କ୍ରିକେଟ୍‍ ପଡ଼ିଆର କପ୍ତାନ ଭଳି କଠୋର ନିଷ୍ପତ୍ତି ନିଅନ୍ତୁ ଇମ୍ରାନ୍‍: ଆଝାରୁଦ୍ଦିନ

0

ହାଇଦ୍ରାବାଦ୍‍: କ୍ରିକେଟ୍‍ ପଡ଼ିଆର କପ୍ତାନ ଭଳି କଠୋର ନିଷ୍ପତ୍ତି ନିଅନ୍ତୁ। ପାକିସ୍ତାନର ଶାସନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଇମ୍ରାନ୍‍ ଖାନ୍‍ଙ୍କୁ ଏହି ପରାମର୍ଶ ଦେଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ କପ୍ତାନ ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ୍‍।
ସଦ୍ୟ ସମାପ୍ତ ପାକିସ୍ତାନ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଇମ୍ରାନ୍‍ ଖାନ୍‍ଙ୍କ ପିଟିଆଇ ଦଳ ଉଭା ହୋଇଥିଲେ ମଧ୍ୟ ସରକାର ଗଢ଼ିବାକୁ ବହୁମତ ହାସଲ କରିପାରିନାହିଁ। ତେଣୁ କିଛି ଛୋଟ ଦଳ ସହିତ ମିଶି ସରକାର ଗଢ଼ିବାକୁ ଯାଉଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ବିଶ୍ୱ କପ୍‍ ବିଜେତା ଦଳର କପ୍ତାନ ଇମ୍ରାନ୍‍ ଖାନ୍‍।
ଇମ୍ରାନ୍‍ ଖାନ୍‍ ଓ ମହମ୍ମଦ ଆଝାରୁଦ୍ଦିନ ପ୍ରାୟ ତିନି ଦଶକ ତଳେ କ୍ରିକେଟ୍‍ ପଡ଼ିଆରେ ମୁହାଁମୁହିଁ ହୋଇଥିଲେ। ଆଝାରୁଦ୍ଦିନ କହିଛନ୍ତି ଯେ କ୍ରିକେଟ ପଡ଼ିଆରେ ଜଣେ କପ୍ତାନ ଭାବରେ ଇମ୍ରାନ ସବୁବେଳେ କଠୋର, ସକାରାତ୍ମକ ଓ ବ୍ୟକ୍ତିଗତ ନିଷ୍ପତ୍ତି ନେଉଥିଲେ। ପାକିସ୍ତାନରେ ଥିବା ବହୁ ସମସ୍ୟାର ସମାଧାନ ପାଇଁ ଇମ୍ରାନ୍‍ ଖାନ୍‍ ସେଭଳି କଠୋର ନିଷ୍ପତ୍ତି ନେବା ଉଚିତ ବୋଲି ଆଝାରୁଦ୍ଦିନ କହିଛନ୍ତି। ଭାରତ ସହିତ ପାକ୍‍ କଥାବାର୍ତ୍ତା ସମ୍ପର୍କରେ ଆଝାରୁଦ୍ଦିନ କହିଛନ୍ତି ଯେ ଏଥିପାଇଁ ଅନେକ ପ୍ରତିବନ୍ଧକ ରହିଛି। ସେହି ସବୁ ପ୍ରତିବନ୍ଧକ ହଟିଲେ ଯାଇ ଭାରତ ପାକ୍‍ ଆଲୋଚନା ସକାରାତ୍ମକ ହୋଇପାରିବ।

Leave A Reply