ପାଚେରିରେ ପିଟି ହୋଇ କ୍ଷତିଗ୍ରସ୍ତ ବିମାନ ୪ ଘଣ୍ଟା ଉଡ଼ିଲା

0

ତ୍ରିଚି/ମୁମ୍ବଇ : ତାମିଲନାଡୁର ତ୍ରିରୁଚିରାପାଲ୍ଲୀରୁ ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିବା ବେଳେ ଏୟାରଇଣ୍ଡିଆ ଏକ୍ସପ୍ରେସର ଏକ ବିମାନର ଚକ ବନ୍ଦରର ବାହ୍ୟ ପାଚେରିରେ ପିଟି ହୋଇ କ୍ଷତିଗ୍ରସ୍ତ ହେବା ସତ୍ତ୍ବେ ୪ ଝଣ୍ଟା ପର୍ଯ୍ୟନ୍ତ ଉଡାଣ କରିଛି। ଦୁର୍ଘଟଣାରେ ବିମାନ କ୍ଷତିଗ୍ରସ୍ତ ହେବା ବିଷୟରେ ଅବଗତ ନ ଥିବା ପାଇଲଟ୍‍ମାନେ ତାହାକୁ ଉଡାଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଯାଇଥିଲେ। ଫଳରେ ବିମାନରେ ଥିବା ୧୩୬ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ପ୍ରତି ୪ ଘଣ୍ଟା ପର୍ଯ୍ୟନ୍ତ ବିପଦ ଲାଗି ରହିଥିଲା। ତିରୁଚିରାପାଲ୍ଲି ବିମାନବନ୍ଦର କର୍ମଚାରୀମାନେ ଏ ବିଷୟରେ ସୂଚନା ଦେବା ପରେ ପାଇଲଟ୍‍ ବିମାନଟିକୁ ମୁମ୍ବଇ ବିମାନ ବନ୍ଦରଠାରେ ଜରୁରୀ ଅବତରଣ କରିଥିଲା। ଦିନ ୧ଟା ୨୦ ମିନିଟରେ ଉଡାଣ ଆରମ୍ଭ କରିଥିବା ଆଇଏକ୍ସ-୬୧୧ ନମ୍ବରର ଏହି ବିମାନଟି ୫ଟା ୪୦ରେ ସୁରକ୍ଷିତ ଭାବେ ମୁମ୍ବଇଠାରେ ଅବତରଣ କରିଥିଲା। ସେଠାରୁ ଅନ୍ୟ ଏକ ବିମାନ ଯୋଗେ ଯାତ୍ରୀମାନଙ୍କୁ ଦୁବାଇ ଅଭିମୁଖେ ପଠାଯାଇଥିଲା।
ବିମାନ ଚକ ପିଟି ହେବା ପରେ ତିରୁଚିରାପାଲ୍ଲି ବିମାନବନ୍ଦରର ୫ ଫୁଟ ଉଚ୍ଚତା ବିଶିଷ୍ଟ ପାଚେରିର କିଛି ଅଂଶ ଭାଙ୍ଗିଯାଇଛି। ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହେବା ସତ୍ତ୍ବେ ବିମାନଟି ଭଲ ଭାବେ କାର୍ଯ୍ୟ କରୁଥିଲା ବୋଲି ବିମାନ ସେବା ପ୍ରଦାନକାରୀ କମ୍ପାନୀ ପକ୍ଷରୁ କୁହାଯାଇଛି। ତାମିଲନାଡୁ ପର୍ଯ୍ୟଟନ ମନ୍ତ୍ରୀ ଏନ୍‍. ନଟରାଜନ୍‍ ବିମାନବନ୍ଦର ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଏୟାର ଇଣ୍ଡିଆର ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ତଦାରଖ କରିବା ଲାଗି ତୃତୀୟ ପକ୍ଷ ନିଯୁକ୍ତ କରିବାକୁ ନିକଟରେ ନିର୍ଦେଶ ଦେଇଛନ୍ତି। ୨୦୧୦ରେ ୧୬୬ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆର ଏକ୍ସପ୍ରେସର ଏକ ବିମାନ ମାଙ୍ଗାଲୋର ବିମାନବନ୍ଦରଠାରେ ଅବତରଣ କରିବା ବେଳେ ଦୁର୍ଘଟଣାର ଶିକାର ହୋଇ ୧୫୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

Leave A Reply