କଳିଙ୍ଗନଗରଠାରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା

କଳିଙ୍ଗନଗର : ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର(ନନ-ଆଟେନମେଣ୍ଟ ସହର) ମଧ୍ୟରୁ ଯାଜପୁର କଳିଙ୍ଗନଗର ଅନ୍ୟତମ। ନିକଟରେ ପ୍ରକାଶିତ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗରେ, କଳିଙ୍ଗନଗରରୁ ଭାଗ ନେଇଥିବା ୬ଟି ଶିଳ୍ପାନୁଷ୍ଠାନ ମଧ୍ୟରୁ ୫ଟିକୁ ଏକ ଷ୍ଟାର(ସର୍ବନିମ୍ନ ପରିବେଶ ପାରଦର୍ଶୀ) ମାନ୍ୟତା ମିଳିଛି। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁସାରେ ବାୟୁ ପ୍ରଦୂଷଣ ରୋକା ଯାଇ ପାରିଲେ କଳିଙ୍ଗନଗର ଅଧିବାସୀଙ୍କ ହାରାହାରି ପରମାୟୁରେ ତିନି ବର୍ଷ ବୃଦ୍ଧି ଘଟନ୍ତା। ଓଡ଼ିଶାରେ କଳିଙ୍ଗନଗର ସମେତ ସାତୋଟି ସହର ଏହି ସର୍ବାଧିକ ପ୍ରଦୂଷିତ ବା ନନ-ଆଟେନମେଣ୍ଟ ସହର ତାଲିକାରେ ଅନ୍ତର୍ଭୁକ୍ତ। କଳାକାରଖାନା ଓ ଯାନବାହାନରୁ ନିର୍ଗତ ଧୂଆଁ, ରାସ୍ତାର ଧୂଳି ଏବଂ ବିଭିନ୍ନ ନିର୍ମାଣ କାର୍ୟ୍ୟ ସମୟରେ ନିର୍ଗତ ହେଉଥିବା ଧୂଳି ଓ ଧୂଆଁ ଏହି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ। ବାୟୁ ପ୍ରଦୂଷଣ କଳିଙ୍ଗନଗର ଅଧିବାସୀଙ୍କର ଉଭୟ ଜୀବନ ଜୀବିକାକୁ ପ୍ରଭାବିତ କରୁଛି। ଜାତୀୟ ନିର୍ମଳ ବାୟୁ କାର୍ୟ୍ୟକ୍ରମ ମାଧ୍ୟମରେ ୨୦୨୪ ସୁଦ୍ଧା କଳିଙ୍ଗ ନଗରରେ ବାୟୁ ପ୍ରଦୂଷଣ ୩୦ ପ୍ରତିଶତ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି। ଶିଳ୍ପାନୁଷ୍ଠାନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜନସାଧାରଣ ସମସ୍ତେ ମିଳିତ ଭାବେ ଏହି ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଆସିବାକୁ ବକ୍ତାମାନେ ଯାଜପୁର ରୋଡ଼ ଠାରେ ଅନୁଷ୍ଠିତ ହୋଇ ଥିବା ’’ ଜନସାଧାରଣଙ୍କ ସହଯୋଗ ନନ-ଆଟେନମେଣ୍ଟ ସହର ଗୁଡିକରେ ବାୟୁ ପ୍ରଦୂଷଣ କମାଇବାରେ ସହାୟକ ହେବକି?’’ ଶୀର୍ଷକ ସଚେତନତା କର୍ମଶାଳାରେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଚିକାଗୋ ବିଶ୍ୱବଦ୍ୟାଳୟ ସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ଏବଂ ଟାଟା ଡେଭେଲପମେଣ୍ଟ ସେଣ୍ଟରର ମିଳିତ ଅନୁକୁଲ୍ୟରେ ଜାତୀୟ ନିର୍ମଳ ବାୟୁ କାର୍ୟ୍ୟକ୍ରମ(ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ) ଅଧୀନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।
କାର୍ୟ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଳିଙ୍ଗନଗର କାର୍ୟ୍ୟାଳୟର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା କହିଥିଲେ ଯେ, ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବୋର୍ଡ, ଶିଳ୍ପାନୁଷ୍ଠାନ, ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ମିଳିତ ଭାବେ କାର୍ୟ୍ୟ କରିବା ଆବଶ୍ୟକ। ନନ-ଆଟେନମେଣ୍ଟ ସହରଗୁଡିକ କିପରି ଚିହ୍ନିତ କରାଯାଏ ଓ ଏହି ସହର ଗୁଡିକରେ ବାୟୁ ପ୍ରଦୂଷଣ ରୋକିବା ପାଇଁ କି କି ପଦକ୍ଷେପ ନିଆ ଯାଉଛି ଏହି ସମ୍ପର୍କରେ ସେ ବିଶେଷ ଆଲୋକପାତ କରିଥିଲେ। ବାୟୁ ପ୍ରଦୂଷଣର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ନିଜ ମତ ରଖି ଅନ୍ୟତମ ବକ୍ତା ଡାକ୍ତର ସୁଧାଂଶୁ ଶେଖର ବଳ କହିଥିଲେ ଯେ ବାୟୁ ପ୍ରଦୂଷଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ଏବଂ ଏହା ମଣିଷର ହାରାହାରି ପରମାୟୁ କମେଇ ଦେଉଛି। ଶିଶୁ, ବୃଦ୍ଧ ଓ ଗର୍ଭବତୀମାନଙ୍କ କ୍ଷେତ୍ରରେ ଏହି କୁପ୍ରଭାବ ଅଧିକ ପରିଲକ୍ଷିତ ହୋଇଥାଏ ।
ବାୟୁ ପ୍ରଦୂଷଣ ରୋକିବା ପାଇଁ ଜଣେ ସାଧାରଣ ବ୍ୟକ୍ତି କଣ କରିପାରିବ ସେ ସମ୍ପର୍କରେ ନିଜ ମତ ରଖି ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ସୁଧାମୟୀ ବେହୁରା କହିଥିଲେ ଯେ ସମ୍ମିଳିତ ଓ ନିରନ୍ତର ପ୍ରଚେଷ୍ଟା ହିଁ ବାୟୁ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ସମସ୍ୟାର କୁପ୍ରଭାବକୁ କମାଇବାରେ ସହାୟକ ହେବ । ଜନସଧାରଣ ଏ ବିଷୟରେ ଯେତେ ସଚେତନ ହେବେ ବାୟୁ ପ୍ରଦୂଷଣ ହ୍ରାସ କରିବା ପାଇଁ ଶିଳ୍ପାନୁଷ୍ଠାନ ଓ ନିୟନ୍ତ୍ରକ ସଂସ୍ଥା ସେହି ମାତ୍ରାରେ ଅଧିକ ସକ୍ରିୟ ହେବେ ବୋଲି ସେ ମତ ଦେଇଥିଲେ ।