୨୦୧୯ ବିଶ୍ବକପରେ ଇଂଲଣ୍ଡଠାରୁ ଭାରତ ଜାଣିଶୁଣି ପରାଜିତ ହୋଇନଥିଲା : ଆକାଶ ଚୋପ୍ରା

ଲଣ୍ଡନ : ୨୦୧୯ ବିଶ୍ବକପରେ ପାକିସ୍ତାନକୁ ନକ୍‌ଆଉଟ୍‌ରେ ଦେଖିବାକୁ ଚାହିଁନଥିଲା ଭାରତ। ଯାହା ଫଳରେ ଇଂଲଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚରେ ଭାରତ ଜାଣିଶୁଣି ପରାଜିତ ହୋଇଥିଲା । ଏଭଳି ଆରୋପ ଓ ପ୍ରତ୍ୟାରୋପ ବିଶ୍ବକପର ଏକବର୍ଷ ବିତିବାକୁ ବସିଥିଲେ ମଧ୍ୟ ଶେଷ ହୋଇନାହିଁ। ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ଭାରତ ପ୍ରତି ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ। ଭାରତ ଜାଣିଶୁଣି ଇଂଲଣ୍ଡ ନିକଟରୁ ଉକ୍ତ ମ୍ୟାଚ ପରାଜିତ ହୋଇନଥିଲା । ଭାରତ ପ୍ରତି ଏଭଳି ଆକ୍ଷେପ ଭାରତୀୟ କ୍ରିକେଟ ପ୍ରତି ଏକ ଷଡଯନ୍ତ୍ର ଭଳି ଲାଗୁଛି ବୋଲି ପୂର୍ବତନ ଭାରତୀୟ ଟେଷ୍ଟ ଓପନର ତଥା ପ୍ରଖ୍ୟାତ ଭାଷ୍ୟକାର ଆକାଶ ଚୋପ୍ରା କହିଛନ୍ତି। ଆକାଶବାଣୀକୁ ସୂଚନା ଦେଇ ଭାଷ୍ୟକାର ଚୋପ୍ରା କହିଛନ୍ତି ଯେ, ବିଶ୍ବକପ​ରେ ଭାରତ ଓ ଇଂଲଣ୍ଡ ମ୍ୟାଚକୁ ଯିଏ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଅନୁଧ୍ୟାନ କରିଥିବ ସେ କେବେ ଭାରତ ଜାଣିଶୁଣି ପରାଜିତ ​ହେବା ନେଇ ମନ୍ତବ୍ୟ ଦେବନାହିଁ। ମ୍ୟାଚ ପରେ ପାକିସ୍ତାନର କିଛି ପୂର୍ବତନ କ୍ରିକେଟର ଭାରତ ଜାଣିଶୁଣି ପରାଜିତ ହୋଇଥିବା ନେଇ ମନ୍ତବ୍ୟ ଦେଇଥିଲେ। ଭାରତର ଖେଳୁଆଡ ମନୋଭାବକୁ ନେଇ ମଧ୍ୟ କିଛି ପାକିସ୍ତାନ କ୍ରିକେଟର ନିନ୍ଦା କରିବା​‌ ସହିତ ଆଇସିସି ଗୁରୁତର ସହିତ ନେବାକୁ ଦାବି କରିଥିଲେ। ଉକ୍ତ ଅଭିଯୋଗର ସେଭଳି କୌଣସି ସତ୍ୟତା ନାହିଁ ବୋଲି ଚୋପ୍ରା କହିଛନ୍ତି। ଉକ୍ତ ମ୍ୟାଚରେ ଭାଷ୍ୟକାର ଭାବେ ଦାୟିତ୍ବ ତୁଲାଉଥିବା ଚୋପ୍ରା କହିଛନ୍ତି ଯେ, ବାଉଣ୍ଡାରୀ ଛୋଟ ରହିଥିବାରୁ ହାଇ ସ୍କୋରିଂ ହୋଇଥିଲା। ଇଂଲଣ୍ଡ ୩୩୭ରନ କରିଥିଲା। ଭାରତ ମଧ୍ୟ ଉକ୍ତ ରନକୁ ପିଛା କରିବାରେ ପ୍ରାରମ୍ଭରୁ ତ୍ରୁଟି କରିନଥିଲା। ଲୋକେଶ ରାହୁଲ ପ୍ରଥମ ଓଭରରେ ଆଉଟ୍‌ ହେବା ପରେ ରୋହିତ ଶର୍ମା ଓ ବିରାଟ କୋହଲି ରନ୍‌କୁ ପିଛା କରି ଚାଲିଥିଲେ। ବିରାଟ ଓ ରୋହିତ ପ୍ରଥମ ୧୦ ଓଭର ଦାୟିତ୍ବର ସହିତ ଖେଳିଥିଲେ। ରୋହିତ ଓ ବିରାଟ ପିଚ୍‌ରେ ରହିବା ପର୍ଯ୍ୟନ୍ତ ଭାରତ ନିକଟରେ ମ୍ୟାଚ ରହିଥିଲା। ଉଭୟ ବ୍ୟାଟ୍ସମ୍ୟାନ ଆଉଟ୍‌ ପରେ ମ୍ୟାଚର ଗତିବିଧି ବଦଳି ଯାଇଥିଲା।

Comments are closed.