ଆଖଣ୍ଡଳମଣିଙ୍କ ପୀଠ, ଗୈାରୀ ବେଶରେ ଜୟଦୁର୍ଗା

ଆରଡି: ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କର ଶନିବାର ପବିତ୍ର ମୂଳାଷ୍ଟମୀ ଠାରୁ ଦଶହରା ପ୍ରର୍ୟ୍ୟନ୍ତ ଷୋଡଶ ଦିବସୀୟ ପୂଜା ଆରମ୍ଭ ହେଉଅଛି। ଏହି ଅବସରରେ ଶନିବାର ଭୋର ମଣିବାବାଙ୍କ ମନ୍ଦିର ଫିଟିବା ପରେ ଦୈନଦିନ ନୀତିକାନ୍ତି ଅନୁଯାୟୀ ମଙ୍ଗଳଆଳତୀ, ମହାସ୍ନାନ ଆଦି ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ପୀଠଦେବୀ ଜୟଦୁର୍ଗାଙ୍କ ପୂଜାମଣ୍ଡପରେ ଦ୍ୱାରଫିଟା, ହଳଦୀପଞ୍ଚାମୃତ ସ୍ନାନ, ଘଟସ୍ଥାପନ, ଦ୍ୱାରପାଳ ପୂଜା, ଆଦି ସରିବା ପରେ ମାଙ୍କୁ ପ୍ରଥମ ଦିନରେ ଗୈାରୀ ବେଶରେ ସଜ୍ଜିତ କରାଯାଇଥିଲା। ସଂଧ୍ୟାରେ ମାଙ୍କୁ ଷୋଡଶ ପୂଜାରେ ଆବାହାନ କରାଯିବା ସହ ରାତ୍ରରେ ଚଣ୍ଡିପାଠ, ରୋଷ -ହୋମ ଆଦି ଅନୁଷ୍ଠିତ ହୋଇଥିଲା। ଏହିପରି ପ୍ରତିଦିନ ମାଙ୍କ ପୂଜା ମଣ୍ଡପରେ ରୀତନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ମାଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯିବ। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି।

Comments are closed.