ଆକାଶବାଣୀ ଉଦ୍‌ଘୋଷକ ପ୍ରଦୀପ୍ତ ନନ୍ଦଙ୍କ ଅବସର

କଟକ : ଆକାଶବାଣୀ ବିବିଧ ଭାରତୀ କେନ୍ଦ୍ରର ବରିଷ୍ଠ ଉଦ୍‌ଘୋଷକ ପ୍ରଦୀପ୍ତ କୁମାର ନନ୍ଦ ଅବସର ଗ୍ରହଣ କରିଛନ୍ତି। ତିନି ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ସେ କଟକ, ବିବିଧ ଭାରତୀ ସମେତ ରାଜ୍ୟର ବିଭିନ୍ନ କେନ୍ଦ୍ରରେ କାର୍ଯ୍ୟ କରି ଶ୍ରୋତା ମହଲରେ ବେଶ୍‌ ପରିଚିତ ଥିଲେ। ଜଣେ କବି ଏବଂ ଉଚ୍ଚକୋଟୀର ସଂଳାପ ଲେଖକ ଭାବରେ ତାଙ୍କର ପ୍ରତିଷ୍ଠା ରହିଛି। ସେ ଯୁବବାଣୀରେ ସେତେବେଳେ ଗାଇଥିବା ‘ତୋ ଦୁଆରେ ଯେବେ ମହୁରି ବାଜିବ’ ଗୀତଟି ଶ୍ରୋତା ମହଲରେ ଚହଳ ସୃଷ୍ଟି କରିଥିଲା। ବିବିଧ ଭାରତୀ କେନ୍ଦ୍ରରେ ତାଙ୍କଦ୍ବାରା ପ୍ରଯୋଜିତ ଓ ଉପସ୍ଥିତ କାର୍ଯ୍ୟକ୍ରମ ‘ସ୍ମୃତି ଧାରା’, ‘କାଉଣ୍ଟ ଡାଉନ୍‌’, ‘ବିବିଧ ଭାରତୀ ତଡ଼କା’ ଆଦି କାର୍ଯ୍ୟକ୍ରମ ଶ୍ରୋତାଙ୍କ ଦ୍ବାରା ବେଶ୍‌ ପ୍ରଶଂସିତ ଓ ଆଦୃତ । ବିଶେଷ କରି ତାଙ୍କ ଉପସ୍ଥାପନାଶୈଳୀ ଦ୍ବାରା ସିଏ ଶ୍ରୋତା ମହଲରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ରଚିତ ଓ ପ୍ରଯୋଜିତ ବିଭିନ୍ନ ନାଟକ ଓ ରୂପକ ଯଥା ‘ବଳୀ’, ‘ସୂର୍ଯ୍ୟୋଦୟର ଦୃଶ୍ୟ’, ‘ଶୂନ୍ୟ ପଞ୍ଜୁରି’, ‘ଉପେକ୍ଷିତା ଊର୍ବଶୀ’ ଆଦି ଜାତୀୟସ୍ତରରେ ପ୍ରଶଂସିତ ଓ ପୁରସ୍କୃତ। ସେ ଧାରାବାହିକ ପାଇଁ ମଧ୍ୟ କାହାଣୀ ଲେଖିବାରେ ସିଦ୍ଧହସ୍ତ। ଯାଜପୁରର ମୂଳବାସିନ୍ଦା ଶ୍ରୀ ନନ୍ଦ ଏବେ କଟକ, ସିଡିଏରେ ଅବସ୍ଥାନ କରୁଛନ୍ତି । ଆକାଶବାଣୀ କଟକ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ନନ୍ଦଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Comments are closed.