ଏୟାର ଇଣ୍ଡିଆ ବିମାନରେ ନିଆଁ – ଅଳ୍ପକେ ବର୍ତ୍ତିଲେ ୮୯ ଯାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନ ‘ଏଆଇ-୬୭୦’ରେ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ସେଥିରେ ଯାତ୍ରା କରୁଥିବା ୮୯ ଜଣ ଯାତ୍ରୀ ଓ ବିମାନ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି। ଆଜି ଅପରାହ୍ନ ୩ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଟର୍ମିନାଲ ୧ରୁ ଯାତ୍ରା କରିଥିବା ଏହି ବିମାନ ରାୟପୁର ଆକାଶ ପଥରେ ଉଡୁଥିବା ବେଳେ ଜଣେ ଯାତ୍ରୀ ଶୌଚ ପାଇଁ ଯାଇଥିବା ବେଳେ ବିମାନର ବାମ ପଟ ଡେଣାରେ ନିଆଁ ଲାଗିଥିବା ଦେଖିଥିଲେ ଓ ସେ ସଂଗେ ସଂଗେ ବିମାନ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିକାଣ୍ଡ ଯୋଗୁ ବିମାନର ବାମ ପଟ ଇଂଜିନ କାମ କରିବା ବନ୍ଦ କରିଦେଇଥିଲା। ସେହି ସମୟରେ ରାୟପୁର ବିମାନ ବନ୍ଦର ଅଧିକାରୀଙ୍କୁ ଜରୁରୀ ଅବତରଣ ପାଇଁ ଅନୁରୋଧ କରାଯାଇଥିଲା।

ରାୟପୁର ବିମାନ ବନ୍ଦର ପକ୍ଷରୁ ଜରୁରୀକାଳୀନ ପଦକ୍ଷେପ ସ୍ୱରୂପ ଅଗ୍ନିଶମ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ପାଇଲଟ ନିରାପଦ ଭାବରେ ବିମାନ ଅବତରଣ କରାଇବା ପରେ ଯାତ୍ରୀମାନଙ୍କୁ ବେଲୁନ ସ୍ଲାଇଡର ସାହାଯ୍ୟରେ ବାହାରକୁ ଅଣାଯାଇଥିଲା। ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ ସୁରକ୍ଷିତ ଥିବା ଏୟାର ଇଣ୍ଡିଆ କର୍ତୃପକ୍ଷ କହିଛନ୍ତି। ଏହି ଏୟାର ଇଣ୍ଡିଆ ବିମାନ ‘ଏଆଇ-୬୭୦’ ସନ୍ଧ୍ୟା ୫ଟାରେ ମୁମ୍ବାଇରେ ପହଂଚିଥାନ୍ତା।

Comments are closed.