ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଏସ୍‌ଓପି ଜାରି, ଡିସେମ୍ବର ୨୮ରୁ ଖୋଲିବ ମନ୍ଦିର

ସକାଳ ୭ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିବ ଦର୍ଶନ ବ୍ୟବସ୍ଥା, ମନ୍ଦିର ଭିତରକୁ ପୂଜାସାମଗ୍ରୀ ଓ ଦୀପ ନେବା ମନା

  • ଡିସେମ୍ବର ୨୮ଓ ୨୯ ରେ ସେବାୟତ
  • ଡିସେମ୍ବର ୩୦ ଓ ୩୧ରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦର୍ଶନ
  • ଜାନୁଆରୀ ୩ରେ ସର୍ବସାଧାରଣ ଦର୍ଶନ
  • ସ୍ଥାନୀୟ ଅଞ୍ଚଳବାସୀଙ୍କ ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ
  • ୧୦ ବର୍ଷରୁ କମ ୬୫ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମନ୍ଦିର ମନା

 

ଆରଡି: କରୋନା ମହାମାରୀ ପାଇଁ ଦୀର୍ଘ ୯ମାସରୁ ଊର୍ଦ୍ଧ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିଲା। ଫଳରେ ଅଗଣିତ ଭକ୍ତ ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ। ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହେଉଥିଲା। ତେବେ ଆସନ୍ତା ଜାନୁଆରୀ ୩ରୁ ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋହର ବାଜିଥିଲା। ଏହାପରେ ଆଜି ଜିଲାପାଳ ଡ. ଜ୍ଞାନ ଦାସଙ୍କ ପରାମର୍ଶ ଅନୁଯାୟୀ ଜିଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଖଣ୍ଡଳମଣିଙ୍କ କାର୍ଯାଳୟ ପରିସରରେ ସେବାୟତଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ କୋଭିଡ କଟକଣା ମଧ୍ୟରେ କିପରି ମନ୍ଦିର ଖୋଲାଯିବ ସେ ବାବଦରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ସର୍ବପ୍ରଥମେ ସେବାୟତ ପରିବାରଙ୍କ ଦର୍ଶନ ପାଇଁ ଆସନ୍ତା ଡିସେମ୍ବର ୨୮ଓ ୨୯ରେ ମନ୍ଦିର ଖୋଲିବା ସହ ସ୍ଥାନୀୟ ୪ଟି ପଞ୍ଚାୟତ ଆରଡି, ଓଳଗ, ସୁନ୍ରଦରପୁର, ନାନ୍ଦପୁର ଅଞ୍ଚଳର ଲୋକଙ୍କ ଦର୍ଶନ ପାଇଁ ଡିସେମ୍ବର ୩୦ ଓ ୩୧ରେ ମନ୍ଦିର ଖୋଲାଯିବ। ବାବାଙ୍କ ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ରହିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି ବୋଲି ଟ୍ରଷ୍ଟି ଶ୍ରୀ ସାମଲ କହିଥିଲେ।

ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ କହିଛନ୍ତି ଯେ ଆସନ୍ତା ଜାନୁଆରୀ ୧ ଓ ୨ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରହିବ। ଏହାପରେ ଜାନୁଆରୀ ୩ରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲିବ ବୋଲି ଏସ୍‌ଓପି ଜାରି କରାଯାଇଛି। ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସକାଳ ୭ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଅନ୍ୟ ସମୟରେ ମନ୍ଦିର ପୂର୍ବ ପରି ବନ୍ଦ ରହିବ। ଦର୍ଶନାର୍ଥୀମାନେ ମନ୍ଦିର ମଧ୍ୟକୁ ଫୁଲ, ଦୀପ, ଭୋଗ ଓ କୌଣସି ପୂଜାସାମଗ୍ରୀ ନେଇ ପାରିବେ ନାହିଁ। ଦର୍ଶନ ପାଇଁ ଯାଇଥିବା ଭକ୍ତ ମନ୍ଦିର ମଧ୍ୟରେ ଅଧିକ ସମୟ ଧରି ରହିପାରିବେ ନାହିଁ। ସ୍ବତନ୍ତ୍ର ବ୍ୟାରିକେଡ୍‌ ମଧ୍ୟରେ ଯାଇ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଯିବାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବ। ସମସ୍ତ ଭକ୍ତଙ୍କର ଥର୍ମାଲ ସ୍କାନିଂ ସହିତ ସାନିଟାଇଜ କରାଯିବ। ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନଙ୍କ କୋଭିଡ ଲକ୍ଷଣ ରହିଥିବା ସେମାନଙ୍କ ମନ୍ଦିର ପରିସର ମଧ୍ୟରେ ଥିବା ଅସ୍ଥାୟୀ କ୍ୟାମ୍ପରେ କୋଭିଡ ଟେଷ୍ଟ କରାଯିବ ବୋଲି ବୈଠକରେ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ଶ୍ରୀ ସାମଲ ସୂଚନା ଦେଇଥିଲେ। ସ୍ଥାନୀୟ ଅଞ୍ଚଳ ଲୋକଙ୍କ ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ରହିବ ବୋଲି ବୈଠକରେ ସ୍ଥିର କରାଯାଇଛି। ୧୦ବର୍ଷରୁ କମ ଓ ୬୫ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ମୁଣ୍ଡନକାର୍ଯ୍ୟ ଓ ମାନସିକ ପୂଜା ପୂର୍ବ ପରି ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ମନ୍ଦିର ନିକଟସ୍ଥ ବିଭିନ୍ନ ସ୍ଥାନରେ ଭକ୍ତମାନେ ଗହଳି ଲଗାଇବା ଉପରେ ଜିଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଏହି ବୈଠକରେ ସ୍ଥାନୀୟ ପୁଲିସ, ସେବାୟତ ଓ ମନ୍ଦିର ପରିଚାଳନା କମିଟି ଉପସ୍ଥିତ ଥିଲେ।

Comments are closed.