ଆଖଣ୍ଡଳମଣିଙ୍କ ମନ୍ଦିରରେ ଭକ୍ତଙ୍କ ପାଇଁ କୋହଳ ହେଲା ଦର୍ଶନ ବ୍ୟବସ୍ଥା, ସକାଳ ୭ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ କରିପାରିବେ ଦର୍ଶନ

ଆରଡି: ମହାମାରୀ କରୋନା ପାଇଁ ଦୀର୍ଘ ୧୦ମାସ ଧରି ମନ୍ଦିର ବନ୍ଦ ରହିବା ପରେ ଗତ ଜାନୁଆରୀ ୩ରେ ଭକ୍ତମାନଙ୍କ ଦର୍ଶନ ପାଇଁ ଖୋଲିଥିଲା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ହେଲେ ମହାମାରୀ କରୋନାର ଭୟ ଥିବାରୁ କୋଭିଡ କଟକଣା ସହ ସୀମିତ ସମୟରେ ଭକ୍ତଙ୍କ ଦର୍ଶନ ପାଇଁ ମିଳିଥିଲା ଅନୁମତି। ଏପରିକି ଭକ୍ତମାନଙ୍କ ଦର୍ଶନ ବ୍ୟତୀତ ଅନାନ୍ୟ ମାଙ୍ଗଳିକ କାର୍ଯ୍ୟ, ପୂଜାକର୍ମ ଓ ପ୍ରସାଦ ସେବନକୁ ବନ୍ଦ ରଖିଥିଲା ଜିଲା ପ୍ରଶାସନ। ଫେବୃଆରୀ ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ନିୟମ ଜାରି ହେବା ପରେ ରବିବାର ଭଦ୍ରକ ଜିଲାପାଳଙ୍କ ନିଷ୍ପତ୍ତି କ୍ରମେ ସାମନ୍ୟ କୋହଳ କରାଯିବା ସହିତ ଭକ୍ତମାନଙ୍କ ମାଙ୍ଗଳିକ କାର୍ଯ୍ୟ ଓ ପୂଜାର୍ଚ୍ଚନାକୁ ମିଳିଛି ଅନୁମତି।

ଆଜିଠାରୁ ଅର୍ଥାତ ସୋମବାର ଠାରୁ ଶ୍ରଦ୍ଧାଳୁମାନେ ପୂର୍ବପରି ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ମଣିବାବାଙ୍କୁ ଦର୍ଶନ କରିବା ସହିତ ମୁଣ୍ଡନ କାର୍ଯ୍ୟ ନୂତନ ଚୂଳପକା ମଣ୍ଡପରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତାହାସହ ପୂଜାର୍ଚ୍ଚନା ଓ ମାଙ୍ଗଳିକ କାର୍ଯ୍ୟ ମନ୍ଦିର ଗଣେଷ ମଣ୍ଡପରେ କରାନଯାଇ ଶିବଗଙ୍ଗା ପୂଷ୍କରିଣୀ କୂଳରେ ଥିବା ଚନ୍ଦନମଣ୍ଡପରେ କୋଭିଡ କଟକଣା ମଧ୍ୟରେ କରାଯିବା ପାଇଁ ମନ୍ଦିର ପକ୍ଷରୁ ନଟକା ଜାରି କରାଯାଇଥିବା ସୂଚନା ଦିଆଯାଇଛି। ଏପରିକି ଗତ ମାର୍ଚ୍ଚମାସରୁ ବନ୍ଦ ରହିଥିବା ପୂଜାର୍ଚ୍ଚନା ନିମନ୍ତେ ମନ୍ଦିର ପକ୍ଷରୁ ଆଜି ସୋମବାର ଠାରୁ ମହାସୁଲ ରସିଦ କଟାଯିବା ପାଇଁ ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି।

 

Comments are closed.