ମଦ୍ୟପାନ ପାଇଁ ନିଲମ୍ବିତ ପାଇଲଟଙ୍କୁ ପଦୋନ୍ନତି ସହ ପୁନଃ ନିଯୁକ୍ତି

ନୂଆଦିଲ୍ଲୀ : ମଦ୍ୟପାନ କାରଣରୁ କାର୍ଯ୍ୟରୁ ନିଲମ୍ବିତ ଏୟାର ଇଣ୍ଡିଆ ପାଇଲଟ ଅରବିନ୍ଦ କାଠପାଳିଆଙ୍କୁ ଇତିମଧ୍ୟରେ ପଦୋନ୍ନତି ସହ ପୁନଃ ନିଯୁକ୍ତ ମିଳିଛି। ତାଙ୍କୁ ଏୟାର ଇଣ୍ଡିଆର ଉତ୍ତରାଞ୍ଚଳ ଜୋନ୍ର ଆଞ୍ଚଳିକ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ପଦରେ ଥିବା ପଙ୍କଜ କୁମାରଙ୍କ ଅବସର ପରିପ୍ରେକ୍ଷୀରେ ବୁଧବାର ଅରବିନ୍ଦ ନୂଆ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଗତ ନଭେମ୍ବର ୧୧ରେ ଦିଲ୍ଲୀରୁ ଲଣ୍ଡନଗାମୀ ବିମାନ ଉଡ଼ାଇବାର ଅବ୍ୟବହିତ ପୂର୍ବରୁ ଅରବିନ୍ଦଙ୍କର ମଦ୍ୟପାନ ପରୀକ୍ଷା କରାଯାଇଥିଲା ଓ ସେ ଏଥିରେ ବିଫଳ ହୋଇଥିଲେ। ଏଥିନେଇ ତାଙ୍କୁ ନିଲମ୍ବନ କରାଯିବା ସହ ତାଙ୍କର ବିମାନ ଉଡ଼ାଣ ଲାଇସେନ୍ସ ତିନି ବର୍ଷ ପାଇଁ ରଦ୍ଦ କରାଯାଇଥିଲା। ତାଙ୍କୁ ‘ଅପରେସନ୍ସ ନିର୍ଦେଶକ’ ପଦରୁ ମଧ୍ୟ ହଟାଯାଇଥିଲା; କିନ୍ତୁ ଏହାର ମାତ୍ର ସପ୍ତାହକ ପରେ ତାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ କାର୍ଯ୍ୟକାରୀ ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିଲା।