ଏୟାର କଣ୍ଡିସନର ପ୍ରକୋଷ୍ଠରେ ଅଧିକ ସମୟ ରହିଲେ ହୋଇଥାଏ ଡ୍ରାଏ ଆଇ ସିଣ୍ଡ୍ରୋମ

ଗ୍ରୀଷ୍ମ ଋତୁ ଉପନୀତ ହୋଇସାରିଛି ଏବଂ ଆମମାନଙ୍କ ମଧ୍ୟରୁ ଅନେକ ଏୟାର କଣ୍ଡିସନର ଅଥବା କୁଲର ଲାଗିଥିବା ଥଣ୍ଡା ସ୍ଥାନରେ ରହି ଉତ୍ତାପରୁ ରକ୍ଷା ପାଇବାକୁ ଉଦ୍ୟମ କରିଥାଉ। ହାରାହାରି ଆମେ ଦିନକୁ ୧୪ରୁ ୧୬ ଘଣ୍ଟା ଏକ ଏୟାର କଣ୍ଡିସନ ପ୍ରକୋଷ୍ଠରେ ବିତାଉଥାଇପାରୁ, ଯାହା ଉତ୍ତପ୍ତ ଜଳବାୟୁ ପରିସ୍ଥିତିରୁ ଆମକୁ ସୁରକ୍ଷିତ ରଖିବାର ଏକ ନିୟମିତ ପନ୍ଥା। ଖୁବ କମ୍‍ ଲୋକ ଜାଣନ୍ତି ଯେ ଏୟାର କଣ୍ଡିସନର ଯୋଗୁ ହେଉଥିବା ଏହି କୃତ୍ରିମ ପବନ ଏବଂ ତାପମାତ୍ରାରେ ପରିବର୍ତ୍ତନ ଆମ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ମଧ୍ୟ ପକାଇଥାଏ। ଆମ ଶରୀରର ସର୍ବବୃହତ ଅଙ୍ଗ ତ୍ୱଚା; ରୋଗ ପ୍ରତିରୋଧ ଶକ୍ତି ଏବଂ ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ଚକ୍ଷୁ ପର୍ଯ୍ୟନ୍ତ ଦୀର୍ଘସମୟ ଏୟାର କଣ୍ଡିସନର ବ୍ୟବହାର ଯୋଗୁ ପ୍ରଭାବିତ ହୋଇପାରେ। ଏୟାର କଣ୍ଡିସନରରେ ରହି କାମ କରୁଥିବା ଲୋକମାନଙ୍କର ସାଧାରଣ ଅଭିଯୋଗ ହେଉଛି ଯେ ସେମାନେ ଶୁଷ୍କତା, ଜଳାପୋଡା ହେବା, ଅଠାଳିଆ, କୁଣ୍ଡେଇ ହେବା, ଆଖି ପୋଡିବା ଭଳି ଲାଗିବା ଏବଂ ଆଖିରୁ ପାଣି ବହିବା ଆଦିର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଠାରେ ଏଭଳି ଏକ ସମସ୍ୟା କ୍ରମଶଃ ଘନୀଭୂତ ହେଉଛି ଯାହାକୁ ଚିକିତ୍ସା ଶାସ୍ତ୍ରରେ ‘ଶୁଷ୍କ ଆଖି’, ‘ଶୁଷ୍କ ଆଖି ଲକ୍ଷଣ’ (ଡ୍ରାଏ ଆଇ ସିଣ୍ଡ୍ରୋମ) ବୋଲି କୁହାଯାଏ।

ଆଖିରେ ସ୍ୱାଚ୍ଛନ୍ଦ୍ୟ ଅନୁଭବ କରିବା ଏବଂ ଆଖିର କାର୍ଯ୍ୟକାରିତା ପାଇଁ ପର୍ଯ୍ୟାପ୍ତ ପରିମାଣ ଏବଂ ମାନର ଲୁହ ରହିବା ଆବଶ୍ୟକ। ଚକ୍ଷୁର ଲୋତକ ପରଦାର ତିନିଟି ସ୍ତର ଯଥା- ଅଏଲି (ବାହ୍ୟ), ଜଳ/ଜଳୀୟ ସ୍ତର (ମଧ୍ୟ) ଏବଂ ପ୍ରୋଟିନ (ଅଭ୍ୟନ୍ତର)ରେ ପରିମାଣ ଅଥବା ମାନଗତ ପରିବର୍ତ୍ତନ ଘଟିଲେ ଶୁଷ୍କ ଆଖି ଲକ୍ଷଣ (ଡ୍ରାଇ ଆଇ ସିଣ୍ଡ୍ରୋମ) ପରିଲକ୍ଷିତ ହୋଇଥାଏ।

ଏକ ଏୟାର କଣ୍ଡିସନ ଲାଗିଥିବା ପ୍ରକୋଷ୍ଠରେ ବିଶେଷକରି ଖୁବ କମ୍‍ ତାପମାତ୍ରାରେ ଆର୍ଦ୍ରତା ପରିମାଣ ହ୍ରାସପାଏ, ପବନ ଅତିମାତ୍ରାରେ ଶୁଷ୍କ ହୋଇଯାଏ ଏବଂ ଚକ୍ଷୁର ଲୋତକ ପରଦାର ଜଳୀୟ ସ୍ତର ଶୁଷ୍କ ହୋଇଯାଏ, ଏହାଦ୍ୱାରା ଚକ୍ଷୁ ଶୁଷ୍କ ହୋଇଯାଏ ଏବଂ ପରବର୍ତ୍ତୀ ସମୟରେ ଏୟାର କଣ୍ଡିସନର ପ୍ରକୋଷ୍ଠରେ ଦୀର୍ଘ ସମୟ ରହିବା ଦ୍ୱାରା ଚକ୍ଷୁ ପତାର ଗ୍ରନ୍ଥିଗୁଡିକରୁ ଲିପିଡ ଉତ୍ପାଦନରେ ପରିବର୍ତ୍ତନ ଘଟିଥାଏ ଏବଂ ଏହାଦ୍ୱାରା ଲୋତକ ପରଦାର ପରିମାଣ ଓ ମାନରେ ପରିବର୍ତ୍ତନ ଘଟିବା ସହିତ ଆଖି ଶୁଷ୍କ ହୋଇଯାଏ। ତରଳ ପଦାର୍ଥ ବ୍ୟବହାର ନକଲେ ଚକ୍ଷୁରେ ସଂକ୍ରମଣ ଏବଂ ଜଳନ ଅନୁଭବ ହୋଇଥାଏ ଏବଂ କ୍ରମଶଃ ପରିସ୍ଥିତି ଖରାପ ଆଡକୁ ଗତିକରେ।

ଏୟାର କଣ୍ଡିସନିଂ ବ୍ୟବସ୍ଥାରେ ନିମ୍ନମାନର ସ୍ୱାସ୍ଥ୍ୟରକ୍ଷା ପଦକ୍ଷେପ ଭୂତାଣୁ, ବ୍ୟାକଟେରିଆ ଏବଂ କବକ ଆଦିର ପ୍ରବେଶରେ ମୁଖ୍ୟ କାରଣ ହୋଇଥାଏ। ଏୟାର କଣ୍ଡିସନରରେ ଶୁଷ୍କତା ଏବଂ ସେହିକାରଣରୁ ସଂକ୍ରମଣ ହେବା ପରିସ୍ଥିତି କାରଣରୁ ଚକ୍ଷୁରେ ଜଳନ ଓ ସଂକ୍ରମଣ ହୋଇଥାଏ।

ଶୁଷ୍କ ଆଖି ଏବଂ ଡ୍ରାଇ ଆଇ ସିଣ୍ଡ୍ରୋମର ଲକ୍ଷଣଗୁଡିକ ମଧ୍ୟରେ ଜଳନ, ଶୁଷ୍କତା, ଆଲୋକକୁ ଚାହିଁ ନହେବା, କୁଣ୍ଡେଇ ହେବା, ବିନ୍ଧା ଅନୁଭବ କରିବା, ଭାରି ଲାଗିବା, ଆଖିରୁ ପାଣି ବୋହିବା ଏବଂ ସ୍ପଷ୍ଟ ଭାବେ ଦେଖାନଯିବା ଆଦି ଅନ୍ତର୍ଭୁକ୍ତ। ଶୁଷ୍କ ଚକ୍ଷୁରେ ଆକ୍ରାନ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ପଢିବା ବେଗ ହ୍ରାସ ପାଇପାରେ ଏବଂ ସମସ୍ୟା କ୍ରମଶଃ ଜଟିଳ  ହେଲେ ଏହି ହାର ହ୍ରାସପାଏ।

ଶୁଷ୍କ ଚକ୍ଷୁର ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି:

• ସ୍ୱାଭାବିକ ଭାବରେ ବୟସ ବୃଦ୍ଧି, ବିଶେଷକରି ମାସିକ ଋତୁସ୍ରାବ ସମସ୍ୟା, ତେଣୁ ମହିଳାମାନେ ଅଧିକ ସଂଖ୍ୟାରେ ଶୁଷ୍କ ଚକ୍ଷୁ ସମସ୍ୟାର ଶିକାର ହୋଇଥାନ୍ତି।

• ମଧୁମେହ, ଥାଇରଏଡ ବ୍ୟତିକ୍ରମ ଏବଂ ଭିଟାମିନ ଏ ଅଭାବ ଆଦି କେତେକ ସ୍ୱାସ୍ଥ୍ୟଗତ କାରଣ

• ଆଣ୍ଟିହିଷ୍ଟାମାଇନ ଭଳି କିଛି ଔଷଧର ପାଶ୍ୱର୍ପ୍ରଭାବ

• ଲେଜର ଚକ୍ଷୁ ଅସ୍ତ୍ରୋପଚାର, ଯଦିଓ ଏହି ପଦ୍ଧତି ସହିତ ସଂଯୁକ୍ତ ଶୁଷ୍କ ଚକ୍ଷୁ ଲକ୍ଷଣ ସାମୟିକ ହୋଇଥାଏ

• ଜଳନ ଅଥବା ବିକିରଣ ଭଳି କାରଣରୁ ଲୋତକ ଗ୍ରନ୍ଥି ନଷ୍ଟହେବା

• ଲୋତକ ସୃଷ୍ଟିକୁ ପ୍ରଭାବିତ କଲାଭଳି ସୋଗ୍ରେନ୍‍ସ ସିଣ୍ଡ୍ରୋମ, ର୍ୟୁମାଟଏଡ ଆର୍ଥ୍ରାଇଟିସ ଏବଂ କୋଲାଜେନ ଭାସ୍କୁଲାର ରୋଗ ଆଦିରେ ଆକ୍ରାନ୍ତ ହେବା

• ଆପଣଙ୍କ ଆଖି ପତା ଯେଉଁଭଳି ବନ୍ଦ ହେବା କଥା, ତାହା ନହେବାରେ ସମସ୍ୟା

• ଜଳନ ଅଥବା ବିକିରଣ ଭଳି କାରଣରୁ ଲୋତକ ଗ୍ରନ୍ଥି ନଷ୍ଟହେବା

• ବାୟୁ ପ୍ରଦୂଷଣ- ନୂଆଦିଲ୍ଲୀ, ମୁମ୍ବଇ କୋଲକାତା ଏବଂ ଚେନ୍ନଇ ଆଦି ମହାନଗରରେ ବାସ କରୁଥିବା ଲୋକମାନେ କମ୍‍ ବାୟୁ ପ୍ରଦୂଷଣ ଥିବା ସହରର ଲୋକମାନଙ୍କ ତୁଳନାରେ ଅଳ୍ପ କିଛିଗୁଣ ଅଧିକ ଶୁଷ୍କ ଚକ୍ଷୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

• ଦୀର୍ଘସମୟ ଧରି ଏକ ସାମଗ୍ରୀକୁ ନିରେଖି ଚାହିଁବା/ କଂପ୍ୟୁଟର ବ୍ୟବହାର/ ମୋବାଇଲ ଫୋନ ବ୍ୟବହାର ଆଦି

ଶୁଷ୍କ ଚକ୍ଷୁ ସମସ୍ୟା ଏଡାଇବାକୁ ଉପାୟ:

• ଏୟାର କଣ୍ଡିସନର ଲାଗିଥିବା ପ୍ରକୋଷ୍ଠରେ ରହିବା ସମୟ ସର୍ବନିମ୍ନ ଅଥବା ହ୍ରାସ କରିବାକୁ ଚେଷ୍ଟାକରିବା, ସେଥିପାଇଁ ଏୟାର କଣ୍ଡିସନର ତାପମାତ୍ରା ପ୍ରାୟ ୨୩ ଡିଗ୍ରୀ ସେଲ୍‍ସିୟସ ଏବଂ ତାହାଠାରୁ ଅଧିକ ରଖିବାକୁ ସୁପାରିଶ କରାଯାଉଛି।

• ଏୟାର କଣ୍ଡିସନର ଆଡକୁ ମୁହଁକରି ବସନ୍ତୁ ନାହିଁ ଏବଂ ତଦ୍ଦ୍ୱାରା ଏୟାର କଣ୍ଡିସନରରୁ ନିର୍ଗତ ପବନ ସିଧାସଳଖ ଆଖି ସଂସ୍ପର୍ଶରେ ଆସିବାକୁ ରୋକାଯାଇପାରିବ।

• ଆପଣ ବସୁଥିବା ଏୟାର କଣ୍ଡିସନର ପ୍ରକୋଷ୍ଠର ଗୋଟିଏ କୋଣରେ ଏକ ଛୋଟ ଖୋଲାପାତ୍ରରେ କିଛି ତାଜା ପାଣି ରଖନ୍ତୁ ଯଦ୍ଦ୍ୱାରା ପ୍ରକୋଷ୍ଠ ମଧ୍ୟରେ ଆର୍ଦ୍ରତା ବଜାୟ ରଖାଯାଇପାରିବ ଏବଂ ତଦ୍ଦ୍ୱାରା ଶୁଷ୍କ ଚକ୍ଷୁ ଏବଂ ଶୁଷ୍କ ତ୍ୱଚା ପରିସ୍ଥିତିକୁ ଏଡାଯାଇପାରିବ।

• ଦିନରେ ପ୍ରଚୁର ପାନୀୟ ପିଅନ୍ତୁ

• କଂପ୍ୟୁଟର ଅଥବା ମୋବାଇଲ ଫୋନ ବ୍ୟବହାର କରିବା ସମୟରେ ଜାଣିଶୁଣି ଆଖିପତା ବନ୍ଦ କରନ୍ତୁ ଓ ଖୋଲନ୍ତୁ ଯାହା ଆପଣଙ୍କ ଲୋତକ ପରଦାର ଉପଯୁକ୍ତ ବିତରଣରେ ସହାୟକ ହେବ।

• ସ୍ୱାଭାବିକ ଭାବରେ ୭ରୁ ୮ ଘଣ୍ଟା ଶୁଅନ୍ତୁ ଯାହା ଆଖିକୁ ପର୍ଯ୍ୟାପ୍ତ ବିଶ୍ରାମ ଦେବ।

• ସନ୍‍ଗ୍ଲାସ ଅଥବା ଆଖିକୁ ସୁରକ୍ଷା ପ୍ରଦାନ କରିବା ଭଳି ଚଷମା ପିନ୍ଧନ୍ତୁ।

• ଚକ୍ଷୁର ଚିକିତ୍ସା ସମ୍ପର୍କରେ ଜଣେ ଚକ୍ଷୁ ଡାକ୍ତରଙ୍କ ପରାମର୍ଶ ଓ ପ୍ରେସକ୍ରିପ୍‍ସନ ଓ ସେ ବତାଉଥିବା ପଦ୍ଧତିକୁ ଅନୁସରଣ କରନ୍ତୁ ଯାହା ଆପଣଙ୍କ ଶରୀରକୁ ଅଧିକ ପରିମାଣରେ ଲୋତକ ସୃଷ୍ଟି କରିବା ଏବଂ ନିର୍ଗତ କରିବା ତଥା ଚକ୍ଷୁରେ ହେଉଥିବା ଜଳନ ଏବଂ ଯନ୍ତ୍ରଣାକୁ ଉପଶମ କରିବାରେ ସହାୟକ ହେବ।

• ଅପ୍‍ଥାଲମୋଲୋଜିଷ୍ଟଙ୍କ ଦ୍ୱାରା ପରାମର୍ଶ ଦିଆଯାଉଥିବା ଆର୍ଦ୍ରତା ସୃଷ୍ଟିକାରୀ ଆଇ ଡ୍ରପ ବ୍ୟବହାର କରନ୍ତୁ ଏବଂ ତାହା କେବଳ ପରବର୍ତ୍ତୀ ସମୟରେ ତାଙ୍କ ପରାମର୍ଶ ମୁତାବକ ପଦକ୍ଷେପ ନିଅନ୍ତୁ।

ଚକ୍ଷୁର ଶୁଷ୍କତା ଏଡାଇବାକୁ ଯଦି ସତର୍କତାମୂଳକ ପଦ୍ଧତି ଅନୁସରଣ କରାନଯାଏ ତେବେ ଲୋକଙ୍କ ଠାରେ ଚକ୍ଷୁ ସଂକ୍ରମଣ ଘଟିବ। ଶୁଷ୍କ ଚକ୍ଷୁର ଚିକିତ୍ସା କରାନଗଲେ ତାହାର ପ୍ରାବଲ୍ୟ ଏବଂ ଶୁଷ୍କତା ପରିମାଣ ବୃଦ୍ଧିପାଇବା ସହିତ ରୋଗୀଙ୍କର କର୍‍ନିଆ ପୃଷ୍ଠଭାଗ ପ୍ରତି କ୍ଷତି ପହଞ୍ଚିପାରେ, କର୍‍ନିଆରେ ଘା’ ହୋଇପାରେ ଏବଂ ଗୁରୁତର ଦୃଷ୍ଟିଗତ ସମସ୍ୟା ଦେଖାଦେଇପାରେ। ତେଣୁ ଚିକିତ୍ସା ଠାରୁ ସର୍ବଦା ପ୍ରତିରୋଧ ହିଁ ଶ୍ରେୟସ୍କର ବୋଲି  ହେଡ୍‍- କ୍ଲିନିକାଲ ସର୍ଭିସେସ୍‍, ଡଃ.ଅଗ୍ରୱାଲ୍‍ସ ଆଇ ହସପିଟାଲ, ଭୁବନେଶ୍ୱରର ଡା. ବିଜୟ କୁମାର ମହାନ୍ତି କହିଛନ୍ତି।

Comments are closed.