କରୋନା ପ୍ରଭାବ : ସି-୧୭ ଗ୍ଲୋବ୍‍ମାଷ୍ଟରରେ ଇରାନରୁ ଫେରିଲେ ୫୮ ଭାରତୀୟ

ତେହେରା : କରୋନା ଭୂତାଣୁ ପ୍ରଭାବିତ ଇରାନରେ ଅଟକି ରହିଥିବା ଭାରତୀୟ (ତୀର୍ଥଯାତ୍ରୀ)ଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୮ ଜଣ ଯାତ୍ରୀ ମଙ୍ଗଳବାର ବିମାନଯୋଗେ ଆସି ଗାଜିଆବାଦସ୍ଥିତ ବାୟୁସେନା ଘାଟି ହିନ୍ଦନ୍‍ଠାରେ ପହଞ୍ଚିଛନ୍ତି। ସେମାନଙ୍କର ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। କରୋନା ପ୍ରଭାବିତ ଇରାନ୍‍ରୁ ସେମାନଙ୍କୁ ଭାରତୀୟ ସେନାବାହିନୀର ବିମାନ ସି-୧୭ ଗ୍ଲୋବ୍‍ମାଷ୍ଟର ଯୋଗେ ଭାରତ ଅଣାଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର ଇରାନ୍‍ ସ୍ଥିତ ଭାରତୀୟ ଦୂତାବାସକୁ ଭାରତୀୟ ଯାତ୍ରୀଙ୍କୁ ଫେରାଇ ଆଣିବାରେ ସେମାନଙ୍କର ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ସେ ମଧ୍ୟ ସେଠାରେ ଥିବା ଭାରତୀୟ ଚିକିତ୍ସକ ଦଳ ଓ ଭାରତୀୟ ବାୟୁସେନାକୁ ଧନ୍ୟବାଦ ଜଣାଇଛନ୍ତି। ଅବଶିଷ୍ଟ ଭାରତୀୟଙ୍କୁ ସେଠାରୁ ଫେରାଇ ଆଣିବା ନେଇ ସରକାର ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି। ଭାରତୀୟ ବାୟୁସେନାର ୱିଙ୍ଗ୍‍ କମାଣ୍ଡର୍‍ କରନ୍‍ କପୁର କହିଥିଲେ ଯେ, ଇରାନରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ସୋମବାର ୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ୧୪ ଜଣିଆ ଅଧିକାରୀ ଦଳ ସେଠାକୁ ପଠାଯାଇଥିଲା।

Comments are closed.