ଆସନ୍ତାବର୍ଷରୁ ଏମ୍ସ ହେବ ଇ-ହସ୍ପିଟାଲ, ପେପରଲେସ ହେବ ଏମ୍ସ ଚିକିତ୍ସା ସମ୍ପର୍କିତ ପଞ୍ଜୀକରଣ ବ୍ୟବସ୍ଥା
ଏମ୍ସରେ ହେବ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଓ ସାଟେଲାଇଟ ସେଣ୍ଟର

ଭୁବନେଶ୍ବର: ସମ୍ପୂର୍ଣ୍ଣ ପେପରଲେସ ହେବ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଚିକିତ୍ସା ସମ୍ପର୍କିତ ପଞ୍ଜୀକରଣ ବ୍ୟବସ୍ଥା। ଆସନ୍ତାବର୍ଷରୁ ଏମ୍ସ ହେବ ଇ-ହସ୍ପିଟାଲ। ସମୀକ୍ଷା ପାଇଁ ଭୁବନେଶ୍ବର ଏମ୍ସ ଗସ୍ତବେଳେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି। ରୋଗୀ ପଞ୍ଜୀକରଣରେ ସୁଧାର ହେବ। ଏହି ନିର୍ଦେଶନାମା ଖୁବ ଶୀଘ୍ର ଲାଗୁ କରାଯିବ ବୋଲି ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ପ୍ରକାଶ କରିଛନ୍ତି। ଭୁବନେଶ୍ବର ଏମ୍ସକୁ ଦୈନିକ ୧୦ହଜାରରୁ ଅଧିକ ରୋଗୀ ଆସୁଥିବାରୁ ବିକଳ୍ପ ବ୍ୟବସ୍ଥା ହେବ। ଗୁରୁତର ରୋଗୀଙ୍କୁ ଏମ୍ସରେ ଚିକିତ୍ସା ପାଇଁ ଗୁରୁତ୍ବ ଦିଆଯିବ। ବିଭିନ୍ନ ହସପିଟାଲରୁ ସାଧାରଣ ରୋଗୀଙ୍କୁ ମଧ୍ୟ ଏମ୍ସ ରେଫର କରାଯାଉଛି। ସାଧାରଣ ରୋଗୀଙ୍କୁ ନ ପଠାଇବାକୁ ସବୁ ହସପିଟାଲ ସହ ଆଲୋଚନା ହେବ ବୋଲି ସେ ପ୍ରକାଶ କରିଛନ୍ତି।
ଆସନ୍ତା ବର୍ଷରୁ ସଂପୂର୍ଣ୍ଣ ପେପରଲେସ୍ ହେବ ଭୁବନେଶ୍ୱର ଏମ୍ସ। ଚିକିତ୍ସା ସଂପର୍କିତ ସମସ୍ତ ପଞ୍ଜିକରଣ ବ୍ୟବସ୍ଥାରେ ସୁଧାର ହେବ। ଏମ୍ସରେ ପ୍ରତ୍ୟେକ ଦିନ ୧୦ ହଜାରରୁ ଅଧିକ ରୋଗୀଙ୍କ ଭିଡ଼ ଲାଗୁଥିବାରୁ ଖୁବଶୀଘ୍ର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଇଛି। ଆଜି ଏମ୍ସ ଗସ୍ତରେ ଆସି ସ୍ଥିତି ପରଖିବା ସହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର। ଏହି ଅବସରରେ ଭାରତୀ ପ୍ରବୀଣ ପାୱାର କହିଛନ୍ତି ଯେ ଲୋକଙ୍କ ସୁବିଧା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଏହା ଦ୍ୱାରା ଗରିବ ଲୋକେ ୫ ଲକ୍ଷ ଟଙ୍କା ବୀମାର ସୁବିଧା ପାଇବେ। କେନ୍ଦ୍ର ସରକାର ଏମ୍ସର ଉନ୍ନତିକରଣ ନିମନ୍ତେ ଗୁରୁତ୍ୱ ଦେଉଛନ୍ତି। ଖୁବ୍ଶୀଘ୍ର ଏଠାରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଓ ସାଟେଲାଇଟ ସେଣ୍ଟର ହେବାକୁ ଯାଉଛି। ରୋଗୀ ଓ ରୋଗୀଙ୍କ ସମ୍ପର୍କିୟ ରହଣି ନିମନ୍ତେ ବିଶ୍ରାମ କେନ୍ଦ୍ର ହେବାକୁ ଯାଉଛି। କେନ୍ଦ୍ର ସରକାର ଦେଶର ସମସ୍ତ ରାଜ୍ୟରେ ଗୋଟିଏ ଲେଖାଏଁ ଏମ୍ସ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଖୁବ୍ଶୀଘ୍ର ଦେଶରେ ୨୨ଟି ଏମ୍ସ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଥିବା ସେ କହିଛନ୍ତି। ଏହି ଗସ୍ତ ବେଳେ ସେ ଏମ୍ସ ଭିତରେ ବହୁ ଉପଯୋଗୀ ଭବନର ଲୋକାର୍ପଣ କରିଥିଲେ।
Comments are closed.