ଆଖଣ୍ଡଳମଣିଙ୍କ ପୀଠରେ ପୀଠଦେବୀ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା ଆରମ୍ଭ : ଗୌରୀ ବେଶରେ ଦର୍ଶନ ଦେଉଛନ୍ତି “ମା”

ଆରଡି : ପବିତ୍ର ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ପୀଠଦେବୀଙ୍କ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ଷୋଡଶ ଦିବସୀୟ ପୂଜା। ଏହି ଅବସରରେ ପ୍ରସିଦ୍ଧ ଶୈବପୀଠ ଆରଡି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କ ମଣ୍ଡପରେ ରୀତିନୀତି ଅନୁଯାୟୀ ଷୋଡଶପୂଜା ଅନୁଷ୍ଠିତ ହେଉଥିବା ବେଳେ ବୁଧବାର ପ୍ରଥମଦିନରେ ମା ଗୌରୀ ବେଶରେ ଦର୍ଶନ ଦେଇଛନ୍ତି । ମନ୍ଦିରର ନୀତିକାନ୍ତି ଅନୁଯାୟୀ ମାଙ୍କ ନିକଟରେ ମଙ୍ଗଳ ଆଳତୀ, ହଳଦୀ ପଞ୍ଚାମୃତ ସ୍ନାନ, ଜଳାଭିଷେକ ନୀତି ସରିବା ପରେ ମାଙ୍କୁ ନବବସ୍ତ୍ର ସହ ସୁବର୍ଣ୍ଣ ଓ ରୋପ୍ୟ ଅଳଙ୍କାର  ବିଭିନ୍ନ ଫୁଲ, ଚନ୍ଦନ ଆଦି ଲାଗି କରାଯାଇ ଗୌରୀ ବେଶରେ ସଜ୍ଜିତ କରାଯାଇଥିଲା । ପରେ ଘଟସ୍ଥାପନ ନିମନ୍ତେ ସେବାକାରୀଙ୍କ ପକ୍ଷରୁ ଶିବଗଙ୍ଗା ପୁଷ୍କରିଣୀରୁ ଜଳ ଉତ୍ତୋଳନ କରାଯାଇ ସ୍ଥାପନ କରାଯିବା ପରେ ଚଣ୍ଡିପାଠ, ଷୋଡଶ ଉପଚାର ପୂଜା, ହୋମ ନୀତି ଆଦି ଅନୁଷ୍ଠିତ ହେଉଛି ବୋଲି ସେବାକାରୀ କହିଛନ୍ତି । ଚଳିତବର୍ଷ କୋଭିଡ କଟକଣା ବଳବତ୍ତର ରହିଥିବାରୁ କମ ସଂଖ୍ୟକ ସେବାୟତ କୋରନା କଟକଣା ଅବଲମ୍ବନ କରି ନୀତିକାନ୍ତି କରିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.