ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ : ୩୦ରେ ଶପଥ

ମୁମ୍ବଇ : ମହାରାଷ୍ଟ୍ର ମହାନାଟକର ପ୍ରାୟ ଏକମାସ ପରେ ଅଜିତ ପୱାର ପୁଣି ଥରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ ଏନସିପି ନେତା ଅଜିତ ପୁନର୍ବାର ଉପମୁଖ୍ୟମନ୍ତ୍ରୀ ହେବା ଚୂଡାନ୍ତ ହୋଇଛି। ଡିସେମ୍ବର ୩୦ରେ ସେ ଶପଥ ଗ୍ରହଣ କରିବେ। ଏହି ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ କ୍ୟାବିନେଟ ସମ୍ପ୍ରସାରଣ କରିବେ। ଶିବସେନା-ଏନସିପି-କଂଗ୍ରେସ ମହାବିକାଶ ଅଘାଡି ସରକାରରେ ଏନସିପିକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବାକୁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ ଏନସିପି ମୁଖ୍ୟ ଶରଦ ପୱାରଙ୍କ ପୁତୁରା ଅଜିତଙ୍କୁ ଏହି ପଦ ମିଳିବାକୁ ଯାଉଛି। ମହାରାଷ୍ଟ୍ର ମହାନାଟକ ସମୟରେ ଅଜିତ ବିଜେପି ସହିତ ହାତ ମିଶାଇ ରାତି ଅଧିଆ ସରକାର ଗଠନ କରିଥିଲେ। ଦେବେନ୍ଦ୍ର ଫଡନବିସଙ୍କ ନେତୃତ୍ବରେ ଗଠିତ ଦୁଇଦିନିଆ ସରକାରରେ ଅଜିତ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଏନସିପିର ସମର୍ଥନ ନ ମିଳିବାରୁ ଦେବେନ୍ଦ୍ର ଫଡନବିସ ଇସ୍ତଫା ଦେଇଥିଲେ ଓ ସରକାରର ପତନ ହୋଇଥିଲା।

Comments are closed.