ଆକାଶବାଣୀର ଲୋକପ୍ରିୟ ଉଦଘୋଷିକା ମିତାଲି ପାଲଙ୍କ ପରଲୋକ

ସମାଜ ପୋର୍ଟାଲ ଡେସ୍କ: ଆକାଶବାଣୀ ବିବିଧଭାରତୀ, କଟକର ଲୋକପ୍ରିୟ ଉଦଘୋଷିକା ମିତାଲି ପାଲଙ୍କର ଗତ ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦେଢ଼ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ମିତାଲି କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ପ୍ରତିଷ୍ଠାନରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଏକଧାରାରେ ଜଣେ ଅଭିନେତ୍ରୀ, ଭଏସ୍ ଆର୍ଟିଷ୍ଟ, ଆକାଶବାଣୀ ବିବିଧଭାରତୀର ଉଦଘୋଷିକା ତଥା ଆକାଶବାଣୀ ଓ ଦୂରଦର୍ଶନର ଡ୍ରାମା କଳାକାର ଥିଲେ।

ଅସଂଖ୍ୟ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ କଳାକାର ଭାବେ କଣ୍ଠଦାନ ସହ ମିତାଲି ଅନେକ ଗୁଡିଏ ଟିଭି ଧାରାବାହିକର ଓଡ଼ିଆ ଭାଷାକୁ ଅନୁବାଦ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ବଡ଼ ଭଉଣୀ କାକଲୀ ପାଲ ଓ ଅନ୍ୟାନ୍ୟ ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ଆକାଶବାଣୀ କଳାକାରମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Comments are closed.