ଅଭୁଲା ଅତୀତ: ଅଯୋଧ୍ୟା ଯାଇଥିଲେ ୫ ଭକ୍ତ, ଫେରିଥିଲେ ୪

ଟିଟିଲାଗଡ଼: ସମଗ୍ର ବିଶ୍ୱର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀରାମଙ୍କ ପୁଣ୍ୟ ଜନ୍ମଭୁଇଁ ଅଯୋଧ୍ୟାରେ ଆଜି ରାମ ମନ୍ଦିରର ଭୁମୀ ପୂଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ବିଶ୍ୱସାରା ଶ୍ରୀରାମଙ୍କ ଭକ୍ତଙ୍କ ମଧ୍ୟରେ ଏନେଇ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି। ଟିଟିଲାଗଡ ଅଂଚଳରେ ଭକ୍ତ ଘରେ ଘରେ ଦୀପ ଜାଳି ଶ୍ରୀରାମ ତଥା ହନୁମାନଙ୍କ ଆରାଧନା କରିଛନ୍ତି। ଏ ପରିପ୍ରେକ୍ଷୀରେ ୧୯୯୦ ନଭେମ୍ବର ୨ରେ ଅଯୋଧ୍ୟାରେ କର ସେବାରେ ଯୋଗଦେଇ ଅଲ୍ପକେ ମୃତ୍ୟୁ ମୁଖରୁ ବର୍ତି ଫେରିଥିବା ଟିଟିଲାଗଡ ଅଂଚଳର ଚାରି ଜଣ ଭକ୍ତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ସେ ସମୟର ଯୁବକ ତଥା ସମ୍ପ୍ରତି ଟିଟିଲାଗଡ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସାଧୁ ପାଣିଗ୍ରାହୀ, ତତ୍କାଳିନ ବଲାଙ୍ଗିର ଜିଲା କାରସେବା ପ୍ରମୁଖ ତଥା ତହସିଲ ଅଫିସର ବରିଷ୍ଠ କିରାଣୀ ଟିକେଲାଲ ବେହେରା, ସମ୍ପ୍ରାଟ ହୋଟେଲ ମାଲିକ ସୁର୍ଯ୍ୟନାରାୟଣ ପଟ୍ଟନାୟକ, ସନସାଇନ ଟେଲର ମାଲିକ ଶେଷଦେବ ମେହେର କର ସେବାରେ ଯୋଗ ଦେଇଥିବା ବେଳେ ଜୀବନ ବଂଚାଇ ଫେରିବାକୁ କିଭଳି ସକ୍ଷମ ହେଲେ ସେ ନେଇ ୩୦ ବର୍ଷ ତଳର ତାଙ୍କ ଲୋମଟାଙ୍କୁରା ଅନୁଭୁତି ବର୍ଣ୍ଣନା କରିଛନ୍ତି।

୧୯୯୦ ଅକ୍ଟୋବର ୧୯ରେ ଜଣେ ସନ୍ଥଙ୍କ ସମେତ ଏଠାରୁ ଟ୍ରେନ ଯୋଗେ ପାଂଚ ଜଣ କର ସେବା ପାଇଁ ଅଯୋଧ୍ୟା ଅଭିମୁଖେ ବାହାରିଥିଲେ। ତତ୍କାଳିନ ଉତରପ୍ରଦେଶ ସରକାରଙ୍କ କର ସେବା ନେଇ କଟକଣା ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ଅଯୋଧ୍ୟାକୁ ପ୍ରବେଶ ଅସାଧ୍ୟ ହୋଇପଡିଥିଲା। ଏନେଇ ବାରାଣସୀରୁ ପ୍ରାୟ ଚାରି ଶହରୁ ଊର୍ଦ୍ଧ୍ବ କିଲୋମିଟର ଗାଁଗଣ୍ଡା, ବିଳନଦୀ ପାର ହୋଇ ଟିଟିଲାଗଡର ଏହି ଚାରିଜଣ କର ସେବକ ଅନ୍ୟମାନଙ୍କ ପରି ଅଯୋଧ୍ୟାରେ ପହଂଚିଥିଲେ। ନଭେମ୍ବର ୨ରେ ସକାଳ ୯ଟାରୁ ମନ୍ଦିର ମୁହାଁ ଭକ୍ତଙ୍କୁ ବିଭିନ୍ନ ସ୍ଥାନରୁ ପୁଲିସ ଉଠାଇ ନେଉଥିଲା। ଜୀବନ ପ୍ରତି ବିପଦ ରହିଥିବା ସମସ୍ତେ ଜାଣିଥିଲେ ହେଲେ ଜୟ ଶ୍ରୀରାମ ନାଦ ସହ ଉତ୍ସାହ କାହାରି କମ ନଥିଲା ବୋଲି ସାଧୁ ପାଣିଗ୍ରାହୀ କହିଛନ୍ତି।

ପ୍ରାୟ ପୁର୍ବାହ୍ନରୁ ପ୍ରବଳ ଲାଠି ମାଡ, ଲୁହବୁହା ଗ୍ୟାସ, ଗୁଳି ମାଡ ଆରମ୍ଭ ହୋଇଯାଇଥିଲା। ଦିନ ପ୍ରାୟ ୧ଟା ସମୟରେ ତାଙ୍କ ଦେହରେ ଦୁଇଟି ଗୁଳି ବାଜିବା ପରେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ସାଧୁ ପାଣିଗ୍ରାହୀ। ବହୁୁ ଦିନ ପରେ ଫୈଜାବାଦ ଡାକ୍ତରଖାନାରେ ତାଙ୍କ ଆଖି ଖୋଲିଥିଲା। ଭକ୍ତ ସୁର୍ଯ୍ୟନାରାୟଣ, ଟିକେଲାଲ, ଶେଷଦେବ ପ୍ରବଳ ଲାଠି ମାଡ ଖାଇଥିଲେ। ଅବସ୍ଥା ଏମିତି ହୋଇଥିଲା ଯେ ଯୁଆଡେ ଦେଖିଲେ ଆର୍ତ ଚିକ୍ତାର ଏବଂ କୁଢ କୁଢ ଶବର ବିଭତ୍ସ ଦୃଶ୍ୟ ବ୍ୟଥିତ କରିଥିବା ଶେଷଦେବ କହନ୍ତି। ଶବ ଗଦା ମଧ୍ୟରେ ନିଜ ସାଥି ସାଧୁ ଏବଂ ସୂର୍ଯ୍ୟନାରାୟଣଙ୍କୁ ଟିକେଲାଲ ଏବଂ ଶେଷଦେବ ଖୋଜି ଚାଲିଥିଲେ। ପରେ ଲାଠି ମାଡରେ ଟିକେଲାଲ ସଂଜ୍ଞାହୀନ ହୋଇ ପଡିଥିଲେ।

ସୂର୍ଯ୍ୟନାରାୟଣ ପ୍ରାୟ ଅଢେଇ ମାସ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ସେ ମରି ଯାଇଥିବେ ଭାବି ଘର ଲୋକେ ନିଶ୍ଚିତ ସହ କାନ୍ଦ ବୋବାଲି ପଡିଯାଇଥିବା ପୁଅ ନିରୋଜ କହନ୍ତି। ତେବେ ସୂର୍ଯ୍ୟନାରାୟଣଙ୍କୁ ସେଠାକାର ପୁଲିସ ଗିରଫ କରିନେଇଥିବା ସେ ଫେରିବା ପରେ ଜଣାପଡିଥିଲା। ଏଭଳି ଯିଏ ଜୁଆଡେ ବିଛୁଡି ଯାଇଥିବା ବେଳେ ଟିଟିଲାଗଡରୁ ଏହି ଦଳକୁ ନେଇ ଯାଇଥିବା ଜନୈକ ସନ୍ଥ ଆଉ କେବେ ଫେରିନଥିଲେ କିମ୍ବା ଅଦ୍ୟାବଧି ତାଙ୍କ ଖୋଜଖବର ମିଳୁନଥିବା ସୂର୍ଯ୍ୟନାରାୟଣ କହନ୍ତି। ଅନ୍ୟପକ୍ଷରେ କନ୍ଧମାଳ ଚକାପାଦ ଆଶ୍ରମର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହାୟତା ନେଇ ଗୁଳି ମାଡ ଖାଇଥିବା ସାଧୁଙ୍କୁ ଜୀବିତ ଅବସ୍ଥାରେ ଘରକୁ ଫେରାଇ ଆଣିବାରେ ସେ ସକ୍ଷମ ହୋଇଥିବା ଶେଷଦେବ କହନ୍ତି।

ଆଜି ଦୀର୍ଘ ୩୦ ବର୍ଷ ପରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଆରମ୍ଭ ହେଉଥିବା ନେଇ ସେମାନଙ୍କ ଲହୁଲୁହ ସାର୍ଥକ ହେଲା ବୋଲି ନିଜକୁ ଧନ୍ୟ ମଣୁଥିବା ଚାରି ଭକ୍ତ କହିଛନ୍ତି। ଏହି ଚାରି କରସେବକଙ୍କୁ ନେଇ ଟିଟିଲାଗଡ ମାଟି ଆଜି ଗର୍ବିତ ବୋଲି ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି। ଆଜି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଚାରି କରସେବକ ନିଜ ନିଜ ଘରେ ଶ୍ରୀରାମଙ୍କ ବିଶେଷ ପୂଜାର୍ଚ୍ଚନା କରିଥିବା ବେଳେ ପୁର୍ବ ସ୍ମୃତିକୁ ପୁଣି ଥରେ ଫେରିଯିବା ପରି ଅନୁଭୁତ ହେଉଥିବା କହିଛନ୍ତି।

Comments are closed.