ଯୁବକଙ୍କୁ ନୂଆ ଜୀବନ ଦେଲେ ଏମ୍‌ସ ଡାକ୍ତର

ଭୁବନେଶ୍ୱର/ଖଣ୍ଡଗିରି: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି। ମହାମାରୀ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଡାକ୍ତରଖାନାରେ ରୋଗୀଙ୍କୁ ରଖି ଚିକିତ୍ସା କରାଯାଉଛି। ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟରେ ରଖି ସମସ୍ତ ଡାକ୍ତରଖାନା ବହିର୍ବିଭାଗ(ଓପିଡି)ରେ ରୋଗୀସେବା ବନ୍ଦ କରି ଦିଆଯାଇଛି। ଘରୋଇ ଡାକ୍ତରଖାନାଗୁଡ଼ିକ ମଧ୍ୟ ସଂକ୍ରମଣ ଭୟରେ ରୋଗୀଙ୍କୁ ଭର୍ତ୍ତି କରୁନାହାନ୍ତି। ଏପରିସ୍ଥଳେ ଏମ୍‌ସ ଭୁବନେଶ୍ୱରରେ ଅଧରାତିରେ ମସ୍ତିଷ୍କ ଅସ୍ତ୍ରୋପଚାର  ସହିତ ଯୁବକଙ୍କ ମୁଣ୍ଡରେ ଖପୁରି ଲଗାଯାଇ ଜଣେ  ଯୁବକଙ୍କୁ ନୂଆ ଜୀବନ ଦିଆଯାଇଛିି।

ରବିବାର ଅପରାହ୍ଣରେ ବିଦ୍ୟୁତ୍‍ ଆଘାତ ଲାଗି ଟାଟା ପାୱାର  ଅଧୀନସ୍ଥ କର୍ମଚାରୀ ସୁମନ ବେହେରାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକଙ୍କ ସହାୟତରେ କର୍ମଚାରୀମାନେ ସୁମନଙ୍କୁ ଏମ୍‌ସରେ ଭର୍ତ୍ତି କରିଥିଲେ। ଜରୁରୀକାଳୀନ ଚିକିତ୍ସା କକ୍ଷରୁ ଚିକିତ୍ସା ସାରି ୱାର୍ଡକୁ ନିଆଯିବା ବେଳକୁ ସୁମନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା। ରାତି ୯ଟାରେ ସ୍ନାୟୁଶଲ୍ୟ (ନ୍ୟୁରୋସର୍ଜନ, ମସ୍ତିଷ୍କ ରୋଗ ବିଶେଷଜ୍ଞ) ପ୍ରଫେସର ଡା. ଗୌରବ କହିଥିଲେ ୨ଘଣ୍ଟା ମଧ୍ୟରେ ମସ୍ତିଷ୍କ ଅସ୍ତ୍ରୋପଚାର କରା ନ ଗଲେ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିବ। ରୋଗୀ ପକ୍ଷରେ ବଞ୍ଚିବା କଷ୍ଟକର ହୋଇପଡ଼ିବ।

ସୁମନଙ୍କ ପାଖରେ ପରିବାର ଲୋକ ନଥିଲେ। ହେଲେ ଡା. ଗୌରବ ଏବଂ ଡା. ଜୟଦେବ ତୁରନ୍ତ ଅସ୍ତ୍ରୋପଚାର ପାଇଁ ବନ୍ଦୋବସ୍ତ କରିଥିଲେ।  ଡାକ୍ତରୀ ଦଳଙ୍କୁ ଧରି ରାତି ୧୧ଟା ବେଳକୁ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ମସ୍ତିଷ୍କର ପଛପାଖ ଖପୁରି ଗୁରୁତର ଆଘାତ ପାଇଥିବାରୁ ଡାକ୍ତର ଖପୁରି ବାହାର କରି ଅସ୍ତ୍ରୋପଚାର କରିଥିଲେ। ଏହି ଅସ୍ତ୍ରୋପଚାର ସକାଳ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଏବେ ରୋଗୀ ସୁସ୍ଥ ଥିବା ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ସୁମନଙ୍କ ଘର ନୟାଗଡ଼ ଜିଲାର ଦଶପଲ୍ଲା ଅଞ୍ଚଳରେ। ତାଙ୍କ ସ୍ତ୍ରୀ ଆସି ନପାରିବା ହେତୁ ସୁମନଙ୍କ ପାଖରେ ସାଙ୍ଗ ମୃତ୍ୟୁଞ୍ଜୟ ପଣ୍ଡା ରହି ଦେଖାଶୁଣା କରୁଛନ୍ତି।

ସୂଚନାଯୋଗ୍ୟ, ଗୋହିରାଛକ କଳିଙ୍ଗ ଇଷ୍ଟେଟରେ ବିଦ୍ୟୁତ୍‍ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ହଠାତ୍‍ ବିଦ୍ୟୁତ୍‍ ଆସିଯାଇଥିଲା। ବିଦ୍ୟୁତ୍‍ ଆଘାତ ପାଇ ସୁମନ ଖୁଣ୍ଟରୁ ତଳକୁ ଖସି ପଡ଼ିଥିଲେ। ତାଙ୍କ ଡାହାଣ ହାତ ପୋଡ଼ିଯିବା ସହ ୨ ଆଙ୍ଗୁଠି ଭାଙ୍ଗି ଯାଇଥିଲା।

Comments are closed.