ରାପର୍‌ ସାଜିଲେ ଅଜୟ

ମୁମ୍ବାଇ: ବଲିଉଡ଼ ଅଭିନେତା ଅଜୟ ଦେବଗନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରନୱେ ୩୪’କୁ ନେଇ ଚର୍ଚ୍ଚାରେ। ଫିଲ୍ମରେ ଅଭିନୟ କରିବା ସହ ସେ ଏହାର ନିର୍ଦେଶନା ମଧ୍ୟ ଦେଇଛନ୍ତି। ଆଉ ଏବେ ସେ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ରାପର୍ ସାଜିଛନ୍ତି। ସେ ‘ରସୋଡେ ମେଁ କୌନ ଥା’ ସଂଳାପରୁ ଗୀତ ତିଆରି କରିଥିବା ୟଶରାଜ ମୁଖାଟେଙ୍କ ସହ ଫିଲ୍ମ ପାଇଁ ଏକ ରାପ୍‌ ତିଆରି କରିଛନ୍ତି। ଏହାର ନାମ ‘ଜଲାୟା ତୋ ନେହିଁ ନା’ ଓ ଏଥିରେ ଅଜୟଙ୍କ ସଂଳାପ ମଧ୍ୟ ରହିଛି।

ୟଶରାଜ ମୁଖାଟେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଶେୟାର କରି ଲେଖିଛନ୍ତି ଯେ, ‘‘ଏହା ଅତ୍ୟନ୍ତ ମଜାଳିଆ ଥିଲା। ଅଜୟ ଦେବଗନ ସାର୍‌ ପ୍ରଥମ ଥର ପାଇଁ ମୁଁ ତିଆରି କରିଥିବା ଏକ ଟ୍ରାକରେ ରାପ୍‌ କରୁଛନ୍ତି। କ’ଣ ଏହା ହୋସ୍‌ ଉଡ଼ାଇବା ଭଳି କଥା ନୁହେଁ।’’ ୟଶରାଜଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି।

ଭିଡିଓରେ ଅଜୟ ଦେବଗନ୍ ୟଶରାଜଙ୍କୁ ‘ରନୱେ ୩୪’ ପାଇଁ ଏକ ଟ୍ରାକ୍ ତିଆରି କରିବାକୁ କହୁଛନ୍ତି। ଏହା ଉପରେ ୟଶରାଜ କହୁଛନ୍ତି ଯେ, ଠିକ ଅଛି ସାର୍, ଆମେ ଏଥିରେ ସଂଳାପ ନେବା ଏବଂ ଲୋକମାନେ ଏହା ଉପରେ ରିଲ୍ କରିବେ। ଏହାପରେ ଅଜୟ କହୁଛନ୍ତି, ଏହା ଏକ ରୋମାଞ୍ଚକର ଚଳଚ୍ଚିତ୍ର, ତେଣୁ ମୁଁ ଯେମିତି କହୁଛି ସେମିତି କର। ୟଶରାଜ ଏହା ଉପରେ ଏକ ଗୀତ ତିଆରି କରୁଛନ୍ତି ଏବଂ ଏଥିରେ ଅଜୟଙ୍କ ‘ଜଲାୟା ତୋ ନେହିଁ ନା’ ସଂଳାପ ବ୍ୟବହାର କରୁଛନ୍ତି। ଏଥିରେ ଅଜୟଙ୍କ ଅନ୍ଦାଜକୁ ଲୋକେ ପସନ୍ଦ କରିଛନ୍ତି।

ସୂଚନାଯୋଗ୍ୟ, ‘ରନୱେ ୩୪’ ୨୦୧୫ରେ ହୋଇଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥି​‌ରେ ଅମିତାଭ ବଚ୍ଚନ, ବୋମନ ଇରାନୀ, ରକୁଲ ପ୍ରୀତ ସିଂହ, ଆକାଂକ୍ଷା ସିଂହ ଓ ୟୁଟ୍ୟୁବର କ୍ୟାରୀ ମିନାଟେ ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଅଜୟ ଦେବଗନ ଏହା ପ୍ରଯୋଜନା ଭାର ବହନ କରିବା ସହ ନିର୍ଦେଶନା ମଧ୍ୟ ଦେଇଛନ୍ତି। ‘ରନୱେ ୩୪’ ଏପ୍ରିଲ ୨୯ ତାରିଖରେ ପ୍ରେକ୍ଷାଳୟକୁ ଆସିବ।

Comments are closed.