ଡାକ୍ତରଙ୍କ ଉତ୍ତମ ପରାମର୍ଶ, ସମବେଦନା, ମାର୍ଗଦର୍ଶନ ରୋଗୀଙ୍କ ପାଇଁ କାଉଁରୀ ସ୍ପର୍ଶ ଭଳି କାମ କରେ : ଉପରାଷ୍ଟ୍ରପତି

0

ଗ୍ରାମାଂଚଳ ଡାକ୍ତରଖାନାଗୁଡିକରେ ରୋଗୀ ସେବାକୁ  ପ୍ରାଥମିକତା ଦେବାକୁ ଡାକ୍ତରୀ ଛାତ୍ରମାନଙ୍କୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ

-ଏମ୍ସରେ ଚଳିତ ବର୍ଷ ୯୭୮ଟି ଅନୁମୋଦିତ ଶଯ୍ୟା ଏବଂ ୧୧୨ଟି ଶଯ୍ୟା ବିଶିଷ୍ଟ ଆଇସିୟୁ କାର୍ଯ୍ୟକ୍ଷମ ହେବ – କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

-ଖୋଲିବ ଅଗ୍ନିଘାତ ଚିକିତ୍ସା ୟୁନିଟ, ଚର୍ମ ବ୍ୟାଙ୍କ, ୨୪ ଘଂଟିଆ ଚିକିତ୍ସା ବ୍ୟବସ୍ଥା, ୫୬୦ ରୋଗୀ ଓ ସଂପର୍କୀୟ ରହିବା ପାଇଁ ରାତ୍ରୀ ବିଶ୍ରାମାଗାର

 -ଆୟୁଷ୍ମାନ ଭାରତ ଯୋଜନାରେ ୫୦ କୋଟି ଲୋକଙ୍କୁ ମିଳିବ ସୁନିଶ୍ଚିତ ସାମୁହିକ ସ୍ୱାସ୍ଥ୍ୟସେବା

-ବାଜପେୟୀଙ୍କ ସ୍ମୃତିରେ ଏମ୍ସ ଭୁବନେଶ୍ୱରରେ ସ୍ଥାପନ ହେବ ପ୍ରତିମୂର୍ତୀ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:  ମେଡିକାଲ ଛାତ୍ରମାନେ ଡାକ୍ତରୀ ଶିକ୍ଷାରେ ଉତୀର୍ଣ୍ଣ ହେବାପରେ ପ୍ରଥମେ ଗ୍ରାମାଞ୍ଚଳ ଡାକ୍ତରଖାନାଗୁଡିକରେ ରୋଗୀ ସେବାକୁ ପ୍ରାଥମିକତା ଦେବାକୁ ପଡିବ। ଏହାଦ୍ୱାରା ସେମାନେ ଗ୍ରାମାଞ୍ଚଳରେ ରହୁଥିବା ଲୋକ, ବିଭିନ୍ନ ସାମାଜିକ ଗୋଷ୍ଠୀ ବିଶେଷକରି ରୋଗୀମାନଙ୍କର ଜୀବନ ଶୈଳୀ ଉପରେ ଅନେକ କିଛି ଜ୍ଞାନ ଅର୍ଜନ କରିପାରିବେ ଯାହାକି ଭବିଷ୍ୟତରେ ଡାକ୍ତରୀ ଛାତ୍ରମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନରେ ଅନେକ ସାହାଯ୍ୟ କରିବ ବୋଲି ଉପରାଷ୍ଟ୍ରପତି  ଏମ. ଭେଙ୍କୟା ନାଇଡୁ କହିଛନ୍ତି। ଶନିବାର ଏମ୍ସ ଭୁବନେଶ୍ୱରର ପ୍ରଥମ ସମାବର୍ତନ ଉତ୍ସବରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଭାରତର ଆତ୍ମା, ଗ୍ରାମାଂଚଳରେ ରହିଛି। ଆମକୁ ବିଶେଷ ଭାବେ ଗ୍ରାମାଂଚଳର ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେବାକୁ ପଡିବ। କେନ୍ଦ୍ର ସରକାର ଏବେ ଅଧିକ ପ୍ରାଥମିକତା ଦେଇ ଗ୍ରାମାଂଚଳ ଡାକ୍ତରଖାନାଗୁଡିକର ଭିତିଭୂମିକୁ ସୁଦୃଢ କରୁଛନ୍ତି। ତାହାଛଡା ଡାକ୍ତର, ନର୍ସ ଏବଂ ମେଡିକାଲ କର୍ମଚାରୀମାନଙ୍କୁ ଆଧୁନିକ ଚିକିତ୍ସା ପଦ୍ଧତି, ନିଦାନ ବା ରୋଗ ନିରୂପଣ ତଥା ସ୍ୱାସ୍ଥ୍ୟ ସଂକ୍ରାନ୍ତ ଗବେଷଣା ଉପରେ ଅଧିକ ମନୋନିବେଶ କରିବାକୁ ପଡିବ। ରୋଗୀ ଏବଂ ସେମାନଙ୍କ ପରିବାରକୁ ଡାକ୍ତର ତଥା ଡାକ୍ତରଖାନା କର୍ତ୍ତୃପକ୍ଷ ନିୟମିତ ଭାବେ ସ୍ୱାସ୍ଥ୍ୟର କିପରି ଯତ୍ନ ନିଆଯାଇପାରିବ ସେଥିଲାଗି ମାର୍ଗଦର୍ଶନ କରିବା ଆବଶ୍ୟକ।

ଉପରାଷ୍ଟ୍ରପତି କହିଥିଲେ ଯେ ସ୍ୱଚ୍ଛତା ରକ୍ଷା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିପାରିବ। ଏଥିଲାଗି କେନ୍ଦ୍ର ସରକାର ଏବେ ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା ପରିମଳ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ସ୍ୱଚ୍ଛତାର ଅର୍ଥ ହେଉଛି- ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ ଏବଂ ଶକ୍ତିମାନ ଭାରତ। ସେ କହିଥିଲେ ଯେ ଆଜିକାଲିର ଦୃତ ଜୀବନଶୈଳୀ ମଧ୍ୟରେ ଆମର ଶାରିରୀକ ଚଳନ କ୍ଷମତା ହ୍ରାସ ପାଉଛି। ଏଣୁ ଦୈନିକ ଯୋଗ, ବ୍ୟାୟାମ, ପ୍ରାଣାୟମ, ଭ୍ରମଣ ଆଦି ଶରୀର ଚର୍ଯ୍ୟା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ। ପ୍ରତ୍ୟେକ ବ୍ୟକ୍ତି ଓ ପରିବାରର ଉନ୍ନତ ସ୍ୱାସ୍ଥ୍ୟ ସହ ଦେଶର ଆର୍ଥିକ ପ୍ରଗତି ଓ ଅଭିବୃଦ୍ଧି ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି ଉପରାଷ୍ଟ୍ରପତି କହିଥିଲେ। ଜୀବନଶୈଳୀରେ ପରିବର୍ତନ ଦ୍ୱାରା ଅନେକ ରୋଗକୁ ଦୂର କରାଯାଇପାରିବ। ଡାକ୍ତରମାନେ ହସ୍ପିଟାଲକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ତଥା ରୋଗୀଙ୍କୁ କ୍ୟାନସର ଭଳି ମାରାତ୍ମକ ବ୍ୟାଧିର ବ୍ୟୟବହୁଳ ଚିକିତ୍ସା ଉପରେ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ। ବିଶେଷକରି ଫାଷ୍ଟ ଫୁଡ ତଥା ଜଙ୍କ ଫୁଡ ଭଳି ଖାଦ୍ୟଠାରୁ ଜନସାଧାରଣ କାହିଁକି ଦୂରେଇ ରହିବା ଉଚିତ୍‍ ସେଥିନେଇ ଡାକ୍ତରମାନେ ଚିକିତ୍ସା ସମୟରେ ଲୋକଙ୍କୁ, ରୋଗୀଙ୍କୁ ଏବଂ ସେମାନଙ୍କ ପରିବାରକୁ ମାର୍ଗଦର୍ଶନ କରାଇବା ଉଚିତ୍‍। ସେ କହିଥିଲେ ଯେ କେବଳ ଔଷଧ ଲେଖିଦେଲେ ଜଣେ ରୋଗୀର ଚିକିତ୍ସା ହୁଏନାହିଁ ତାକୁ ନିୟମିତ ଭାବେ ପରାମର୍ଶ ଓ ମାର୍ଗଦର୍ଶନ କରିବାକୁ ପଡିବ। ଡାକ୍ତରଙ୍କ ଉତ୍ତମ ପରାମର୍ଶ, ସମବେଦନା ତଥା ମାର୍ଗଦର୍ଶନ ରୋଗୀଙ୍କ ପାଇଁ କାଉଁରୀ ସ୍ପର୍ଶ ଭଳି କାମ କରିଥାଏ ବୋଲି ସେ କହିଥିଲେ। ସମାବେଶରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କୃତୀ ମେଡିକାଲ ଛାତ୍ର ଛାତ୍ରୀମାନଙ୍କୁ ମେଡାଲ ପ୍ରଦାନ କରିଥିଲେ।

ସମାବର୍ତନ ଉତ୍ସବରେ ଉଦ୍‍ବୋଧନ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି ନଡ୍ଡା କହିଥିଲେ ଯେ ଏବେ ଦେଶରେ ୨୨ ଟି ଏମ୍ସ ହସ୍ପିଟାଲ ନିର୍ମାଣାଧୀନ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ମହାନ ରାଷ୍ଟ୍ରନୀତିଜ୍ଞ ସ୍ୱର୍ଗୀୟ ଶ୍ରୀ ଅଟଳ ବିହାରୀ ବାଜପେୟୀ ୧୫ ଜୁଲାଇ, ୨୦୦୩ରେ ଏମ୍ସ, ଭୁବନେଶ୍ୱରର ଭିତିପ୍ରସ୍ଥର ସ୍ଥାପନ କରିଥିଲେ। ୨୦୧୨ରେ ଭୁବନେଶ୍ୱର ଏମ୍ସ କାର୍ଯ୍ୟକ୍ଷମ ହୋଇଥିଲା ଏବଂ ଏମବିବିଏସର ପ୍ରଥମ ବ୍ୟାଚରେ ୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ଏହାପରେ ୨୦୧୩ ଠାରୁ ଛାତ୍ରଛାତ୍ରୀଙ୍କ ସିଟ ସଂଖ୍ୟା ୧୦୦କୁ ବୃଦ୍ଧି ହୋଇଥିଲା। ୨୦୧୩ ଶିକ୍ଷା ବର୍ଷରେ ବିଏସସି (ନର୍ସିଂ)ର ପ୍ରଥମ ବ୍ୟାଚର ୬୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ୨୦୧୨ରେ ଏକ ଛୋଟ ଘରୁ ଆରମ୍ଭ ହୋଇଥିବା ଏହି ସଂସ୍ଥାନ ଏବେ ଏକ ବିରାଟ ପରିସରରେ ପରିଣତ ହୋଇଛି। ବର୍ତମାନର ଡାକ୍ତରଖାନାକୁ ବାଦ ଦେଇ ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଡାକ୍ତରଖାନାର ୯୭% କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଲାଣି ଏବଂ ଅବଶିଷ୍ଟ କାର୍ଯ୍ୟ ଗୋଟିଏ କିମ୍ବା ଦୁଇ ମାସ ମଧ୍ୟରେ ଶେଷ ହେବ। ସେ କହିଥିଲେ ଯେ ଏମ୍ସ, ଭୁବନେଶ୍ୱରରେ ଶିକ୍ଷାଦାନ କାର୍ଯ୍ୟ ଏବେ ବ୍ୟାପକ ଭାବେ ବୃଦ୍ଧି ପାଇଛି। ଏଠାରେ ୯୦୦ରୁ ଅଧିକ ଛାତ୍ରଛାତ୍ରୀ ଏମବିବିଏସ/ଏମଡି/ଏମଏସ/ଏମସିଏଚ, ବିଏସସି(ନର୍ସିଂ)/ଏମଏସସି.(ନର୍ସିଂ), ବିଭିନ୍ନ ମେଡ଼ିକାଲ ପ୍ରଯୁକ୍ତି ପାଠ୍ୟକ୍ରମରେ ବିଏସସି ପଢ଼ୁଛନ୍ତି। ଏମ୍ସ, ଭୁବନେଶ୍ୱରେ ବିଭିନ୍ନ କାର୍ଯ୍ୟକ୍ଷମ ବିଭାଗରେ ପିଜି ପାଠ୍ୟକ୍ରମ ଖୋଲାଯିବ ଯାହା ଦେଶରେ ସ୍ପେଶାଲିଷ୍ଟ/ସୁପର ସ୍ପେଶାଲିଷ୍ଟ ଡାକ୍ତରମାନଙ୍କ ଅଭାବ ପୂରଣ କରିବ। ମେଡ଼ିକାଲ କ୍ଷେତ୍ରରେ ନୂତନ ପରିବର୍ତନ ସହିତ ତାଳ ଦେଇ ଏମ୍ସ, ଭୁବନେଶ୍ୱର ପକ୍ଷରୁ ବିଭିନ୍ନ ଡାକ୍ତରୀ ପାଠ୍ୟକ୍ରମରେ ନୂଆ ପାଠ୍ୟଖସଡ଼ା ଅଣାଯାଇଥିବା ଜାଣି ସେ ବେଶ ଆନନ୍ଦିତ। ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଗବେଷଣା କାର୍ଯ୍ୟକ୍ରମ ପ୍ରଚଳନ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଏମ୍ସ, ଭୁବନେଶ୍ୱରର ଏକ ପ୍ରଶଂସନୀୟ କାର୍ଯ୍ୟ। ଶ୍ରୀ ନଡ୍ଡା କହିଥିଲେ ଏହି ସଂସ୍ଥାନରେ ସର୍ବାଧିକ ସଂଖ୍ୟକ ନିୟମିତ ଅଧ୍ୟାପକ ଅଛନ୍ତି ଏବଂ ସର୍ବାଧିକ ସଂଖ୍ୟା କାର୍ଯ୍ୟକ୍ଷମ ବିଭାଗ ରହିଛି।

ଏମ୍ସ, ଭୁବନେଶ୍ୱର ଡାକ୍ତରଖାନାକୁ ୨୦୧୭- ୧୮ ବର୍ଷରେ ୫,୫୪,୯୭୫ ଜଣ ରୋଗୀ ଅସିଛନ୍ତି ଯାହାକି ଗତ ବର୍ଷ ତୁଳନାରେ ୩୦% ଅଧିକ। ସେହିପରି ୨୦୧୭-୧୮ ବର୍ଷରେ ଆଇପିଡି ରୋଗୀଙ୍କ ସଂଖ୍ୟା ୧୮,୦୨୪ ଥିଲା, ଯାହା ଗତବର୍ଷ ଅପେକ୍ଷା ୧୮% ଅଧିକ। ଗତ ବର୍ଷ ଏହି ଡାକ୍ତରଖାନାରେ ୫,୭୨୨ଟି ବଡ଼ ଏବଂ ୪,୬୩୦ଟି ଛୋଟ ଅସ୍ତ୍ରୋପଚାର ହୋଇଛି। ଚଳିତ ବର୍ଷ ଏହି ଡାକ୍ତରଖାନାରେ ୯୭୮ଟି ଅନୁମୋଦିତ ଶଯ୍ୟା ଏବଂ ୧୧୨ଟି ଶଯ୍ୟା ବିଶିଷ୍ଟ ଆଇସିୟୁ କାର୍ଯ୍ୟକ୍ଷମ ହେବ ଯାହା ଅପେକ୍ଷାରେ ଥିବା ଅସ୍ତ୍ରୋପଚାର ସଂଖ୍ୟା କମାଇବ ଏବଂ ଅଧିକରୁ ଅଧିକ ଲୋକ ଲାଭାନ୍ୱିତ ହେବେ ବୋଲି ସେ କହିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ ଆଜି ‘ରାତ୍ରି ଆଶ୍ରୟସ୍ଥଳ’ ଏବଂ ‘ଦଗ୍ଧାଘାତ ଚିକିତ୍ସା ୟୁନିଟ’ ପାଇଁ ଭିତିପ୍ରସ୍ଥର ସ୍ଥାପନ କରାଯାଇଛି ଯାହା ଏମ୍ସ, ଭୁବନେଶ୍ୱରରେ ଭିତିଭୂମିକୁ ଆହୁରି ଉନ୍ନତ କରିବ। ଧର୍ମଶାଳା(ରାତ୍ରି ଆଶ୍ରୟସ୍ଥଳୀ) ପାଇଁ ନାଲକୋ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇଛି। ଏମ୍ସ, ଭୁବନେଶ୍ୱର ଠାରେ ୨୬ କୋଟି ଟଙ୍କା ବ୍ୟୟରେ ଏହି କୋଠା ନିର୍ମାଣ କରାଯିବ ଏବଂ ଏଥିରେ ୫୬୦ ଜଣ ରୋଗୀ/ଆଟେଣ୍ଡାଂଟ ରହିପାରିବେ। ୧୪.୮୨ କୋଟି ଟଙ୍କାରେ ଅଗ୍ନିଘାତ ଚିକିତ୍ସା ୟୁନିଟ ନିର୍ମାଣ କରାଯିବ ଏଥିପାଇଁ ଏନଟିପିସି ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯିବ। ଏନଟିପିସି ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇସାରିଛି। ଦେଶର ସମ୍ପୂର୍ଣ୍ଣ ପୂର୍ବ ଭାଗରେ କୌଣସି ସରକାରୀ ସ୍ୱାସ୍ଥ୍ୟସେବା ସଂସ୍ଥାନରେ ଏପରି ବ୍ୟବସ୍ଥା ହେବା ପ୍ରଥମ। ଏହି ଅଗ୍ନିଘାତ ଚିକିତ୍ସା କେନ୍ଦ୍ରରେ ୫୦ଟି ଶଯ୍ୟା, ୬ଶଯ୍ୟା ବିଶିଷ୍ଟ ଆଇସିୟୁ, ଏକ ଅସ୍ତ୍ରୋପଚାର ଗୃହ ଏବଂ ଏକ ହ୍ୱିର୍ଲପୁଲ ସାୱାର ଜେଟ ସ୍ନାନ ବ୍ୟବସ୍ଥା ରହିବ। ପୋଡ଼ି ହୋଇଯାଇଥିବା ରୋଗୀଙ୍କ ପାଇଁ ଏଠାରେ ଚର୍ମ ବ୍ୟାଙ୍କ ସମେତ ୨୪ ଘଂଟିଆ ଚିକିତ୍ସା ବ୍ୟବସ୍ଥା ରହିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ଶ୍ରୀ ନଡ୍ଡା କହିଥିଲେ ଯେ ମେଡ଼ିକାଲ କଲେଜ ଗୁଡ଼ିକରେ ନାମ ଲେଖାଇବା ନିମନ୍ତେ ଗୋଟିଏ କାଉନସେଲିଂ ବାଧ୍ୟତାମୂଳକ କରିବା ଲାଗି ସ୍ନାତକ ଡାକ୍ତରୀ ଶିକ୍ଷା ନିୟାମକ ଏବଂ ସ୍ନାତୋକୋତର ଡାକ୍ତରୀ ଶିକ୍ଷା ନିୟାମକରେ ଆବଶ୍ୟକ ସଂଶୋଧନ କରାଯାଇଛି। ୨୦୧୪- ୧୫ ପର ଠାରୁ ୮,୫୦୦ ସ୍ନାତୋକୋତର ଏବଂ ୧୬, ୦୦୦ ସ୍ନାତକ ସିଟ ବୃଦ୍ଧି ପାଇଛି। ବର୍ତମାନର ଡାକ୍ତରୀ କଲେଜଗୁଡ଼ିକର ଉନ୍ନତିକରଣ କରାଯାଉଛି, ସାରା ଦେଶରେ ଏପରି ୭୦ଟି ମେଡ଼ିକାଲ ଜଲେଜରେ ସୁପର ସ୍ପେଶାଲିଟି ବ୍ଲକ ପ୍ରତିଷ୍ଠା କରାଯାଇଛି। ୫୮ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡ଼ିକାଲ କଲେଜରେ ଉନ୍ନତିକରଣ କରି ଆମେ ମେଡିକାଲ କଲେଜ ନେଟୱାର୍କକୁ ବ୍ୟାପକ ଭାବେ ବିସ୍ତାର କରୁଛୁ। ଚଳିତ ବର୍ଷର ବଜେଟରେ ୨୪ଟି ନୂଆ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ଘୋଷଣା କରାଯାଇଛି। ୨୦ଟି ରାଜ୍ୟ କର୍କଟ ସଂସ୍ଥାନ ଏବଂ ୫୦ଟି ତୃତୀୟକ କର୍କଟ ଚିକିତ୍ସା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଉଛି। ଶ୍ରୀ ନଡ୍ଡା କହିଥିଲେ ଯେ ଗରିବ ଏବଂ ସମାଜର ନିମ୍ନବର୍ଗରୁ ଆସିଥିବା କାରଣରୁ କୌଣସି ରୋଗୀ ଯେପରି ସ୍ୱାସ୍ଥ୍ୟସେବାରୁ ବଂଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ଦୁର୍ବଳ ବର୍ଗର ୫୦ କୋଟି ଲୋକଙ୍କୁ ସୁନିଶ୍ଚିତ ସାମୁହିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି। ଆୟୁଷ୍ମାନ ଭାରତ ଅଧୀନରେ, ସାମଗ୍ରୀକ ସ୍ୱାସ୍ଥ୍ୟ ପହଁଚ ମାର୍ଗରେ ଆମ ଦେଶକୁ ନେଇଯିବା ଲାଗି ପ୍ରଭାବୀ ରେଫରାଲ ସଂଯୋଗ ସହିତ ବିସ୍ତୃତ ପ୍ରାଥମିକ ଚିକିତ୍ସା ସେବା ଏବଂ ଗରିବମାନଙ୍କୁ ମାଧ୍ୟମିକ ଏବଂ ତୃତୀୟକ ଡାକ୍ତରୀ ଯତ୍ନ ପାଇଁ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ (ଏନଏଚପିଏମ) ଦୁଇଟି ସ୍ତମ୍ଭ ଯାହା ନିର୍ଦ୍ଧାରଣ କରାଯାଇଛି। ଆୟୁଷ୍ମାନ ଭାରତ ଅଧୀନରେ ଏହି ଦୁଇଟି ଦୂରଦର୍ଶୀ ପଦକ୍ଷେପ ୨୦୨୨ ସୁଦ୍ଧା ଏକ ନୂତନ ଭାରତ ନିର୍ମାଣ କରିବ ଏବଂ ଉତ୍ପାଦକତା, କଲ୍ୟାଣ ବୃଦ୍ଧି କରିବା ସହିତ ଶ୍ରମଜନିତ କ୍ଷତି ଓ ଦାରିଦ୍ର୍ୟ ଦୂର କରିବ। ସେ କହିଥିଲେ ଯେ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ (ଏନଏଚପିଏମ) ପ୍ରଚଳନ ହେବା ଫଳରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରୀୟ ଯୋଜନା ଦ୍ୱାରା କ୍ଷେତ୍ରୀୟ, ଖଣ୍ଡିତ ଏବଂ ବିଭାଜିତ ସେବା ଯୋଗାଣରେ ପରବର୍ତନ ଆସିବ ଏବଂ ଏକ ଅଧିକ, ଆହୁରି ବିସ୍ତାରିତ ତଥା ଆବଶ୍ୟକତା ଭିତିକ ଉନ୍ନତ ମାଧ୍ୟମିକ ଏବଂ ତୃତୀୟ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠା ହୋଇପାରିବ ଯାହାଦ୍ୱାରା ଅଧିକ ଡାକ୍ତରଙ୍କ ଆବଶ୍ୟକତା ପୂରଣ ହୋଇପାରିବ। ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଏବଂ ଆମ ଦେଶର କଲ୍ୟାଣକୁ ଏକ ନୂତନ ଉଚ୍ଚତାକୁ ନେଇଯିବା ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଯୋଡ଼ି ହେବା ଲାଗି ଆମନ୍ତ୍ରଣ କରୁଛି। ଏହି ଅବସରରେ ସ୍ନାତକ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବାର୍ତା ହେଉଛି ଚିକିତ୍ସା ଏକ ପେସା ନୁହେଁ ଏକ ବୃତି। ଆପଣମାନେ ଶିକ୍ଷା ଗ୍ରହଣ କରିବା ଏବଂ ନିଜ ଜ୍ଞାନ ଓ କୌଶଳକୁ ଅଧୁନାତନ କରିବା ଲାଗି କେବେ ବନ୍ଦ କରିବେ ନାହିଁ ଏବଂ ଏଥିସହିତ ରୋଗୀଙ୍କୁ ମାନବତା ଏବଂ କରୁଣା ଭାବ ନେଇ ଚିକିତ୍ସା କରିବା ଆବଶ୍ୟକ। ସେମାନେ ମଣିଷ, କେବଳ ଅଙ୍ଗପ୍ରତ୍ୟେଙ୍ଗର ସମାହାର ନୁହନ୍ତି। ସେମାନଙ୍କ ଭିନ୍ନ ଜୀବନ କାହାଣୀ ରହିଛି, ଯାହା ପରିବାରରେ, ଗୋଷ୍ଠୀରେ ଏବଂ ସମାଜରେ ସେମାନଙ୍କ ସ୍ଥାନ ସହିତ ଜଡ଼ିତ, ଯେଉଁଠି ମହିଳା ଏବଂ ବାଳିକାମାନଙ୍କୁ ସାଧାରଣତଃ ନିମ୍ନ ସ୍ଥାନ ଦିଆଯାଇଥାଏ। ଏସବୁ ପରିସ୍ଥିତି ଅସୁସ୍ଥତା ଏବଂ ଆରୋଗ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ୍ଡା କହିଥିଲେ।

ସମାବେଶରେ ଉଦବୋଧନ ଦେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ କେନ୍ଦ୍ର ସରକାର ଗତ ତିନି ବର୍ଷ ମଧ୍ୟରେ ରାଜ୍ୟକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ବିକାଶ ପାଇଁ ପ୍ରାୟ ୩ ହଜାର କୋଟି ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି। କେନ୍ଦ୍ର ସରକାର ସବୁ ସମୟରେ ଓଡ଼ିଶାକୁ ସହାୟତାର ହାତ ବଢାଇଛନ୍ତି। ଏଣୁ ରାଜ୍ୟ ସରକାର ସହଯୋଗର ହାତ ବଢାଇଲେ ଓଡ଼ିଶାର ଦୃତ ଅଭିବୃଦ୍ଧି ଓ ବିକାଶ ହୋଇପାରିବ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଅନେକ ଜଟିଳ ଅସ୍ତ୍ରୋପ୍ରଚାର ପାଇଁ ବେଳେବେଳେ ରାଜ୍ୟର ରୋଗୀମାନଙ୍କୁ ବାହାରକୁ ଯିବାକୁ ପଡୁଛି। ଜଗା ବଳିଆ ଜାଆଁଳା ଶିଶୁଙ୍କ ମୁଣ୍ଡରେ ହୋଇଥିବା ଅସ୍ତ୍ରୋପ୍ରଚାର ଭଳି ଜଟିଳ ଅସ୍ତ୍ରୋପ୍ରଚାର ଭୁବନେଶ୍ୱର ସ୍ଥିତ ଏମ୍ସରେ କିଭଳି କରାଯାଇପାରିବ ସେ ଦିଗରେ କର୍ତୃପକ୍ଷ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ପୂର୍ବ ଭାରତରେ ପ୍ରସିଦ୍ଧି ଅର୍ଜନ କରିଥିବା ଏମ୍ସ ଭୁବନେଶ୍ୱରରେ ଆହୁରୀ ନୂଆ ନୂଆ ବିଭାଗ ଖୋଲିବାର ଆବଶ୍ୟକତା ରହିଛି। ବିଶେଷକରି ଟ୍ରାଉମା କେୟାର, କ୍ୟାନସର ଚିକିତ୍ସା, ଯନ୍ତ୍ରଣା ସେବା ଓ ଚିକିତ୍ସା, ଆଧୂନିକ ରୋଗ ନିରୂପଣ ବ୍ୟବସ୍ଥା କ୍ଷେତ୍ରରେ ଆଗେଇବାକୁ ପଡିବ। ଶ୍ରୀ ପ୍ରଧାନ କହିଥିଲେ ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ୧୫ ଜୁଲାଇ ୨୦୦୩ ମସିହାରେ ଏହି ଅନୁଷ୍ଠାନର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ସେହି ଅନୁଷ୍ଠାନ ଏବେ ଏକ ପୂର୍ଣ୍ଣାଙ୍ଗ ହସ୍ପିଟାଲରେ ପରିଣତ ହୋଇଛି ଏବଂ ଆଧୂନିକ ଚିକିତ୍ସା କ୍ଷେତ୍ରରେ ରହିଥିବା ଆଂଚଳିକ ବୈଷମ୍ୟକୁ ଅନେକାଂଶରେ ଦୂର କରିପାରିଛି। ବାଜପେୟୀଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱର ପରିସର ମଧ୍ୟରେ ତାଙ୍କର ଏକ ପ୍ରତିମୂର୍ତୀ ସ୍ଥାପନ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ.ପି.ନଡ୍ଡା ତାଙ୍କ ପ୍ରସ୍ତାବକୁ ସାଦରେ ଗ୍ରହଣ କରି ଖୁବଶୀଘ୍ର ଅଟଳ ବିହାରୀ ବାଜପେୟୀଙ୍କ ଏକ ପ୍ରତିମୂର୍ତୀ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ।

ସମାବର୍ତନ ସମାରୋହରେ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ।

Comments
Loading...