ମେ-ଜୁନ୍‍ ସୁଦ୍ଧା ଏୟାର ଇଣ୍ଡିଆ ବିକ୍ରି ପ୍ରକ୍ରିୟା ଶେଷହେବ

ଏୟାର ଇଣ୍ଡିଆର ପ୍ରତିଦିନ କ୍ଷତି ୨୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ ଏବେ ସରକାରଙ୍କ ପାଇଁ ବିରାଟ ବୋଝ ପାଲଟିଛି। କାରଣ ପ୍ରତିଦିନ ଏଥିପାଇଁ ସରକାର ୨୦କୋଟି ଟଙ୍କା କ୍ଷତି ସହୁଛନ୍ତି। ସେଥିପାଇଁ ଏହାର ବିକ୍ରି ନିଷ୍ପତ୍ତି ଚୂଡାନ୍ତ ହୋଇଛି। କେନ୍ଦ୍ର ସରକାର ଏହାକୁ ବିକ୍ରି କରିବା ପାଇଁ ଖୁବଶୀଘ୍ର ଫାଇନାନ୍‍ସିଆଲ ବିଡ୍‍ ଆହ୍ୱାନ କରିବାକୁ ଯାଉଛନ୍ତି। ଟିକସଦାତାଙ୍କ ଅର୍ଥରେ ଏହାକୁ ଆଉ ଅଧିକ ଦିନ ବଞ୍ଚାଇ ହେବନାହିଁ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି।
ଏଠାରେ ଟାଇମ୍ସ ନେଟୱର୍କ ଇଣ୍ଡିଆ ଇକୋନୋମିକ କନ୍‍କ୍ଲେଭରେ ଯୋଗଦେଇ ହରଦୀପ କହିଛନ୍ତି, ଫାଇନାନ୍‍ସିଆଲ ବିଡ୍‍ ଆହ୍ୱାନ କରାଯିବା ପରେ ଆଗାମୀ ମେ-ଜୁନ୍‍ ସୁଦ୍ଧା ଏହି ବିମାନ ଚଳାଚଳ ସଂସ୍ଥାର ବିକ୍ରି ପ୍ରକ୍ରିୟା ଚୂଡାନ୍ତ ହେବ। ତେବେ ପ୍ରାଥମିକ ଯୋଗ୍ୟତା ପର୍ଯ୍ୟାୟ ତାଲିକାରେ ଏହି ବିମାନ ଚଳାଚଳ ସଂସ୍ଥା କିଣିବାକୁ କେଉଁମାନେ ଆଗ୍ରହ ପ୍ରକାଶ କରିଛନ୍ତି, ତାହା ପୁରୀ ପ୍ରକାଶ କରିନଥିଲେ। ଅବଶ୍ୟ ଏକ ସୂତ୍ର ଅନୁଯାୟୀ ଏହି ତାଲିକାରେ ଟାଟା ଗ୍ରୁପ୍‍ ଏବଂ ସ୍ପାଇଶ ଜେଟ୍‍ର ଅଧ୍ୟକ୍ଷ ଅଜୟ ସିଂଙ୍କ ନାମ ଥିବା କୁହାଯାଉଛି। ସଂପ୍ରତି ଏୟାର ଇଣ୍ଡିଆର ମୋଟ ଋଣ ପରିମାଣ ୬୦,୦୦୦ କୋଟି ଟଙ୍କାରେ ପହଞ୍ଚିଥିବା ହରଦୀପ ସୂଚନା ଦେଇଛନ୍ତି। ଏହାର ବିକ୍ରି ମୋଦି ସରକାରଙ୍କ ପାଇଁ ଏକ ସଫଳତା ହେବ ବୋଲି କୁହାଯାଉଛି। କାରଣ ଗତ ଦଶନ୍ଧିରେ ସରକାର ଏଥିପାଇଁ ଅନେକ ପ୍ରୟାସ କରିଥିଲେ ମଧ୍ୟ ଏଥିପାଇଁ କେହି କ୍ରେତା ମିଳିନଥିଲେ। ତାହାଛଡା କୋଭିଡ ମହାମାରୀ କାରଣରୁ ଦେଶ ବଜେଟ ନିଅଣ୍ଟ ପରିସ୍ଥିତିର ସମ୍ମୁଖୀନ ହେଉଥିବାବେଳେ ଏହାର ବିକ୍ରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ।

Comments are closed.