ଭାରତରେ ଉତ୍କଟ ବାୟୁ ପ୍ରଦୂଷଣ; ପ୍ରାଣ ହରାଇଛନ୍ତି ଲ​‌କ୍ଷେରୁ ଅଧିକ ନବଜାତକ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଯୋଗୁଁ ୨୦୧୯ରେ ୧୬ଲକ୍ଷ ୬୭ହଜାରରୁ ଅଧିକ ପ୍ରାଣହାନି ଘଟିଛି। ଏମିତିକି ଏହି କାରଣରୁ ୧ଲକ୍ଷ ୧୬ହଜାର ଶିଶୁ ଜନ୍ମ ହେବାର ମାସକ ମଧ୍ୟରେ ପ୍ରାଣ ହରାଇଛନ୍ତି। ଶିଶୁ ସ୍ବାସ୍ଥ୍ୟ ଉପରେ ଉତ୍କଟ ବାୟୁ ପ୍ରଦୂଷଣର ପ୍ରଭାବ ସମ୍ପର୍କରେ ପ୍ରସ୍ତୁତ ‘ଷ୍ଟେଟ୍‌ ଅଫ୍ ଗ୍ଲୋବାଲ୍ ଏୟାର୍‌-୨୦୨୦’ ରିପୋର୍ଟରୁ ଏହା ଜଣାପଡ଼ିଛି। ବୁଧବାର ଏହି ରିପୋର୍ଟ ପ୍ରକାଶ ପାଇଛି। ସ୍ବାସ୍ଥ୍ୟ ପ୍ରତି ପ୍ରଦୂଷଣ ସର୍ବାଧିକ ବିପଦ ବୋଲି ଏଥିରେ ଉଲ୍ଲେଖ ରହିଛି। ଅନ୍ୟ ରାଷ୍ଟ୍ର ମଧ୍ୟରେ ନାଇଜେରିଆରେ ବାୟୁ ପ୍ରଦୂଷଣର ପ୍ରଭାବ ଚିନ୍ତାଜନକ ବୋଲି ଏଥିରେ ଉଲ୍ଲେଖ ରହିଛି। ଏହି ଦେଶରେ ୬୭ ହଜାର ୯୦୦, ପାକିସ୍ତାନରେ ୫୬ ହଜାର ୫୦୦, ଇଥିଓପିଆରେ ୨୨ ହଜାର ୯୦୦ ଶିଶୁଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଆମେରିକାର ‘ହେଲ୍‌ଥ୍‌ ଇଫେକ୍ଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଆଣ୍ଡ ଗ୍ଲୋବାଲ୍‌ ବଡର୍ଣ୍ଣ ଅଫ୍ ଡିଜିଜ୍’ ପକ୍ଷରୁ ପ୍ରଥମ ଥର ପାଇଁ ପ୍ରକାଶିତ ଏହି ରିପୋର୍ଟରେ ଭାରତରେ ବାୟୁ ପ୍ରଦୂଷଣ ସମ୍ପର୍କରେ ବିଶ୍ଳେଷଣ କରାଯାଇଛି। ଏଥିଯୋଗୁଁ ସର୍ବାଧିକ ଶିଶୁମୃତ୍ୟୁ ଘଟିଥିବା ଏଥିରେ ଦର୍ଶାଯାଇଛି। ଗର୍ଭଧାରଣଠାରୁ ୩୭ ସପ୍ତାହ ପୂର୍ବରୁ ୨୫୦୦ ଗ୍ରାମ୍‌ରୁ କମ୍‌ ଓଜନ ବିଶିଷ୍ଟ ଯେଉଁ ଅପରିପକ୍ବ ଶିଶୁ ଜନ୍ମ ହେଉଛନ୍ତି ସେମାନଙ୍କ ପାଇଁ ପ୍ରଦୂଷିତ ବାୟୁ ଅଧିକ ବିପଦର କାରଣ ହେଉଛି। ଗର୍ଭଧାରଣ ସମୟରେ ମାଆମାନେ ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିଲେ ଗର୍ଭସ୍ଥ ଶିଶୁ ସ୍ବାସ୍ଥ୍ୟ ଉପରେ ଏହାର ଭୟଙ୍କର ପ୍ରଭାବ ପଡୁଥିବା ଏଥିରେ ଦର୍ଶାଯାଇଛି। ପ୍ରଦୂଷିତ ବାୟୁ ଗର୍ଭବତୀ ଓ ତାଙ୍କ ଗର୍ଭରେ ବଢୁଥିବା ଭ୍ରୂଣ ଉପରେ ଧୂମପାନ ଭଳି କୁପ୍ରଭାବ ପକାଉଛି ବୋଲି ଗବେଷକମାନେ ମତ ଦେଇଛନ୍ତି। କମ୍ ଓଜନ ଓ ଅପରିପକ୍ବ ଶିଶୁମାନେ ଶ୍ବାସନଳୀ ସଂକ୍ରମଣ, ହଇଜା, ରକ୍ତ, ମସ୍ତିଷ୍କ ଓ କାମଳ ଭଳି ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବାୟୁ ସଂକ୍ରମଣ ପାଇଁ କୌଣସି ଜୈବିକ କାରଣ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଭାରତରେ ମୃତ୍ୟୁର କାରଣ ୬୦ପ୍ରତିଶତ ବାୟୁ ପ୍ରଦୂଷଣ। ସେହିଭଳି ୪୩ ପ୍ରତିଶତ ଶ୍ବାସପ୍ରଶ୍ବାସରେ ସମସ୍ୟାଜନିତ ଏବଂ ୩୨ପ୍ରତିଶତ ଫୁସ୍‌ଫୁସ୍‌ କର୍କଟ ଓ ୩୨ ପ୍ରତିଶତ ପ୍ରଦୂଷଣଜନିତ ହୃଦ୍‌ରୋଗ କାରଣରୁ ଘଟୁଛି। ଏହି ରିପୋର୍ଟ ଉପରେ ମତ ରଖି ଭାରତୀୟ ଭେଷଜ ଗବେଷଣା ପରିଷଦ ବା ‘ଆଇସିଏମ୍ଆର୍‌’ର ‘ଆଡ୍‌ଭାନ୍ସଡ୍‌ ରିସର୍ଚ ଅନ୍ ଏୟାର୍‌ କ୍ବାଲିଟି’, ‘କ୍ଲାଇମେଟ୍‌ ଆଣ୍ଡ ହେଲ୍‌ଥ୍‌’ର ନିର୍ଦେଶିକା କଳ୍ପନା ବାଲକୃଷ୍ଣନ୍‌ କହିଛନ୍ତି ଯେ ବାୟୁର ମାନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ନିର୍ଦ୍ଧାରିତ ମାନକ ଅନୁସାରେ ଥିଲେ ପ୍ରାୟ ୧୧୬,୦୦୦ ନବଜାତକଙ୍କ ଅକାଳ ମୃତ୍ୟୁକୁ ରୋକାଯାଇପାରନ୍ତା। ଭାରତରେ ‘ଆଇସିଏମ୍ଆର୍‌’ କରିଥିବା ଅଧ୍ୟୟନ ସମେତ ୭୦ରୁ ଅଧିକ ଅଧ୍ୟୟନରୁ ଏହି ରିପୋର୍ଟ ପ୍ରମାଣ ସଂଗ୍ରହ କରିଛି। ବାୟୁ ପ୍ରଦୂ‌ଷଣ ବ୍ୟତୀତ କୁପୋ‌ଷଣ, ରକ୍ତହୀନତା, ପୁରୁଣାକାଳିଆ ରୀତିନୀତି ଭଳି କାରଣରୁ ମଧ୍ୟ ଭାରତରେ ଗର୍ଭସ୍ଥ ଶିଶୁଙ୍କ ଉପରେ କୁପ୍ରଭାବ ପଡ଼ିଥାଏ ବୋଲି ସେ କହିଛନ୍ତି। ୨୦୧୭ରେ ଭାରତରେ ୧୨ଲକ୍ଷ ୧୪ହଜାର ଲୋକଙ୍କର ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରୁ ପ୍ରକାଶ। ଚୀନରେ ଏହି କାରଣରୁ ଗତ ଦଶନ୍ଧି ମଧ୍ୟରେ ୫୪% ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ଏହା ୩୬ପ୍ରତିଶତକୁ ହ୍ରାସ ପାଇଛି। ସେହିଭଳି ଭାରତରେ ଏହି ପରିମାଣ ୭୩ପ୍ରତିଶତରୁ ୬୧କୁ ହ୍ରାସ ପାଇଥିବା ପ୍ରକାଶ।

Comments are closed.