ବନ୍ଦେ ଭାରତ ମିଶନ: ଏୟାର ଇଣ୍ଡିଆ ବିମାନରେ ଦୁବାଇରୁ ଆସିଲେ ୧୭୭ ଭାରତୀୟ

ସମାଜ ପୋର୍ଟାଲ ଡେସ୍କ: ଏୟାର ଇଣ୍ଡିଆର ଏକ ପ୍ରତ୍ୟାବର୍ତ୍ତନ ବିମାନ ୧୭୭ ଜଣ ଭାରତୀୟ ନାଗରିକଙ୍କୁ ଦୁବାଇରୁ ଆଣି କେରଳର କୋଜିକୋଡେ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛି। କରୋନା ଭାଇରସ୍ ଲକ ଡାଉନ କାରଣରୁ ଦୁବାଇରେ ଅଟକି ରହିଥିବା ଭାରତୀୟମାନଙ୍କୁ ନେଇ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ଏହି ଉଡ଼ାଣ କରିଥିଲା। ଏହି ବିମାନଟି ଗୁରୁବାର ଦିନ କୋଜିକୋଡେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି। ବନ୍ଦେ ଭାରତ ମିଶନ ଅଧୀନରେ କରୋନା ସଂକ୍ରମଣ ଜନିତ ଲକ ଡାଉନ କାରଣରୁ ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ପ୍ରକିୟାର ଏହା ଅଂଶବିଶେଷ ବୋଲି ଜଣାପଡିଛି।

ଏହା ପୂର୍ବରୁ ଆବୁଧାବିରୁ ୧୮୧ ଜଣ ଯାତ୍ରୀଙ୍କ ସହ ପ୍ରଥମ ପ୍ରତ୍ୟାବର୍ତ୍ତନ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ଗୁରୁବାରଠାରୁ ଭାରତ ଏହି ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ କରିଛି। କୋଭିଡ-୧୯ ଲକ ଡାଉନ ଫଳରେ ବିଦେଶରେ ଅଟକି ରହିଥିବା ପ୍ରାୟ ୧୫ ହଜାର ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ମେ’ ୭ରୁ ୧୩ ପର୍ଯ୍ୟନ୍ତ ୬୪ଟି ବିମାନ ବ୍ୟବହାର କରିବ। ଏହି ସମୟ ମଧ୍ୟରେ ୟୁଏଇ, ସାଉଦି ଆରବ, କୁଏତ, କତ୍ତାର, ବାହାରିନ, ମାଲଦ୍ୱୀପ, ସିଙ୍ଗାପୁର ଏବଂ ଆମେରିକା ସମେତ ୧୨ ଟି ଦେଶ ପାଇଁ ୬୪ଟି ବିମାନ ଉଡ଼ାଣ ଆରମ୍ଭ କରିବ।

Comments are closed.