ଆଖଣ୍ଡଳମଣିଙ୍କ କାର୍ତ୍ତିକ ପୂର୍ଣ୍ଣିମା ନୀତିକାନ୍ତି ଚୂଡାନ୍ତ ; ଶିବଗଙ୍ଗା ପୁଷ୍କରିଣୀରେ ଭାସିବନି ଡଙ୍ଗା

ଭୋର ୪ଟାରେ ମଙ୍ଗଳ ଆଳତୀ ; ଅପରାହ୍ଣ ୪ଟାରେ ହରଗୈାରୀବେଶ

କରୋନ ପାଇଁ ପୀଠରେ ୧୪୪ଧାରା ବଳବତ୍ତର,-ଭକ୍ତ ନଆସିବାକୁ ପ୍ରଶାସନର ପରାମର୍ଶ

ଆରଡି : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତିକାନ୍ତି ଚୂଡାନ୍ତ ହୋଇଛି । ହେଲେ ମହାମାରୀ କରୋନ ପାଇଁ କଟକଣା ଜାରି ରହିଥିବା ବେଳେ ପଞ୍ଚୁକବ୍ରତରେ ଶ୍ରଦ୍ଧାଳୁମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ତଥା ମନ୍ଦିର ପ୍ରଶାସନ ପକ୍ଷରୁ ପୀଠରେ ୧୪୪ଧାରା ଜାରି କରାଯାଇଛି। ଏପରିକି ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀରେ ଚଳିତବର୍ଷ ଶ୍ରଦ୍ଧାଳୁଙ୍କ ବୁଡ ପକାଇବା ଓ ବୋଇତ ଭଷାଣ ଉପରେ ମଧ୍ୟ ପ୍ରଶାସନ ରୋକ ଲଗାଇଛି । କେବଳ ମନ୍ଦିରର ପରମ୍ପରା ଓ ରୀତିନୀତି ଅନୁଯାୟୀ ସୀମିତ ସେବାୟତ ମନ୍ଦିର ମଧ୍ୟରେ ରହି ସମସ୍ତ ନୀତିକାନ୍ତି ସମାପନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ଚୂଡାନ୍ତ  ନୀତିକାନ୍ତି ହୋଇଛି।

ଭୋର ୪ଟାରେ ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସରିବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲୁ ବାଲ୍ୟଭୋଗ ଲାଗି କରାଯିବ। ପରେ ସମସ୍ତ ସକାଳ ନୀତି ଦିବା ୧ଟା ସୁଧା ସମ୍ପନ୍ନ ହେବା ପରେ ମଣିବାବାଙ୍କୁ ପଞ୍ଚୁକବ୍ରତ ଅବସରରେ ବିଭିନ୍ନ ଅଳଙ୍କାରରେ ଆଭୁଷଣ କରାଯାଇ ପଞ୍ଚାନନ ବେଶରେ ସଜ୍ଜିତ କରାଯିବ।

ଅପରାହ୍ଣ ୪ଟାରେ ମଣିବାବାଙ୍କୁ ହରଗୈାରୀ ବେଶରେ ସଜ୍ଜିତ କରାଯାଇ ଅନ୍ୟାନ ନୀତି କରାଯିବ। ହେଲେ ମହାମାରୀ କରୋନ ପ୍ରାଚେରୀ ହୋଇ ଭକ୍ତ ଓ ଦିଅଁ ମଝିରେ ଠିଆ ହୋଇଥିବାରୁ ଏହି ଦୁର୍ଲଭ ହରଗୈାରୀ ବେଶରୁ ଭକ୍ତ ବଞ୍ଚିତ ରହିବେ। ବର୍ଷକରେ ଥରେ ମଣିବାବାଙ୍କର ଏହି ହରଗୈାରୀ ବେଶ ହେଉଥିବାରୁ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ଶ୍ରଦ୍ଧାଳୁଭକ୍ତଙ୍କର ସମାଗମ ପୀଠରେ ପରିଲିକ୍ଷିତ ହୋଇଥାଏ।

Comments are closed.