ବିମାନବନ୍ଦରରେ ଦୁଇ ଯାତ୍ରୀଙ୍କଠାରୁ ୩୧.୫୪ ଲକ୍ଷ ଟଙ୍କାର ସୁନା ଜବତ

0

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରବିବାର ଦୁଇ ଜଣ ଯାତ୍ରୀଙ୍କଠାରୁ ୩୧,୫୪ ଲକ୍ଷ ଟଙ୍କାରୁ ଅଧିକର ସୁନା ଅଳଙ୍କାର ଜବତ ହୋଇଛି। ଗୁଇନ୍ଦା ସୂଚନାକୁ ଆଧାର କରି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ କାର୍ଯ୍ୟରତ ସୀମାଶୁଳ୍କ ବିଭାଗର ଅଧିକାରୀମାନେ ଦୁଇ ଜଣ ଯାତ୍ରୀଙ୍କଠାରୁ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛନ୍ତି। ଦୁଇ ଜଣଙ୍କଠାରୁ ଦୁଇଟି ସୁନା ଚେନ୍‌, ଲକେଟ୍‌ ଓ ଏକ ସୁନା ପଞ୍ଜାବୀ କଡ଼ା ଜବତ କରାଯାଇଛି। ଏନେଇ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି। ଜଣେ ଯାତ୍ରୀଙ୍କ ଘର ନୂଆଦିଲ୍ଲୀ ହୋଇଥବା ବେଳେ ଅନ୍ୟ ଜଣେ ଯାତ୍ରୀଙ୍କ ଘର ଜଗତସିଂହପୁର। ପ୍ରଥମ ଥର ଲାଗି ଓଡ଼ିଶାର ଜଣେ ଯାତ୍ରୀ ସୁନା ଚୋରା କାରବାର ଘଟଣାରେ ଧରାପଡିଛି। ଏହି ଯାତ୍ରୀ ଜଣକ ଦୁବାଇରୁ ଏୟାର ଇଣ୍ଡିଆ ବିମାନ ଏଆଇ-୦୭୭ରେ ଦୁବାଇରୁ ଆସିଥିଲେ। ସେହିପରି ଅନ୍ୟ ଯାତ୍ରୀ ଜଣକ ବ୍ୟାଙ୍କକ୍‌ରୁ ଏୟାର ଇଣ୍ଡିଆର ଏଆଇ-୩୩୯ ବିମାନରେ ଆସିଥିଲେ। ସେମାନଙ୍କର ବ୍ୟାଗ୍‌କୁ ଯାଞ୍ଚ କରାଯିବାବେଳେ ସୁନା ଚେନ୍‌ ଓ କଡ଼ା ମିଳିଥିଲା। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସୀମାଶୁଳ୍କ ବିଭାଗର ଅଧିକାରୀମାନେ ନିରବଚ୍ଛିନ୍ନ ଭାବେ ସୁନା ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରା ଚାଲାଣ ଉପରେ ନଜର ରଖିଛନ୍ତି। ସୀମାଶୁଳ୍କ ଅଧିକାରୀମାନେ ଠିକ୍‌ ଗୁଇନ୍ଦା ସୂଚନା ପାଉଥିବାରୁ ଏହାକୁ ଭିତ୍ତିକରି ଯାଞ୍ଚ କରିବାରୁ ସଫଳତା ପାଉଛନ୍ତି ବୋଲି ବିମାନବନ୍ଦର ସୀମାଶୁଳ୍କ ବିଭାଗର ସହକାରୀ ଆୟୋଗ ଶଶିଭୂଷଣ ସୂଚନା ଦେଇଛନ୍ତି। ଗତ ୧୦ ଦିନ ମଧ୍ୟରେ ବିମାନବନ୍ଦରରେ ୪ ଥରରେ ୫ ଜଣଙ୍କ ବିରୋଧରେ ସୁନା ଚୋରାଚାଲାଣ ନେଇ ମାମଲା ରୁଜୁ କରାଯାଇଥିବା ସେ କହିଛନ୍ତି।

Leave A Reply