ଅଯୋଧ୍ୟାରେ ପହଞ୍ଚିବେ ୨.୫୦ ଲକ୍ଷ ଆରଏସଏସ୍‍ କର୍ମୀ

0

ଅଯୋଧ୍ୟା: ପ୍ରାୟ ୨ ଲକ୍ଷ କର୍ମୀ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି। ସେଥିମଧ୍ୟରୁ ଆରଏସ୍‍ଏସ୍‍ର ୧ ଲକ୍ଷ ଓ ବିଶ୍ୱ ହିନ୍ଦୁ ପରିଷଦର ୧ ଲକ୍ଷ କର୍ମୀ ଓ ୫୦ ହଜାର ଶିବସୈନିକ ଥିବା ଜଣାପଡ଼ିଛି। ମହାଦେବଙ୍କ ବେଶରେ ସଜ୍ଜିତ ହୋଇ ବାହାରିଥିବା ଏହି କର୍ମୀମାନେ ଆସନ୍ତା କାଲି(ରବିବାର) ସୁଦ୍ଧା ଅଯୋଧ୍ୟାରେ ପହଞ୍ଚିବେ। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଧର୍ମ ସଭାରେ ଯୋଗ ଦେବା ଲାଗି ସେମାନେ ଆସୁଥିବା ସ୍ପଷ୍ଟ କରାଯାଇଥିଲେ ହେଁ ରାମମନ୍ଦିର ନିର୍ମାଣ ପ୍ରସଙ୍ଗ ଏବେ ତାଜା ଥିବାରୁ ଅନ୍ୟ ରାଜନୈତିକ ଦଳମାନେ ଏହି ସମାବେଶକୁ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ କରିଛନ୍ତି।

ସୁରକ୍ଷା ବ୍ୟବସ୍ଥା

ବିଜେପି କର୍ମୀମାନେ କିଛି ବି ଅଘଟଣ ଘଟାଇବାର ଆଶଙ୍କା ରହିଛି ଏବଂ ସେଥିପାଇଁ ସେନା ମୁତୟନ କରିବାକୁ ସପା ସୁପ୍ରିମୋ ତଥା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ହିନ୍ଦୁ ସଂଗଠନର ବିପୁଳ ସଦସ୍ୟ ଏକତ୍ରିତ ହେଉଥିବାରୁ ସେଠାରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପ୍ରତି ବିପଦ ଆଶଙ୍କା ଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଏଭଳି ଅଭିଯୋଗ ଭିତ୍ତିହୀନ ଓ ରାମମନ୍ଦିର ନିର୍ମାଣ ଲକ୍ଷ୍ୟରୁ ହିନ୍ଦୁ ସଂଗଠନକୁ ଦୂରେଇବାକୁ ଏଭଳି ଅପବାଦ ରଚନା କରାଯାଇଥିବା ଭିଏଚ୍‍ପି ପକ୍ଷରୁ କୁହାଯାଇଛି। ସଂଖ୍ୟା ଲଘୁଥିବା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସହରର ବିଭିନ୍ନ ସମ୍ବେଦଶୀଳ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଏଡିଜି ଆଶୁତୋଷ ପାଣ୍ଡେ ଓ ଆଇ ଏସ୍‍ ଏସ୍‍ ବାଘେଲ୍‍ଙ୍କ ନେତୃତ୍ୱରେ ଅର୍ଦ୍ଧସେନାବାହିନୀ, ରାଜ୍ୟ ପୁଲିସର ବିଭିନ୍ନ ଟିମ୍‍ ସହରର ବିଭିନ୍ନ ଅଞ୍ଚଳରେ ପହଞ୍ଚିଛନ୍ତି। ଗୁଇନ୍ଦା ବିଭାଗ ଅଧିକାରୀମାନେ ସତର୍କ ଓ ସଜାଗ ଦୃଷ୍ଟି ରଖିଛନ୍ତି। ୧୬୦ ଜଣ ଇନ୍ସପେକ୍ଟର, ୭୦୦ କନଷ୍ଟେବଳ, ୪୨ କମ୍ପାନୀ ପ୍ରୋଭିନ୍ସିଆଲ୍‍ ଆର୍ମଡ୍‍ କନଷ୍ଟେବଲାରୀ, ୫ କମ୍ପାନୀ ଆଣ୍ଟି ଟେରରିଜିମ୍‍ ସ୍କ୍ୱାଡ୍‍ କମାଣ୍ଡୋ ସହିତ ଡ୍ରୋନ୍‍ କ୍ୟାମେରା ମୁତୟନ କରାଯାଇଛି। ସମଗ୍ର ସହରକୁ ୮ଟି ଜୋନ୍‍ ଓ ୧୬ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟର ପାଇଁ ଜଣେ ଜଣେ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଓ କ୍ଷମତା ଦିଆଯାଇଛି। ଅପରପକ୍ଷରେ କର୍ମୀମାନଙ୍କ ଶୃଙ୍ଖଳା ସେମାନଙ୍କ ଦାୟିତ୍ୱ ବୋଲି ଶିବସେନା ଓ ଭିଏଚ୍‍ପି ପକ୍ଷରୁ କୁହାଯାଇଛି।

ଅଭୂତପୂର୍ବ ଆୟୋଜନ

କରସେବକପୁରମ୍‍ରେ ରବିବାର ଅପରାହ୍ଣ ୨ଟାରେ ସଭା ଆରମ୍ଭ ହେବ। ଏଥିପାଇଁ ୮୦ ହଜାର କରସେବକଙ୍କୁ ନେଇ ୧୩୨୨ଟି ବସ୍‍ ଓ ୧୫୪୬ଟି ଚାରିଚକିଆ ଯାନ ସହରକୁ ଆସୁଛି। ଏଥିସହିତ ୧୫ ହଜାର କର୍ମୀ ଟ୍ରେନ୍‍ରେ ଓ ୧୪ ହଜାର କର୍ମୀ ମୋଟରସାଇକଲ୍‍ରେ ଆସୁଛନ୍ତି। ଥାନେରୁ ୫ଟି ସ୍ୱତନ୍ତ୍ର ଟ୍ରେନ୍‍ରେ ୨୨ ଜଣ ଶିବସେନା ସାଂସଦ ଓ ୬୨ ଜଣ ବିଧାୟକଙ୍କ ନେତୃତ୍ୱରେ ପ୍ରାୟ ୪ ହଜାର ଶିବସୈନିକଙ୍କ ଆସୁଛନ୍ତି। ଏଥିପାଇଁ ସହରର ସବୁ ହୋଟେଲ୍‍ ମାସକୁ ପୂର୍ବରୁ ବୁକ୍‍ ହୋଇସାରିଛି। ଉଦ୍ଧବଙ୍କ ଦୁଇ ପୁଅ ସ୍ୱତନ୍ତ୍ର ବିମାନରେ ପହଞ୍ଚିବେ। ସରଯୁ ନଦୀ କୂଳରେ ଉଦ୍ଧଭ ଠାକ୍‍ରେ ରବିବାର ସନ୍ଧ୍ୟା ଆରତି କରିବେ। ଏହାପରେ ସେ ରାମଜନ୍ମଭୂମି ଦର୍ଶନ କରିବା ପରେ ଅପରାହ୍ଣରେ ମୁମ୍ବଇ ବାହୁଡ଼ି ଯିବେ। ଶିବ ସେନା ପକ୍ଷରୁ ‘ପ୍ରଥମେ ମନ୍ଦିର ତା’ ପରେ ସରକାର’ ନାରା ଦିଆଯାଉଥିବା ବେଳେ ଭିଏଚ୍‍ପି କର୍ମୀମାନେ ‘ସେଠାରେ ହିଁ ମନ୍ଦିର ହେବ, ମନ୍ଦିର ଶୀଘ୍ର ହେବ’ ସ୍ଲୋଗାନ ଦେଉଛନ୍ତି। କର୍ମୀ ଓ ସେବକଙ୍କ ଲାଗି ପ୍ରାୟ ୩ ଲକ୍ଷ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରାଯାଇଥିବା ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇଛି। ରାମମନ୍ଦିର ନିର୍ମାଣ ପୂର୍ବରୁ ଏହା ଶେଷ ଧର୍ମସଭା ବୋଲି ଆରଏସ୍‍ଏସ୍‍ ପକ୍ଷରୁ କୁହାଯାଉଛି।

Leave A Reply