୧୪ରେ ଆଖଣ୍ଡଳମଣିଙ୍କୁ ଲାଗି ହେବ ନୂଆଚାଉଳ ପୋଡପିଠା

ଭୋର ୫ଟାରେ ପହିଲିଭୋଗ ; ଅପରାହ୍ନ ୪ଟାରେ ବଡସିଂହାର ବେଶ

ଆରଡି : ଆସନ୍ତା ୧୪ ଅର୍ଥାତ ଗୁରୁବାର ଦିନ ପବିତ୍ର ମକର ସଂକ୍ରାନ୍ତି ଅବସରରେ ପରମ୍ପରା ଅନୁଯାୟୀ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କୁ ଲାଗି ହେବ ନୂଆଚାଉଳ ଓ ପୋଡପିଠା। ଏଥିପାଇଁ ଚୂଡାନ୍ତ ହୋଇଛି ନୀତିନୀର୍ଘଣ୍ଟ। ଭୋର ୪ଟାରେ ଦ୍ୱାରଫିଟା ଯିବା ପରେ ମଙ୍ଗଳଆଳତୀ, ଘର୍ଷଣଲାଗି, ଜଳାଭିଷେକ ଆଦି ସରିବା ପରେ ନବବସ୍ତ୍ର, ଫୁଲ,ଚନ୍ଦନ, ବେଲ୍ୱପତ୍ର ଲାଗି କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯିବ। ସକାଳ ୫ଟାରେ ପହିଲୁ ଭୋଗ ଓ ପୋଡପିଠା ଲାଗି କରାଯିବ। ସକାଳ ୯ଟାରେ ପହଡଖିଆ ଅନ୍ନନୀତି, ମଧ୍ୟାହ୍ନ ୧ଟାରେ ଯୋଗୀବେଶ ଓ ବଡନୀତି ସରିବା ପରେ ଏକଘଣ୍ଟା ଅବକାଶ(ଶୟନ) ନୀତି ହେବ। ଅପରାହ୍ନ ୪ଟାରେ ମନ୍ଦିର ଶୋଧନ କରାଯାଇ ମଣିବାବାଙ୍କୁ ବିଭିନ୍ନ ଅଳଙ୍କାର ଓ ଫୁଲ-ଚନ୍ଦନ ଲାଗି କରାଯାଇ ବଡସିାଂହର ବେଶରେ ସଜ୍ଜିତ କରାଯିବ। ଚଳିତବର୍ଷ କୋଭିଡ କଟକଣା ଜାରି ରହିଥିବାରୁ ଆଗନ୍ତୁକ ଭକ୍ତଙ୍କ ପୂଜା ସାମଗ୍ରୀ ଲାଗି ଉପରେ ପୂର୍ବପରି କଟକଣା ବଳବତ୍ତର ରହିବ। ସେହିପରି ମନ୍ଦିର ଭିତରେ ପୂଜାର୍ଚ୍ଚନା ଓ ପ୍ରସାଦ ସେବନ ଉପରେ ମଧ୍ୟ କଟକଣା ଜାରି ରହିବ।

Comments are closed.