କରୋନା ଭାଇରସ – ଚୀନରୁ ଭାରତୀୟଙ୍କୁ ଆଣିବାକୁ ପହଁଚିଲା ଏୟାର୍‍ ଇଣ୍ଡିଆର ସ୍ୱତନ୍ତ୍ର ବିମାନ

- ପ୍ରଥମ ପର୍ଯ୍ୟାୟରେ ଆସିବେ ୩୨୫ ଜଣ ଯାତ୍ରୀ

ସମାଜ ପୋର୍ଟାଲ ଡେସ୍କ: ପଡ଼ୋଶୀ ରାଷ୍ଟ୍ର ଚୀନ୍‍ରେ ଦେଖାଦେଇଥିବା କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସେଠାରେ ଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଶୁକ୍ରବାର ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏୟାର୍‍ ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଚୀନ୍‍ର ୱୁହାନରେ ପହଂଚିଛି। ଏହି ଡବଲ ଡେକର ବିମାନଟିରେ ୪୨୩ ଜଣ ଯାତ୍ରୀଙ୍କର ବସିବାର ବ୍ୟବସ୍ଥା ରହିଛି। ଆସନ୍ତାକାଲି ଦିଲ୍ଲୀ ବିମାନ ବନ୍ଦରରୁ ଆଉ ଏକ ବିମାନ ୱୁହାନ୍‍ ଅଭିମୁଖେ ଯାତ୍ରା କରିବ।ବିମାନରେ ୧୬ ଜଣ ବିମାନ କର୍ମଚାରୀ ଅଛନ୍ତି। ଏହି ବିମାନ କର୍ମଚାରୀମାନ ମାସ୍କ, ଗ୍ଲୋବ୍‍ସ୍‍ ଓ ଜୀବାଣୁ ନାଶକାରୀ ସ୍ପ୍ରେ ସହ ଯାତ୍ରା କରିଛନ୍ତି ଏବଂ ସେମାନେ ୱୁହାନରେ ବିମାନରୁ ଓହ୍ଲାଇବେ ନାହିଁ। ଏହି ବିମାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଇଥିବା ସ୍ୱତନ୍ତ୍ର ମେଡିକାଲ୍‍ କିଟ୍‍ ରହିଛି। ଯେଉଁ ବ୍ୟକ୍ତିମାନେ ସଂକ୍ରମଣର ଶିକାର ହୋଇ ନ ଥିବେ, କେବଳ ସେହିମାନଙ୍କୁ ହିଁ ଏହି ବିମାନରେ ଆସିବାର ସୁଯୋଗ ଦିଆଯିବ। ରାମ ମନୋହର ଲୋହିଆ ହସ୍ପିଟାଲର ୫ ଜଣ ଡାକ୍ତରୀ ଦଳ, ଏୟାର୍‍ ଇଣ୍ଡିଆର ଜଣେ ଡାକ୍ତରୀ ସହାୟକ କର୍ମଚାରୀ, ଆବଶ୍ୟକ ଔଷଧପତ୍ର, ମୁଖା, ଓଭରକୋଟ୍‍ ଓ ପ୍ୟାକେଟ୍‍ ଖାଦ୍ୟପୁଡ଼ିଆ ସେହି ବିମାନରେ ନିଆଯାଇଛି। ଏଥିସହିତ ଇଞ୍ଜିନିୟର ଓ ନିରାପତ୍ତାରକ୍ଷିମାନଙ୍କର ଏକ ଦଳ ମଧ୍ୟ ସେହି ବିମାନରେ ଯାଇଛନ୍ତି। ଏୟାର୍‍ ଇଣ୍ଡିଆ ଚେୟାରମ୍ୟାନ୍‍ ତଥା ପରିଚାଳନା ନିର୍ଦ୍ଦେଶକ ଅଶ୍ୱନୀ ଲୋହାନୀ କହିଛନ୍ତି, ବିମାନ ଭିତରେ କୌଣସି ସେବା ଯୋଗାଇ ଦିଆଯିବ ନାହିଁ ଓ ଖାଦ୍ୟପୁଡ଼ିଆଗୁଡ଼ିକୁ ଯାତ୍ରୀମାନଙ୍କର ସିଟ୍‍ର ପକେଟ୍‍ ମଧ୍ୟରେ ରଖି ଦିଆଯିବ। ସେ କହିଛନ୍ତି, ଯାତ୍ରୀ ଓ ବିମାନ କର୍ମଚାରୀମାନଙ୍କ ମଧ୍ୟରେ କୌଣସି ପ୍ରକାର ବାର୍ତ୍ତାଳାପକୁ ବାରଣ କରାଯାଇଛି। ଦେଖନ୍ତୁ ଭିଡିଓ (ସୌଜନ୍ୟ – ଏଏନଆଇ)

ପ୍ରଥମ ପର୍ଯ୍ୟାୟରେ ୩୨୫ ଜଣ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ୍‍ କୁମାର ଏହି ପ୍ରଦେଶରେ ଥିବା ଭାରତୀୟମାନଙ୍କୁ ଦୁଇଟି ବିମାନ ଯୋଗେ ଫେରାଇ ଆଣିବାକୁ ଚୀନ୍‍ ସରକାରଙ୍କୁ ଗତକାଲି ଅନୁରୋଧ କରିବା ପରେ ଏଭଳି ବ୍ୟବସ୍ତା କରାଯାଇଛି।

Comments are closed.