ଦିଲ୍ଲୀ ଏମ୍ସର ଇ-ଆଇସିୟୁ ଭିଡିଓ ପରାମର୍ଶ କାର୍ଯ୍ୟକ୍ରମକୁ ସଫଳତା

୧୧ରାଜ୍ୟର ୪୩ ବଡ ଡାକ୍ତରଖାନା ସାମିଲ

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ଦିଲ୍ଲୀ ଏମ୍ସରେ ଗତ ୮ତାରିଖରେ ସାରା ଦେଶର ଆଇସିୟୁ ଡାକ୍ତରମାନଙ୍କ ସହିତ ଏକ ଭିଡିଓ ପରାମର୍ଶ କାର୍ଯ୍ୟକ୍ରମ ଇ-ଆଇସିୟୁ ଆରମ୍ଭ ହୋଇଥିଲା। ଦେଶରେ ଥିବା ଡାକ୍ତରଖାନା ଓ କୋଭିଡ କେନ୍ଦ୍ରଗୁଡିକରେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ମଧ୍ୟରେ ଚିକିତ୍ସା ସମ୍ବନ୍ଧୀୟ ଆଲୋଚନା କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଥିଲା। କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସମେତ ଆଇସିୟୁରେ କାର୍ଯ୍ୟରତ ଡାକ୍ତରମାନେ ଏହି ଭିଡିଓ ପ୍ଲାଟଫର୍ମରେ ଏମ୍ସ, ନୂଆଦିଲ୍ଲୀର ଅନ୍ୟ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ପ୍ରଶ୍ନ ପଚାରିବା ସହ ନିଜ ଅଭିଜ୍ଞତା ବାଣ୍ଟି ପାରିଛନ୍ତି ।

ଡାକ୍ତର ଓ ବିଶେଷଜ୍ଞମାନଙ୍କ ଅଭିଜ୍ଞତାକୁ ଆଧାର କରି ଆଇସୋଲେସନ ଶଯ୍ୟା, ଅମ୍ଳଜାନ ସୁବିଧା ଥିବା ଶଯ୍ୟା ଓ ଆଇସିୟୁ ଶଯ୍ୟା ସମେତ ୧ ହଜାର ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଉତ୍ତମ ଚିକିତ୍ସା ପ୍ରଣାଳୀ ଆପଣାଇ କୋଭିଡ-୧୯ ଜନିତ ମୃତ୍ୟୁ କମାଇବା ଏହି ଭିଡିଓ ଆଲୋଚନାର ପ୍ରମୁଖ ଉଦ୍ଦେଶ୍ୟ । ଏପର୍ଯ୍ୟନ୍ତ ମୁମ୍ବାଇ (୧୦), ଗୋଆ (୩), ଦିଲ୍ଲୀ (୩), ଗୁଜୁରାଟ (୩), ତେଲେଙ୍ଗାନା (୨), ଆସାମ (୫), କର୍ଣ୍ଣାଟକ (୧), ବିହାର (୧), ଆନ୍ଧ୍ରପ୍ରଦେଶ (୧), କେରଳ (୧), ତାମିଲନାଡୁର (୧୩) ୪୩ଟି ଡାକ୍ତରଖାନାକୁ ନେଇ ଚାରିଟି ଅଧିବେଶନ ଆୟୋଜିତ ହୋଇଯାଇଛି ।

ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ପ୍ରତ୍ୟେକ ଅଧିବେଶନର ସମୟ ସୀମା ଦେଢରୁ ୨ ଘଣ୍ଟା ରହିଥିଲା। ଏଥିରେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ଆଲୋଚନା ହୋଇଥିଲା। ରେମଡେସିଭିର, ଆରୋଗ୍ୟକାରୀ ପ୍ଲାଜମା ଓ ଟୋସିଲିଜୁମାବ ଭଳି ଅନୁସନ୍ଧାନମୂଳକ ଚିକିତ୍ସାର ଯୁକ୍ତି ସଙ୍ଗତ ବ୍ୟବହାରକୁ ଏହି ଆଲୋଚନାରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଅନୁସନ୍ଧାନମୂଳକ ଚିକିତ୍ସାର ଆଖିବୁଜା ପ୍ରୟୋଗ ଯୋଗୁଁ ହେଉଥିବା କ୍ଷତି ଓ ସାମାଜିକ ଗଣମାଧ୍ୟମ ଚାପର ବଶବର୍ତ୍ତୀ ହୋଇ ଚିକିତ୍ସା ବିଧି ସୀମିତ କରିବାର ଆବଶ୍ୟକତା ସମ୍ପର୍କରେ ଚିକିତ୍ସକ ଦଳ ଆଲୋଚନା କରିଛନ୍ତି।

ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପ୍ରୋନିଂ, ଉଚ୍ଚପ୍ରବାହ ଅମ୍ଳଜାନ, ନନ-ଇନଭେସିଭ ଭେଣ୍ଟିଲେସନ ଓ ଭେଣ୍ଟିଲେଟର ସେଟିଂସର ବ୍ୟବହାର ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। କୋଭିଡ-୧୯ ନିରୂପଣ ପାଇଁ ବିଭିନ୍ନ ପରୀକ୍ଷଣ ଶୈଳୀର ଭୂମିକା ସମ୍ପର୍କରେ ମଧ୍ୟ ଏଥିରେ ଆଲୋଚନା ହୋଇଥିଲା ।

ବାରମ୍ବାର ପରୀକ୍ଷଣର ଆବଶ୍ୟକତା, ଚିକିତ୍ସା ପାଇଁ ଭର୍ତ୍ତି ଓ ଡିସଚାର୍ଜ କରିବାର ମାନଦଣ୍ଡ, ରୋଗୀ ଡିସଚାର୍ଜ ହେବା ପରେ ଦେଖା ଯାଉଥିବା ରୋଗ ଲକ୍ଷଣଗୁଡିକର ପ୍ରବନ୍ଧନ ଓ ପୁନଶ୍ଚ କାମରେ ନିୟୋଜିତ ହେବା ଭଳି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ରୋଗୀଙ୍କ ସହ ଯୋଗାଯୋଗ ରଖିବା ପଦ୍ଧତି, ସ୍ୱାସ୍ଥ୍ୟ କର୍ମୀଙ୍କ ସ୍କ୍ରିନିଂ, ମଧୁମେହ ଯୋଗୁଁ ସୃଷ୍ଟ ନୂଆ ସମସ୍ୟାର ମୁକାବିଲା, ଷ୍ଟ୍ରୋକ, ଡାଇରିଆ, ମାୟୋକର୍ଡିଆଲ ଇନଫାରକେସନ ଭଳି ଅସାମାନ୍ୟ ପରିସ୍ଥିତି ଆଲୋଚନାର ବିଷୟବସ୍ତୁ ଥିଲା । ଏମ୍ସ, ନୂଆଦିଲ୍ଲୀର ଟିମ ପ୍ରତ୍ୟେକ ଭିଡିଓ ଆଲୋଚନା ବେଳେ ଅନ୍ୟ ଭିଡିଓ କନଫରେନ୍ସରେ ଆଲୋଚିତ ବିଷୟବସ୍ତୁ ଉପସ୍ଥାପିତ କରିବା ସହ ନିଜ ଅଭିଜ୍ଞତା ଆଧାରରେ ଆବଶ୍ୟକ ପରାମର୍ଶ ଦେଉଛନ୍ତି ଓ ବିଭିନ୍ନ ବିଷୟର ବିଶେଷଜ୍ଞମାନଙ୍କ ସହ ସମୀକ୍ଷା କରୁଛନ୍ତି।

ଆଗାମୀ ଦିନରେ ଦେଶରେ ଥିବା ଛୋଟ ଡାକ୍ତରଖାନା (୫୦୦ ଶଯ୍ୟା କିମ୍ବା ଅଧିକ)ର ଆଇସିୟୁ ଡାକ୍ତରମାନଙ୍କୁ ଏହି ଇ-ଆଇସିୟୁ ଭିଡିଓ ଆଲୋଚନା କାର୍ୟ୍ୟକ୍ରମରେ ସାମିଲ କରାଯିବ।

Comments are closed.