ଆଖଣ୍ଡଳମଣି ପୀଠ ସମ୍ପ୍ରସାରଣ ପ୍ରସଙ୍ଗ, ୧୬ ଭୋଗ ଦୋକାନୀଙ୍କୁ ନଟକା ଜାରି

ଆରଡି: ରାଜ୍ୟର ବହୁ ପୁରାତନ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ଆରଡିଧାମସ୍ଥ ଆଖଣ୍ଡଳମଣି ମନ୍ଦିର ବେଢା ଓ ପୀଠର ସମ୍ପ୍ରସାରଣ ପାଇଁ ଗତ ୭ଦିନ ହେଲା ପ୍ରକ୍ରିୟା ଜାରି ରହିଛି। ବିଶେଷକରି ଦୀର୍ଘବର୍ଷ ହେବ ପୀଠର ମାଷ୍ଟରପ୍ଲାନ ପାଇଁ ବ୍ଲୁପ୍ରଣ୍ଟି ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅର୍ଥାଭାବରୁ ତାହା ଅଟକି ରହିଥିଲା। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ପୀଠର ସୈାନ୍ଦର୍ଯ୍ୟକରଣ ନିମନ୍ତେ ପ୍ରାଥମିକ ଭାବେ ୬କୋଟି ଟଙ୍କା ଯୋଗାଇ ଦିଆଯାଇଥିବାରୁ ତାହା କାର୍ଯ୍ୟକାରୀ ପାଇଁ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଗତ ୨୬ରେ ଜିଲା ପ୍ରଶାସନ ପକ୍ଷରୁ ପୀଠରେ ସମୀକ୍ଷା କରାଯିବା ସହ ପୀଠର ସମ୍ପ୍ରସାରଣ ନିମନ୍ତେ ମଣିବାବଙ୍କ ସମ୍ପତ୍ତି ଓ ସରକାରୀ ସମ୍ପତ୍ତିକୁ ଦଖଲ କରିଥିବା ଜବରଦଖଲକାରିଙ୍କ ଠାରୁ ଉଛେଦ କରାଯିବା ପାଇଁ ଚାନ୍ଦବାଲି ତହସିଲିଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏପରିକି ଚାନ୍ଦବାଲି ତହସିଲି ପକ୍ଷରୁ ଦୀର୍ଘ ୬ଦିନ ହେବ ମଣିବାବାଙ୍କ ମନ୍ଦିର ଚତୁଃପାର୍ଶ୍ବ ସମେତ ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବ, ମୁଖ୍ୟ ବଜାର ରାସ୍ତା, ସାହି ରାସ୍ତା ଆଦି ମାପଚୁପ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଚାନ୍ଦବାଲି ତହସିଲିଦାର ଶୁଶାନ୍ତ କୁମାର ସୁତାର ପ୍ରକାଶ କରିଛନ୍ତି। ଅନ୍ୟପଟେ ମନ୍ଦିର ମଧ୍ୟରେ ଥିବା ୧୬ଟି ଭୋଗ ଦୋକାନୀଙ୍କୁ ଉଛେଦ ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ନଟକା ଜାରି କରାଯିବା ସହିତ ଆସନ୍ତା ଜୁଲାଇ ୧୫ସୁଧା ଘର ଖାଲି କରିବା ପାଇଁ ପରାମର୍ଶ ଦିଆଯାଇଛି। ପୀଠରେ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ହେଲେ ପୀଠକୁ ଦୈନଦିନ ଆସୁଥିବା ଅଗଣିତ ଭକ୍ତ ଓ ପର୍ଯ୍ୟଟକମାନେ ବହୁ ସୁବିଧା ସୁଯୋଗ ପାଇବେ ବୋଲି ରାଜ୍ୟ ଭକ୍ତ ମହାସଂଘର କର୍ମକର୍ତ୍ତାମାନେ ପ୍ରକାଶ କରଛନ୍ତି।

Comments are closed.