ଖିଆଲୀ ମଣିଷ: ଘର ୭୨୭ ବୋଇଂ ବିମାନ, ଜଙ୍ଗଲରେ ବାସ

ୱାଶିଂଟନ:  ରହିବା ପାଇଁ ଲୋକମାନେ ଘର ତିଆରି କରନ୍ତି । ହେଲେ କିଛି ଅଜବ ଖିଆଲର ଲୋକ ଅଛନ୍ତି ଯେଉଁମାନେ ନିଜର ଆବାସକୁ ଭିନ୍ନ ଭାବରେ ପ୍ରସ୍ତୁତ କରନ୍ତି । କିଛି ଲୋକ ଘରକୁ ଡ଼ଙ୍ଗା ପରି ତ କିଏ ଜାହାଜ ପରି ନିର୍ମାଣ କରିଥାଆନ୍ତି । କିଛିଦିନ ତଳେ ଜଣେ ଦକ୍ଷିଣ ଭାରତୀୟ କ୍ୟାମେରାମ୍ୟାନ ନିଜ ଘରକୁ କ୍ୟାମେରା ଆକୃତି​‌ରେ ନିର୍ମାଣ କରିଥିଲେ । ହେଲେ ବିଦେଶର ଜଣେ ଇଞ୍ଜିନିୟର ରହିବା ପାଇଁ ଜଙ୍ଗଲରେ ଜମି ଓ ବିମାନ କିଣିବା ଘଟଣା ବୋଧହୁଏ ବିରଳ । ଏପରି ଏକ ଖବର ଆସିଛି ଆମେରିକାରୁ । ଓରେଗନ ଜଙ୍ଗଲରେ ଅବସରପ୍ରାପ୍ତ ଇଲେକ୍ଟ୍ରିକ ଇଞ୍ଜିନିୟର ବ୍ରୁସ କ୍ୟାମ୍ପବେଲ୍ ବିମାନ ଘର  ବେଶ୍ ଚର୍ଚିତ ହୋଇଛି ।

ପିଲାଟି ଦିନରୁ ବ୍ରୁସ୍ କ୍ୟାମ୍ପବେଲ୍ ସୃଜନଶୀଳ ଥିଲେ ।  ଯେତେବେଳେ ସେ କୋଡ଼ିଏ ବର୍ଷ ବୟସରେ ଥିଲେ, ସେତେବେଳେ ସେ ଓରେଗନ୍‌ର ହିଲ୍ସବୋରୋ ଜଙ୍ଗଲରେ  ୧୦ ଏକର ଜମି କିଣିଥିଲେ । ଅବସର ପରେ ଏହି ଜମିରେ କଣ କରିବେ ସେ ବିଷୟରେ ଢ଼େର ଚିନ୍ତା କରୁଥିବାବେଳେ ତାଙ୍କୁ ଏକ ପୁରୁଣା ବିମାନ କିଣିବାର ସୁଯୋଗ ମିଳିଲା । ଏହାପରେ ସେ ବିମାନଟିକୁ ନେଇ ଜଙ୍ଗଲରେ ପହଞ୍ଚିଲେ ଓ ତାହାକୁ ନିଜର ଆବାସରେ ପରିଣତ କରିଥିଲେ ।

୧୯୯୯ ରେ କ୍ୟାମ୍ପବେଲ ୧୦୦,୦୦୦ ଡଲାରରେ ଅଲିମ୍ପିକ ଏୟାରୱେଜରୁ ଏକ ବୋଇଙ୍ଗ ୭୨୭ ବିମାନ କିଣିବାକୁ ନିଷ୍ପତ୍ତି ନେଇଥିଲେ ।  ଯେତେବେଳେ ସେ ବିମାନ କିଣିଲେ, ସେତେବେଳେ ସେ ବିରାଟ ଯାନକୁ ଓରେଗନ୍ ଜଙ୍ଗଲକୁ ପରିବହନ କରିବା କଷ୍ଟକର ହୋଇଥିଲା ।  ଯେହେତୁ ବିମାନଟି ଗ୍ରୀସର ଏଥେନ୍ସରୁ ଆମଦାନୀ କରିବାକୁ ପଡୁଥିଲା ସେଥିପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ଏକ କମ୍ପାନୀ ଶେଷରେ ବିମାନଟିକୁ ଓରେଗନ ଜଙ୍ଗଲରେ ପହଞ୍ଚାଇବାକୁ ରାଜି ହେଲା, କିନ୍ତୁ ଏଥିପାଇଁ ୧୨୦୦୦୦ଡ଼ଲାର ଦାବି କରିଥିଲା । କ୍ୟାମ୍ପବେଲ୍ ଶେଷରେ ଏଥିପାଇଁ ରାଜି ହେଲେ । ଏଥେନ୍ସରୁ ଓରେଗନ ଜଙ୍ଗଲ​‌​‌ରେ ବିମାନଟି ପହଞ୍ଚିବା ବେଳକୁ ଏଥିପାଇଁ ତାଙ୍କୁ ୨.୨ ଲକ୍ଷ ଡ଼ଲାର ଖର୍ଚ କରିବାକୁ ପଡ଼ିଲା ଏହାପରେ କ୍ୟାମ୍ପବେଲ୍ ବିମାନର ଅଭ୍ୟନ୍ତରକୁ ପରିବର୍ତନ କରିଥିଲେ । ଏଥି​‌ରେ କିଛି ସିଟକୁ ବାହାର କରି ରୋଷେଇ ଘର, ଶୋଇବା କକ୍ଷ ନିର୍ମାଣ କରିଥିଲେ । ଏହା ସହ ଏଥିରେ ଏକ ୱାଶିଂ ମେସିନ୍ ଓ ସିଙ୍କ ମଧ୍ୟ ଯୋଡ଼ିଥିଲେ ।

Comments are closed.