ସ୍ତନ୍ୟପାନ ଦ୍ୱାରା ନବଜାତ ଶିଶୁମୃତ୍ୟୁହାର ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ, ରୋଗ ପ୍ରତିରୋଧକ ଶକ୍ତି ଓ ବୌଦ୍ଧିକ ଶକ୍ତି ବଢାଇଥାଏ

କୋଭିଡ-୧୯ ସମୟରେ ସ୍ତନ୍ୟପାନ-ସମସ୍ୟା ଓ ସମାଧାନ ସମ୍ପର୍କରେ ଏକ ଗଣମାଧ୍ୟମ କର୍ମଶାଳା

ଭୁବନେଶ୍ୱର : ଭୁବନେଶ୍ୱର ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ୍‌ ସାଇନ୍ସ (ଏମ୍‌ସ) ଅଧିନସ୍ଥ ଗୋଷ୍ଠୀ ଓ ପରିବାର ମେଡିସିନ ବିଭାଗ ପକ୍ଷରୁ ୟୁନିସେଫ ସହଯୋଗିତାରେ କୋଭିଡ-୧୯ ସମୟରେ ସ୍ତନ୍ୟପାନ-ସମସ୍ୟା ଓ ସମାଧାନ ସମ୍ପର୍କରେ ଏକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶେଷଜ୍ଞମାନେ ଯୋଗ ଦେଇ ସ୍ତନ୍ୟପାନ, ତାହାର ଉପକାର ଏବଂ କୋଭିଡ-୧୯ ସମୟରେ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।

କର୍ମଶାଳାରେ ସ୍ୱାଗତ ଭାଷଣ ଦେଇ ଏମ୍‌ସ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଡ. ଗୀତାଞ୍ଜଳୀ ବାଟମାନାବାନେ ସ୍ତନ୍ୟପାନ ସଂପର୍କିତ ବିଭିନ୍ନ ଭ୍ରାନ୍ତ ଧାରଣା, ସମସ୍ୟା ଆଦି ସମ୍ପର୍କରେ ଆଲୋକପାତ କରିଥିଲେ । ସେ ମଧ୍ୟ ସ୍ତନ୍ୟପାନର ବିଭିନ୍ନ ବୈଷୟିକ ଦିଗ ଯଥା ପୋଷଣ ଗାଇଡଲାଇନ ଓ କୋଭିଡ-୧୯ ସମୟରେ ଶିଶୁକୁ ଠିକଭାବେ ଧାରଣ କରିବା ଆଦି ସମ୍ପର୍କରେ କହିଥିଲେ । ସେ ମଧ୍ୟ ଫିଲଡରେ କାମ କରୁଥିବା କର୍ମୀଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ସେମାନେ ସମାଜ ଓ ମା ସହ ପ୍ରତ୍ୟକ୍ଷ ଯୋଗାଯୋଗରେ ଥିବାରୁ ସେମାନଙ୍କ ମତାମତକୁ ଆମେ ଗ୍ରହଣ କରିବା ଆବଶ୍ୟକ ।

କରୋନା ମହାମାରୀ ସମୟରେ ସ୍ତନ୍ୟପାନ ସଂପର୍କିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ/ୟୁନିସେଫ ଗାଇଡଲାଇନ ସଂପର୍କରେ ୟୁନିସେଫର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ୟ୍ୟ କହିଥିଲେ ଯେ ମା କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ଶିଶୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରିଦେବା ଜରୁରୀ । କିନ୍ତୁ ଏହା କରିବା ବେଳେ ମା ମାସ୍କ ପିନ୍ଧିବା ସହ ନିଜର ହାତ ସଫା ରଖିବା ଆବଶ୍ୟକ । ସେ କହିଥିଲେ ଯେ ସ୍ତନ୍ୟପାନନ ଦ୍ୱାରା ବଜାତ ଶିଶୁମୃତ୍ୟୁହାର ୨୦ ପ୍ରତିସତ ପର୍ୟ୍ୟନ୍ତ ହ୍ରାସ ପାଏ, ୫ ବର୍ଷରୁ କମ ବୟସର ଶିଶୁଙ୍କ ମୃତ୍ୟୁହାର ୧୩ ପ୍ରତିଶତ ହ୍ରାସ ପାଏ, ଝାଡ଼ାରୋଗ ଜନିତ ମୃତ୍ୟୁ ଆଶଙ୍କା ୧୧ ଗୁଣ ଓ ନିମୋନିଆ ଜନିତ ମୃତ୍ୟୁ ଆଶଙ୍କା ୧୫ ଗୁଣ ହ୍ରାସ ପାଏ । ଏହା ଛଡ଼ା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ଓ ବୌଦ୍ଧିକ ଶକ୍ତି ବଢିଥାଏ । ଏହା ଫଳରେ ଶିଶୁକୁ ହସପିଟାଲରେ କମ ରହିବାକୁ ହୁଏ । ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାର ୬୯ ପ୍ରତିଶତ ଶିଶୁ ଜନ୍ମର ୧ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରିଥାନ୍ତି, ୬୬ ପ୍ରତିଶତ ଶିଶୁ ୬ ମାସ ପର୍ୟ୍ୟନ୍ତ କେବଳ ସ୍ତନ୍ୟପାନ କରିଥାନ୍ତି ଓ ୬-୮ ମାସ ବୟସର ୬୬ ପ୍ରତିଶତ ଶିଶୁ ସହାୟକ ଖାଦ୍ୟ ପାଇପାରୁଛନ୍ତି, ଯାହାକି ବେଶ ଉତ୍ସାହଜନକ ତଥ୍ୟ ।

କାର୍ଯ୍ୟକ୍ରମରେ ଏମ୍‌ସ ଗୋଷ୍ଠୀ ଓ ପରିବାର ମେଡିସିନ ବିଭାଗ ମୁଖ୍ୟ ଡ. ସୋନୁ ଏଚ. ସୁବା ଯୋଗ ଦେଇ କହିଥିଲେ ଯେ ସାରା ବିଶ୍ୱ କରୋନା ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ଶିଶୁ ଜନ୍ମ ଜାରି ରହିଛି, କାରଣ ଏହା ଜୀବନ ଚକ୍ରର ଏକ ଅଂଶ ଓ ସ୍ତନ୍ୟପାନ ବ୍ୟବସ୍ଥାର ଏକ ଅଂଗ । କରୋନା କିପରି ସମାଜର ବିଭିନ୍ନ ବର୍ଗର ନବଜାତ ଓ ଶିଶୁମାନଙ୍କ ସ୍ତନ୍ୟପାନ ଉପରେ ପ୍ରଭାବ ପକାଉଛି ତାହା ଉପରେ ସେ ଆଲୋକପାତ କରିଥିଲେ ।

ଏମ୍‌ସ ଭୁବନେଶ୍ୱରର ନବଜାତ ଚିକିତ୍ସା ବିଭାଗର ସହକାରୀ ପ୍ରାଧ୍ୟାପକ ଡ.ପଂକଜ ମହାନ୍ତି କହିଥିଲେ ଯେ କରୋନା ମହାମାରୀ ସମୟରେ ମଧ୍ୟ ସ୍ତନ୍ୟପାନ ଶିଶୁପାଇଁ ବେଶ ନିରାପଦ, ତେବେ ସ୍ତନ୍ୟପାନ କରୁଥିବା ମା ମାସ୍କ ପିନ୍ଧିବା ସହ ଉପଯୁକ୍ତ ଭାବେ ସ୍ୱଚ୍ଚତା ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଜରୁରୀ । ଶିଶୁ ଠାରେ ଲକ୍ଷଣ ନଥିଲେ ବା ଆଇସିୟୁ ସେବା ଆବଶ୍ୟକ କରୁନଥିଲେ ତାହାକୁ ମା’ଠାରୁ ଅଲଗା କରାଯିବାର ଆବଶ୍ୟକତା ନାହିଁ । କରୋନା ପରି ସଂକ୍ରାମକ ରୋଗ ଦାଉରୁ ଶିଶୁକୁ ରକ୍ଷା କରିବାକୁ ହେଲେ ସ୍ତନ୍ୟପାନ ଜରୁରୀ କାରଣ ଏହା ଶିଶୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ ।

ଏହି ଅବସରରେ ଏମ୍‌ସ ଭୁବନେଶ୍ୱରର ଗୋଷ୍ଠୀ ଓ ପରିବାର ମେଡିସିନ ବିଭାଗର ସହକାରୀ ପ୍ରଫେସର ଡ.ସ୍ୱୟଂ ପ୍ରଜ୍ଞା ପରିଡ଼ା କହିଛନ୍ତି ଯେ କରୋନା ସମୟରେ ସ୍ତନ୍ୟପାନକୁ ନେଇ ଲୋକଙ୍କ ମଧ୍ୟରେ କେତେକ ଭ୍ରାନ୍ତଧାରଣା ରହିଛି, ଯେପରିକି ମା କରୋନା ସଂକ୍ରମିତ ଥିଲେ ସେ ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ ନୁହଁ । କିନ୍ତୁ ସତ ହେଉଛି, ତାହା ମାର ସଂକ୍ରମଣ ସ୍ଥିତି ଉପରେ ନିର୍ଭର କରେ ଓ ମା କ୍ଷୀର ଶିଶୁ ପାଇଁ ଏକ ଚିକିତ୍ସା ସଦୃଶ ହୋଇଥାଏ । ଆଉ କେତେକ ଭ୍ରାନ୍ତ ଧାରଣା ହେଉଛି ମାର କୋଲଷ୍ଟ୍ରମ ବା ଗାଢ ହଳଦିଆ କ୍ଷୀର ଶିଶୁକୁ ଦିଆଯିବା ଉଚିତ ନୁହେଁ । କିନ୍ତୁ ସତ ହେଉଛି ଏହା ଶିଶୁର ପ୍ରଥମ ଟିକା ଯାହାକି ଶିଶୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ ଓ ଶିଶୁକୁ ଆବଶ୍ୟକ ଭିଟାମିନ ଦେଇଥାଏ ।

ଟାଙ୍ଗୀ ସ୍ଥିତ ଗ୍ରାମୀଣସ୍ୱାସ୍ଥ୍ୟ ତାଲିମ କେନ୍ଦ୍ରର ମେଡିକାଲ ଅଫିସର ଓ ସ୍ୱାସ୍ଥ୍ୟ ସେବାପ୍ରଦାନକାରୀ କାଞ୍ଚନ ମଲ୍ଲିକ ଓ ସୁସ୍ମିତା ଦୋରା କହିଥିଲେ ଯେ ଏହି ଲକଡାଉନ ସମୟରେ ବି କର୍ମୀମାନେ ଘରକୁ ଘର ବୁଲି ମାମାନଙ୍କୁ ସ୍ତନ୍ୟପାନ, ମାସ୍କ ପିନ୍ଧିବା, ସ୍ୱଚ୍ଚତା ଓ ଶିଶୁକୁ ଠିକଭାବେ ଧରିବା ସମ୍ପର୍କରେ ବୁଝାଉଛନ୍ତି ।  ୟୁନିସେଫ, ଓଡ଼ିଶାର ଯୋଗାଯୋଗ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ କହିଥିଲେ ଯେ ଏହି କରୋନା ସମୟରେ ଗଣମାଧ୍ୟମ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି, କାରଣ କରୋନା ତଥ୍ୟ ପାଇଁ ଲୋକମାନେ ଗଣମାଧ୍ୟମ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । କିନ୍ତୁ ଲୋକମାନଙ୍କୁ ନିର୍ଭୁଲ ଖବର ପହଞ୍ଚାଇବା ଗଣମାଧ୍ୟମର ଦାୟିତ୍ୱ । ବରିଷ୍ଠ ସାମ୍ବାଦିକ ମନିଶ କୁମାର କହିଥିଲେ ଯେ ଏହି କର୍ମଶାଳା ଦ୍ୱାରା ଗଣମାଧ୍ୟମ ସ୍ତନ୍ୟପାନ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଅଧିକ ସତେଚନ ହୋଇପାରିଛି । ତେବେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଏପରି ଉଦ୍ୟମ ହେବା ଆବଶ୍ୟକ। ସ୍ତନ୍ୟପାନକୁ ପ୍ରେତ୍ସାହିତ କରିବାକୁ ଓ ଏଥିପାଇଁ ଏକ ସହାୟକ ବାତାବରଣ ସୃଷ୍ଟି କରିବାକୁ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହକୁ ସ୍ତନ୍ୟପାନ ସପ୍ତାହ ଭାବେ ପାଳନକରାଯାଏ । ଏ ବର୍ଷର ସ୍ତନ୍ୟପାନ ସପ୍ତାହର ଭାବନା ହେଉଛି ‘ଏକ ସୁସ୍ଥ ପୃଥିବୀ ପାଇଁ ସ୍ତନ୍ୟପାନକୁ ସମର୍ଥନ କର’ । ଏହା ଉପଲକ୍ଷେ ଅଗଷ୍ଟ ୬ରେ ଓଡ଼ିଶାରେ ଏମ୍‌ସ, ୟୁନିସେଫ ପକ୍ଷରୁ ଏହି ଗଣମାଧ୍ୟମ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଆରସିଏପିଏଚଏନର ବୈଷୟିକ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। କରୋନା ସମୟରେ ସ୍ତନ୍ୟପାନ ଓ ଦେଖାଯାଉଥିବା ସମସ୍ୟା ସମ୍ପର୍କରେ ଗଣମାଧ୍ୟମକୁ ସଚେତନ କରିବା ଏହାର ଲକ୍ଷ୍ୟ ଥିଲା । ଗବେଷଣା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ ପରାମର୍ଶରୁ ଜଣାପଡ଼ିଛି ଯେ ସ୍ତନ୍ୟପାନ ଦ୍ୱାରା କରୋନା ସଂକ୍ରମଣ ହୁଏ ନାହିଁ । ଏଣୁ ସ୍ତନ୍ୟପାନ ଲାଗି ଉପଯୁକ୍ତ ସ୍ୱଚ୍ଛତା ସହ ନିମ୍ନଲିଖିତ ଗାଇଡଲାଇନ ପାଳନ କରାଯିବା ଉଚିତ..

• ଶିଶୁକୁ ଧରିବା ପୂର୍ବରୁ ସବୁବେଳେ ହାତକୁ ସାବୁନ ଓ ପାଣି ଦ୍ୱାରା ପରିଷ୍କାର କରନ୍ତୁ ।
• ମା ସହ ସଂସ୍ପର୍ଶରେ ଆସୁଥିବା ସ୍ଥାନଗୁଡ଼ିକୁ ନିୟମିତଭାବେ ସାବୁନ ଓ ପାଣି ଦ୍ୱାରାପରିଷ୍କାର କରନ୍ତୁ ।
• ମା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ, ସେ ମାସ୍କ ପିନ୍ଧିବା ଆବଶ୍ୟକ
• ଲୋକମାନଙ୍କ ସହ ସାମାଜିକ ଦୂରତ୍ୱ ରଖନ୍ତୁ ଓ ମୁହଁ,ଆଖି ଓ ନାକ ଛୁଇଁବାରୁ ବିରତ ହୁଅନ୍ତୁ ।

 

Comments are closed.