ଅଖିଳେଶ।

ଅଖିଳେଶ ଏନଆରସି ବିରୋଧ କରି କହିଛନ୍ତି ଗ୍ରାମାଞ୍ଚଳ ବସବାସ କରୁଥିବା ଲୋକମାନଙ୍କ ନିକଟରେ ସେମାନେ ଭାରତୀୟ କି ନୁହେଁ ଏନେଇ କୌଣସି ଦସ୍ତାବିଜ ନାହିଁ। ଏନଆରସି ଲାଗୁ ହେଲେ ସାରା ଦେଶରେ ବିମୃଦ୍ରାକରଣ ସମୟରେ ସୃଷ୍ଟି ହୋଇଥିବା ସ୍ଥିତି ଉପୁଜିବ। ଲୋକମାନେ ପୁଣିଥରେ ଲାଇନରେ ଛିଡାହେବ ଯେମିତି ବିମୃଦ୍ରାକରଣ ସମୟରେ ହୋଇଥିଲା। ବିମୃଦ୍ରାକରଣ ସମୟରେ ସାଧାରଣ ଲୋକ ନାହିଁନଥିବା ଅସୁବିଧାର ସାମ୍ନାକରିଥିଲେ। ବର୍ତ୍ତମାନ ପୁଣିଥରେ ସେହି ଅବସ୍ଥା ସୃଷ୍ଟିକରିବା ପାଇଁ ବିଜେପି ପ୍ରୟାସ କରୁଛି ବୋଲି ଯାଦବ କହିଛନ୍ତି । ଅଖିଳେଶ କହିଛନ୍ତି ବିମୃଦ୍ରାକରଣ ସମୟରେ ବିଜେପି କହୁଥିଲା ଏହା ଦ୍ବରା କଳାଧନ ଫେରିବ,ଆତଙ୍କବାଦ ଏବଂ ନକ୍ସଲବାଦ ବନ୍ଦ ହେବ କିନ୍ତୁ କିଛି ହେଲା ନାହିଁ। କେବଳ ସାଧାରଣ ଲୋକ ହିଁ ଅସୁବିଧାରେ ପଡିଲେ।
ଉତ୍ତରପ୍ରଦେଶରେ ୧୪୪ ଧାରା ଜାରିକୁ ନେଇ ଅଖିଳେଶ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ୧୪୪ ଧାରା କେବଳ ସାଧାରଣ ଜନତା ଓ ବିରୋଧୀଙ୍କ ପାଇଁ ଲାଗୁ କରାଯାଇଛି। କାରଣ ୧୪୪ ଧାରା ଲାଗୁ ହୋଇଥିବା ସତ୍ତେ ଲକ୍ଷ୍ନୌରେ ପ୍ରଧାନମନ୍ତ୍ରୀ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି ।

Comments are closed.