ସମଲେଶ୍ୱରୀ ପୀଠକୁ ଗଡ଼ିଲା ଶୀତତାପ ନିୟନ୍ତ୍ରିତ ବସ୍‌

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ପର୍ୟ୍ୟଟନସ୍ଥଳୀକୁ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପରିବହନ ବ୍ୟବସ୍ଥାରେ ସୁଧାର ଆଣିବା ସହିତ ଏହାର ବିକାଶ ଦିଗରେ ପଦକ୍ଷେପ ନେବାକୁ ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସମ୍ବଲପୁରର ସମଲେଶ୍ୱରୀ ପୀଠକୁ ଏକ ଶୀତତାପ ନିୟନ୍ତ୍ରିତ ଟୁରିଷ୍ଟ ବସ୍ ଚଳାଚଳକୁ ରବିବାର ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଶ୍ରୀମତୀ ମିଶ୍ର କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପର୍ୟ୍ୟଟନ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେଇ କାର୍ୟ୍ୟ କରୁଛନ୍ତି। ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ୟ୍ୟଟନ କ୍ଷେତ୍ରଗୁଡ଼ିକର ଭିତ୍ତିଭୂମି ବିକାଶ ସହ ସେଠାକୁ ଅଧିକ ସଂଖ୍ୟକ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଓଟିଡିସି ପକ୍ଷରୁ ବସ୍ ସେବା ଆରମ୍ଭ ହୋଇଛି। ଜିଲା ପ୍ରଶାସନ ଚାହିଁଲେ ବସ୍‌କୁ ଜିଲାର ବିଭିନ୍ନ ପର୍ୟ୍ୟଟନସ୍ଥଳୀକୁ ଆବଶ୍ୟକତା ଅନୁସାରେ ଚଳାଚଳ କରାଇ ପାରିବେ ବୋଲି ସେ କହିଥିଲେ। ଅତିରିକ୍ତ ନିର୍ଦେଶକ ହେମନ୍ତ ପ୍ରଧାନ କହିଥିଲେ ଏହି ୨୫ସିଟ୍ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ବସ୍ ପ୍ରତ୍ୟେକ ରବିବାର ସମ୍ବଲପୁରସ୍ଥିତ ପାନ୍ଥନିବାସରୁ ବାହାରି ଘଣ୍ଟେଶ୍ୱରୀ, ଦେବ୍ରିଗଡ଼, ଜିରୋ ପଏଣ୍ଟ, ହୀରାକୁଦ ଓ ମା’ ସମଲେଶ୍ୱରୀ ପୀଠ ମଧ୍ୟରେ ଚଳାଚଳ କରିବ। ବସ୍ ଭଡ଼ା ବାବଦରେ ପର୍ୟ୍ୟଟକଙ୍କୁ ମୋଟ ୨୮୦ଟଙ୍କା ଦେବାକୁ ପଡ଼ିବ। ପ୍ରଥମଦିନ ଭ୍ରମଣ ପାଇଁ ବସ୍‌ର ୨୨ଟି ସିଟ୍ ବୁକିଂ ହୋଇଛି। ସପ୍ତାହର ଅନ୍ୟ ଦିନଗୁଡ଼ିକରେ ଏହି ବସକୁ ‘ଚାର୍ଟର ବୁକିଂ’ କରିବାର ସୁବିଧା ରହିଛି। ସରକାରଙ୍କ ଦ୍ୱାରା ଧାର୍ୟ୍ୟ ଦରରେ ସାଧାରଣ ଲୋକେ ବୁକିଂ କରି ଭଡ଼ାରେ ନେଇପାରିବେ। ଉଦ୍‌ଘାଟନ କାର୍ୟ୍ୟକ୍ରମରେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଉତ୍ତରାଞ୍ଚଳ ଆରଡିସି, ଜିଲାପାଳ ଶୁଭମ ସାକ୍‌ସେନା, ସମ୍ବଲପୁର ତହସିଲଦାର ଲକ୍ଷ୍ମଣ ଅମାତ୍, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ସଞ୍ଜୟ ବାବୁ, ପର୍ୟ୍ୟଟନ ବିଭାଗର ଅତିରିକ୍ତ ନିର୍ଦେଶକ ହେମନ୍ତ ପ୍ରଧାନ, ସମ୍ବଲପୁର ପାନ୍ଥନିବାସ ମ୍ୟାନେଜର ଦେବାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.