ଆଠ ମାସ ପରେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ଆରମ୍ଭ ହେଲା ବିମାନ ସେବା

ଏୟାର-ବବୁଲ ବ୍ୟବସ୍ଥାରେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ପୁଣି ବିମାନ ସେବା ଆରମ୍ଭ ହୋଇଛି। ଗତକାଲି ଦୁଇଟି ବିମାନ ଢାକା ଛାଡିଛି। ଢାକାସ୍ଥିତ ହଜରତ ଶାହାଜଲାଲ ବିମାନବନ୍ଦରରେ ଭାରତର ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ୱାମୀ ଏବଂ ବାଂଲାଦେଶର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଏୟାର ଭାଇସ ମାର୍ଶଲ ମାଫିଦୁର ରହମାନ ଏହି ବ୍ୟବସ୍ଥାର ଉଦଘାଟନ କରିଛନ୍ତି।

ୟୁଏସ ବଙ୍ଗଳା ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ପ୍ରଥମ ଦୁଇଟି ବିମାନ ବୁଧବାର ସକାଳେ ଢାକାରୁ କୋଲକାତା ଏବଂ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛି। ଏହି ବିମାନ ଉଡ଼ାଣ ପରେ ଦୁଇ ଦେଶ ମଧ୍ୟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସୁବିଧା ହେବ ବୋଲି ଜଣାପଡିଛି। ଭାରତରେ ଜରୁରୀ ଚିକିତ୍ସା ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କ ଦ୍ୱାରା ଏହାକୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରାଯାଇଛି |

ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ୱାମୀ କହିଛନ୍ତି, ଚିକିତ୍ସା ଆବଶ୍ୟକତା ଥିବା ଲୋକଙ୍କ ପାଇଁ ଏହି ବିମାନ ସେବା ବିଶେଷ ଉପଯୋଗୀ ହେବ। ଏହି ସେବା ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ମଜବୁତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ପୂର୍ବରୁ ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଘୋଷଣା କରିଥିଲା ​​ଯେ ବିମାନ ବାଂଲାଦେଶ, ୟୁଏସ ବଙ୍ଗଳା ଏୟାରଲାଇନ୍ସ ଏବଂ ନୋଭୋଏୟାର ଭାରତକୁ ସପ୍ତାହରେ ୨୮ଟି ବିମାନ ଚଳାଚଳ କରିବ। ସେହିପରି ଭାରତରୁ ଏୟାର ଇଣ୍ଡିଆ, ଭିଷ୍ଟାରା, ଇଣ୍ଡିଗୋ, ସ୍ପାଇସେଜେଟ୍ ଏବଂ ଗୋ-ଏୟାର ଏୟାରଲାଇନ୍ସ ମଧ୍ୟ ଦୁଇ ଦେଶ ମଧ୍ୟରେ ସପ୍ତାହରେ ୨୮ଟି ବିମାନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନେଇଛି।

ବାଂଲାଦେଶୀ ଏୟାରଲାଇନ୍ସ ଢାକାରୁ ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇକୁ ବିମାନ ଚଳାଚଳ କରୁଥିବାବେଳେ ଭାରତୀୟ ଏୟାରଲାଇନ୍ସଗୁଡିକ ଦିଲ୍ଲୀ, କୋଲକାତା, ଚେନ୍ନାଇ ଏବଂ ମୁମ୍ବାଇରୁ ଢାକାକୁ ବିମାନ ଚଳାଚଳ କରାଇବା ପାଇଁ ପଦକ୍ଷେପ ନେଉଛନ୍ତି। ପ୍ରାୟ ଆଠ ମାସ ପରେ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଛି। କରୋନା ମହାମାରୀ ହେତୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବିମାନ ଉଡାଣ ବନ୍ଦ ରହିଥିଲା। ଅନ୍ୟପକ୍ଷରେ ବାଂଲାଦେଶୀ ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ବ୍ୟତୀତ ସମସ୍ତ ବର୍ଗରେ ଭାରତୀୟ ହାଇ କମିଶନ ଭିସା ସେବା ଆରମ୍ଭ କରିଛନ୍ତି।

Comments are closed.