ଆଖଣ୍ଡଳମଣି ମନ୍ଦିରକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଣଦେଖା

0

ଆରଡି :  ରାଜ୍ୟର ବହୁ ପୁରାତନ ଶୈବପୀଠ ଭାବେ ଖ୍ୟାତି ଲାଭ କରିଥିବା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଏବେ ଅସୁରକ୍ଷିତ ହୋଇପଡିଛି। ବିଶେଷକରି ମନ୍ଦିର ରକ୍ଷଣାବେକ୍ଷଣା ଦାୟୀତ୍ୱରେ ଥିବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଣଦେଖା ଯୋଗୁ ବିଗତ କିଛିବର୍ଷ ହେବ ମନ୍ଦିରର ଗର୍ଭଗୃହର ଚଟାଣ ଅସୁରକ୍ଷିତ ହୋଇ ପଡିବା ସହ ନାଟମଣ୍ଡପ ଛାତ ଫାଟି ଆଁ କରିଛି। ସେହିପରି ଗମ୍ଭୀରାଘରର ଛାତରୁ ବର୍ଷାଦିନେ ପାଣି ଝରିବାରୁ ଅନେକ ସମୟରେ ନୀତିଭୋଗ ନଷ୍ଟ ହେଉଥିବା ସେବାକାରୀମାନେ ପ୍ରକାଶ କରିଛନ୍ତି। ତାହାସହ ଶ୍ରାବଣୀ ମଣ୍ଡପ ସ୍ଥାନାନ୍ତର ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହା କେବଳ ବର୍ଷବର୍ଷ ଧରି କାଗଜ କଲମରେ ସୀମିତ ହୋଇ ରହିଛି। ସୂଚନା ଅନୁଯାୟୀ ଦୀର୍ଘ ୨/୩ବର୍ଷ ହେବ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଣଦେଖା ଯୋଗୁ ମରାମତି ଓ ରକ୍ଷଣବେକ୍ଷଣା ନିମନ୍ତେ କୈାଣସି ଅନୁଦାନ ମିଳିପାରିନାହିଁ। ଫଳରେ ମରାମତି ଅଭାବରୁ ଏବେ ମୁଖ୍ୟ ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ଦେଖା ଦେଇଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ମୁଖଚାଳି ଦ୍ୱାର ଓହଳି ରହିଥିବାରୁ କୈାଣସି ମୂହୁର୍ତ୍ତରେ ଭୁଷୁଡି ପଡିବାର ଆଶଙ୍କା ଦେଖା ଦେଇଛି। ସେହିପରି ବେଢା ଚଟାଣରେ ପଥର ବିଛାଣ, ପାଦୁକ ଜଳ ନିଷ୍କାସନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ପ୍ରସ୍ତାବ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦପ୍ତରକୁ ଯାଇଥିଲେ ମଧ୍ୟ ଆଜି ପ୍ରର୍ଯ୍ୟନ୍ତ କୈାଣସି କାର୍ଯ୍ୟ ହୋଇ ପାରିନାହିଁ। ଯାହାଫଳରେ ମନ୍ଦିରର ଦୈନଦିନ ପାଦୁକ ଜଳ ଠିକ୍‍ ଭାବେ ନିଷ୍କାସନ ହେଉନଥିବାରୁ ବେଢା ସାରା ଭାସୁଛି। ଅନେକ ସମୟରେ ବର୍ଷାଜଳ ଦିଅଁଙ୍କ ଗର୍ଭଗୃହକୁ ପ୍ରବେଶ କରୁଥିବାରୁ ଘଣ୍ଟାଘଣ୍ଟା ଧରି ବର୍ଷା ଜଳରେ ମଣିବାବାଙ୍କ ବିଗ୍ରହ ବୁଡି ରହୁଛି। ଏଥିପ୍ରତି ବିଭାଗୀୟ ମନ୍ତ୍ରୀ ଓ ଉଚ୍ଚପଦାଧିକାରୀ ଦୃଷ୍ଟି ଦେବା ସହ ତୁରନ୍ତ ମରାମତି ନିମନ୍ତେ ପଦକ୍ଷେପ ନେବାକୁ ମନ୍ଦିରର ସେବାୟତଙ୍କ ସହ ଆଗନ୍ତୁକ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।

 

Leave A Reply