୨ଦିନ ହେଲା ଅନ୍ଧାରରେ ରହିଛି ପ୍ରସିଦ୍ଧ ଆଖଣ୍ଡଳମଣି ଶୈବପୀଠ

0

ଆରଡି:ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଗତ ୩୬ବର୍ଷ ତଳେ ଏକ ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଓ ପୀଠକୁ ଆଜି ପର୍ଯ୍ୟନ୍ତ ମିଳି ପାରିଲା ନାହିଁ ସ୍ୱତନ୍ତ୍ର ସୁବିଧା। ଏପରିକି ବିଗତ ଦିନରେ ଯାହା କିଛି ଆଗନ୍ତୁକ ଭକ୍ତମାନଙ୍କ ପାଇଁ ସୁବିଧା ସୁଯୋଗ ରହିଥିଲା ରାଜ୍ୟ ସରକାର ଓ ଜିଲା ପ୍ରଶାସନର ଅଣଦେଖା ଯୋଗୁଁ ତାହା ଏବେ ଭୁଷୁଡି ଯିବାକୁ ବସିଛି। ବିଶେଷକରି ଆଗନ୍ତୁକ ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ମୈାଳିକ ସୁବିଧା ପ୍ରତି ଆଜି ପର୍ଯ୍ୟନ୍ତ କୈାଣସି ଲୋକ ପ୍ରତିନିଧି କିମ୍ବା ଜିଲା ପ୍ରଶାସନ ଦୃଷ୍ଟି ଦେଇନଥିବା କେତେକ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏପରିକି ପୀଠରେ ବସବାସ କରୁଥିବା ଲୋକ ଓ ଆଗନ୍ତୁକ ଭକ୍ତମାନଙ୍କର ଆବଶ୍ୟକତା ଅନୁଯାୟୀ ପାନୀୟଜଳ, ବିଜୁଳି, ପରିମଳ ଓ ସ୍ୱାସ୍ଥ୍ୟସେବା ନଥିବା ପରିଲିକ୍ଷିତ ହୋଇଛି। ସେହିପରି ପୀଠକୁ ସ୍ଥାୟୀ ବିଜୁଳି ସେବା ନଥିବାରୁ ସାମନ୍ୟ ଝଡ-ବର୍ଷା ହେଲେ ୨/୩ଦିନ ପୀଠ ଅନ୍ଧକାର ହୋଇଯାଇଥାଏ। ଗତ ଶନିବାର ଅପରାହ୍ଣରେ ଝଡବର୍ଷା ପ୍ରଭାବରେ ବିଦ୍ୟୁତ ସରାବରାହ ବନ୍ଦ ରହିଥିଲେ ମଧ୍ୟ ରବିବାର ପର୍ଯ୍ୟନ୍ତ ପୀଠ ଅନ୍ଧକାର ହୋଇ ରହିଛି। ତାହାସହ ଭକ୍ତ ପାନୀୟଜଳ ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଆଗନ୍ତୁକ ଭକ୍ତଙ୍କ ସହ ସ୍ଥାନୀୟ ଅଧିବାସୀ। ପୀଠରେ ଥିବା ହାତ ଗଣତିରେ କେତେଗୋଟି ନଳକୂପକୁ ବାଦ୍‍ ଦେଲେ ଅଧିକାଂଶ ନଳକୂପରୁ ଲୁଣା ଓ ଖାରଯୁନ୍ତ ପାଣି ବାହାରୁଥିବାରୁ ତାହା କୈାଣସି କାର୍ଯ୍ୟରେ ଲାଗି ପାରୁନାହିଁ। ଏହି ପୀଠକୁ  ହଜାର-ହଜାର ଭକ୍ତ ଆସୁଥିବା ବେଳେ ବିଭିନ୍ନ ପର୍ବପର୍ବାଣୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ହେଲେ ଆଗନ୍ତୁକ ଭକ୍ତମାନଙ୍କ ପାଇଁ ସାମନ୍ୟ ପରିସ୍ରାଗାରଟିଏ ନଥିବାରୁ ନାହିଁ ନଥିବା ଅସୁବିଧାର ସମୁଖିନ୍ନ ହୋଇଥାନ୍ତି ମହିଳା ଭକ୍ତମାନେ। ଏହି ପୀଠକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଏବେ ଜିଲା ପ୍ରଶାସନ ଅଣ୍ଟା ଭିଡିବା ସହ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛି। ତାହାସହ କେତେକ କାର୍ଯ୍ୟ ପୀଠରେ ଶୁଭାରମ୍ଭ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ପକ୍ଷରୁ ସଠିକ୍‍ ଭାବେ ତଦାରଖ କରାଯାଉନଥିବାରୁ ଉକ୍ତ ଯୋଜନା ଗୁଡିକ ସଫଳ ରୂପରେଖ ନେବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply