ଗୁଜୁରାଟ୍‍ ସାବରମତୀ ଆଶ୍ରମରେ ଆରମ୍ଭ ହେଲା ଆଜାଦି କି ଅମୃତ ମହୋତ୍ସବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ସ୍ଥିତ ସାବରମତୀ ଆଶ୍ରମରେ ପହଞ୍ଚି ମହାତ୍ମାଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେଠାରେ ସେ ପରିଦର୍ଶକ ପୁସ୍ତିକାରେ ନିଜର ଅଭିମତ ଲେଖିଛନ୍ତି। ତାଙ୍କ ସହିତ ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସେଠାକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ‘ଆଜାଦି କି ଅମୃତ ମହୋତ୍ସବ’ର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଦେଶର ସମସ୍ତ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଏବଂ ଦେଶକୁ ନେତୃତ୍ୱ ଦେଇଥିବା ଏସମସ୍ତ ମହାନ ବ୍ୟକ୍ତିତ୍ୱଙ୍କ ପାଦତଳେ ପ୍ରଣାମ କରୁଛି। ସେ କହିଛନ୍ତି ଯେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ୫ଟି ସ୍ତମ୍ଭ ରଖାଯାଇଛି। ସେଗୁଡିକ ହେଉଛି ଭାରତ ସ୍ୱାଧୀନତା ସଂଗ୍ରାମ, ୭୫ ବର୍ଷର ଚିନ୍ତାଧାର, ୭୫ ବର୍ଷର ସଫଳତା, ୭୫ତମ ବର୍ଷର କାର୍ଯ୍ୟକ୍ରମ ଓ ୭୫ ବର୍ଷର ସଂକଳ୍ପ। ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମ ସହିତ ଏହି ପାଞ୍ଚଟି ସ୍ତମ୍ଭ ସ୍ୱାଧୀନ ଭାରତର ସ୍ୱପ୍ନ ଏବଂ କର୍ତ୍ତବ୍ୟକୁ ଦେଶ ସାମ୍ନାରେ ରଖି ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ। ସେ କହିଛନ୍ତି ଯେ ଏହି ମହୋତ୍ସବର ଅର୍ଥ ହେଉଛି, ସ୍ୱାଧୀନତାର ଅମୃତ ମହୋତ୍ସବ ଯାହା ସ୍ୱାଧୀନତା ସଂଗ୍ରାମୀମାନଙ୍କଠାରୁ ମିଳିଥିବା ପ୍ରେରଣାର ଫଳ। ସ୍ୱାଧୀନତାର ଅମୃତ ମହୋତ୍ସବ ଅର୍ଥାତ୍ ଆତ୍ମନିର୍ଭରଶୀଳତାର ଫଳ ବୋଲି ମୋଦୀ କହିଛନ୍ତି।

ଦେଶବ୍ୟାପୀ ଏହି ମହୋତ୍ସବ ପ୍ରଚାର ଓ ପ୍ରସାର କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଶୀର୍ଷକ ଉପରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହିତ ମିଳିତ ଭାବେ ଦେଶବ୍ୟାପୀ ପ୍ରଦର୍ଶନୀ ଆୟୋଜିତ କରାଯିବାପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ସ୍ୱାଧୀନତାର ସଂଗ୍ରାମ ତଥା ଅସହଯୋଗ ଆନ୍ଦୋଳନ, ଭାରତ ଛାଡ ଆନ୍ଦୋଳନ, ଦାଣ୍ଡି ଯାତ୍ରା ଘଟଣା ସମ୍ପର୍କୀତ ଚିତ୍ର ଓ ଜାତିର ଜନକ ମହାତ୍ମାଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଭଳି ବିଶିଷ୍ଟ ନେତୃବୃନ୍ଦଙ୍କ ତ୍ୟାଗ, ସାହସ ଓ ଜୀବନଦର୍ଶ ଉପରେ ଆଧାରିତ ତଥ୍ୟାବଳୀ ପ୍ରଦର୍ଶିତ ହେବ।

ଆଜି ସାବରମତୀ ଆଶ୍ରମରୁ ଏକ ପଦଯାତ୍ରାକୁ ମଧ୍ୟ ପତାକା ଦେଖାଇ ଉଦ୍‍ଘାଟନ କରିଛନ୍ତି। ଏହି ପଦଯାତ୍ରାରେ ୮୧ ଜଣ ପଦଯାତ୍ରୀ ସାବରମତୀ ଆଶ୍ରମରୁ ନବସାରୀସ୍ଥିତ ଦାଣ୍ଡି ମଧ୍ୟରେ ୨୪୧ ମାଇଲ୍‍ ଯାତ୍ରା କରି ୨୫ ଦିନ ପରେ ଏପ୍ରିଲ୍‍ ମାସ ୫ ତାରିଖରେ ସେଠାରେ ପହଞ୍ଚିବେ। ଏହି ସ୍ୱାଧୀନତା ଯାତ୍ରାରେ ସମାଜର ବିଭିନ୍ନ ବର୍ଗର ଲୋକ ରାସ୍ତାରେ ଯୋଗ ଦେବେ। ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ୍‍ ପ୍ରଥମ ୭୫ କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରାର ନେତୃତ୍ୱ ନେବେ। ଏହି ଯାତ୍ରାକାଳରେ ପଦଯାତ୍ରୀମାନେ ବିଭିନ୍ନ ସ୍ଥାନରେ ରାତ୍ରିକାଳୀନ ବିଶ୍ରାମ ନେବେ ଏବଂ ପରବର୍ତ୍ତୀ ଦିନ ସକାଳୁ ପୁଣି ଯାତ୍ରା ଆରମ୍ଭ କରିବେ। ଆଜିର ଦିନଟି ଐତିହାସିକ ଦାଣ୍ଡିଯାତ୍ରାର ସ୍ମୃତି ବହନ କରେ। ୧୯୩୦ ମସିହା ଆଜିର ଦିନରେ ମହାତ୍ମାଗାନ୍ଧି ୮୧ ଜଣ ପଦଯାତ୍ରୀଙ୍କୁ ଧରି ଲବଣ ଆଇନ ଭଙ୍ଗ କରିବାକୁ ଦାଣ୍ଡିଯାତ୍ରା କରିଥିଲେ। ଆଜି ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ ବିଭିନ୍ନ ଯୋଜନାର ମଧ୍ୟ ସେଠାରେ ଶୁଭାରମ୍ଭ କରିବେ।

Comments are closed.