ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୀପାବଳି ନୀତିକାନ୍ତି ଚୂଡାନ୍ତ : ରାତ୍ର ୧୦ଟାରେ ବିନା ଭକ୍ତରେ ଉଠିବ ମହାଦୀପ

କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହେବ ନୀତିକାନ୍ତି

ଆରଡି : ଆସନ୍ତା ୧୪ରେ ଅର୍ଥାତ ଶନିବାର ପବିତ୍ର ଦୀପାବଳି ଉତ୍ସବ। ଏହି ଅବସରରେ ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ମନ୍ଦିର ଚୂଡାକୁ ଉଠିବ ମହାଦୀପ। ଏଥିପାଇଁ ଗୁରୁବାର ଭଦ୍ରକ ଉପଜିଲାପାଳ ତଥା ମନ୍ଦିରର ଟ୍ରଷ୍ଟି ପିତାମ୍ବର ସାମଲଙ୍କ କାର୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମନ୍ଦିରର ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ଥର ମହାମାରୀ କୋରନା ପାଇଁ କୋଭିଡ କଟକଣା ଜାରି ରହିଥିବାରୁ ବିନାଭକ୍ତରେ ମହାଦୀପ ନୀତି ସମ୍ପନ୍ନ ହେବ ବୋଲି ଜିଲାପାଳ ଡ. ଜ୍ଞାନ ଦାସ ପରାମର୍ଶ ଦେଇଛନ୍ତି। ତାହାସହ ସମସ୍ତ ନୀତିକାନ୍ତି ସୀମିତ ସେବାୟତ ମଧ୍ୟରେ ସମ୍ପନ୍ନ କରାଯିବ ବୋଲି ଉପଜିଲାପାଳ ତଥା ଟ୍ରଷ୍ଟି ଶ୍ରୀ ସାମଲ କହିଛନ୍ତି।

ଏପରିକି ମନ୍ଦିରର ସେବାୟତଙ୍କ ପକ୍ଷରୁ ଦୀପାବଳି ଦିନ ହେବାକୁ ଥିବା ସ୍ବତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି। ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ହେବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସକାଳ ୧୦ଟା ସୁଧା ସରିବା ପରେ ପାଳିଆ ସେବାୟତଙ୍କ ପକ୍ଷରୁ ପହିଲି ଅନ୍ନଭୋଗ ପହଡଖିଆ ନୀତି, ଦିବା୧ଟାରେ ବଡ ଅନ୍ନନୀତି ଭୋଗ, ୨ଟା୩୦ରେ ଅବକାଶ(ଶୟନ) ନୀତି, ଅପରାହ୍ଣ ୪ଟାରେ ବଡସିଂହାର ବେଶ, ସଂଧ୍ୟାରେ ଷୋଡଶ ଉପଚାରରେ ବଡ ଆଳତୀ ସରିବା ପରେ ରାତ୍ର ୯ଟା ମହାଦୀପ ପ୍ରସ୍ତୁତି ଓ ଗୁପ୍ତପୂଜା ସରିବା ପରେ ରାତ୍ର ୧୦ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ଚୂଡାନ୍ତ ହୋଇଛି।

Comments are closed.