ଏମ୍ସରେ ମିଳୁନି ଜଟିଳ ରୋଗୀଙ୍କୁ ଶଯ୍ୟା

ଭୁବନେଶ୍ବର: ଅଖିଳ ଭାରତ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଗୁରୁତର ଏବଂ ଜଟିଳ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଶଯ୍ୟା ମିଳୁ ନଥିବା ଅଭିଯୋଗ ହୋଇଛି। ଅନ୍ତଃବିଭାଗ (ଆଇପିଡି)ରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇପାରୁ ନାହାନ୍ତି ଗୁରୁତର ରୋଗୀ। ଆପାତକାଳୀନ କିମ୍ବା ବହିର୍ବିଭାଗ (ଓପିଡି)ରେ ଶଯ୍ୟା ଅଭାବ କହି ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରି ଦିଆଯାଉଛି। ନଚେତ ଶଯ୍ୟା ଖାଲି ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଉଛି; କିନ୍ତୁ ରୋଗୀ ଗୁରୁତର ଥିବାରୁ ଅପେକ୍ଷା କରିବା ସମ୍ଭବ ନୁହେଁ ବୋଲି ସମ୍ପର୍କୀୟ କହୁଛନ୍ତି।

ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ରୋଗୀଙ୍କୁ ସମ୍ପର୍କୀୟ ଘରୋଇ କିମ୍ବା ଅନ୍ୟ ବଡ ଡାକ୍ତରଖାନାକୁ ନେଉଥିବାବେଳେ ଗରିବ ଶ୍ରେଣୀର ରୋଗୀ ଅନ୍ୟ ଡାକ୍ତରଖାନା ଯିବା ପରିବର୍ତ୍ତେ ଘରକୁ ଚାଲି ଯାଉଛନ୍ତି। ଏମ୍ସକୁ ଉନ୍ନତ ଚିକିତ୍ସା ପାଇଁ ରୋଗୀ ଦୌଡି ଆସୁଥିଲେ ମଧ୍ୟ ତାହା ପାଇବାରୁ ବଞ୍ଚିତ ହେଉଛନ୍ତି। ତଥାପି ଗରିବ ରୋଗୀଟି ଶଯ୍ୟା ପାଇବା ଆଶା ଛାଡୁନାହିଁ। ଅପେକ୍ଷା କରି ଘରେ ରହି ମୃତ୍ୟୁ ମୁଖକୁ ଚାଲି ଯାଉଛି ସିନା ଶଯ୍ୟା ମିଳୁନି ବୋଲି ସମ୍ପର୍କୀୟ କହୁଛନ୍ତି। ଅନ୍ୟପଟେ ଆଇପିଡିରେ ଶଯ୍ୟା ଅଭାବ ରହୁଥିବା କର୍ତ୍ତୃପକ୍ଷ ନିଜେ ସ୍ବୀକାର କରୁଛନ୍ତି। କ’ଣ କରାଯାଇ ପାରିବ ବୋଲି ଓଲଟି ନିଜକୁ ପ୍ରଶ୍ନ କରୁଛନ୍ତି। ପ୍ରତିଦିନ ୨୦୦ରୁ ଅଧିକ ରୋଗୀ ଆଇପିଡିରେ ଭର୍ତ୍ତି ପାଇଁ ଆସୁଛନ୍ତି। ସବୁବେଳେ ୱାର୍ଡରେ ଶଯ୍ୟା ପୂର୍ଣ୍ଣ ରହିବା ହେତୁ ଅନ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ଏଭଳି ଏକ ଘଟଣା ଏମ୍ସରେ ଘଟିଛି। ଗତ ୫ ତାରିଖ‌େ‌ର ପୁରୀ ଜିଲା ଶିରିପୁର ଗାଁର ତ୍ରିଲୋଚନ ପ୍ରଧାନ ମେରୁଦଣ୍ଡ ହାଡରେ କର୍କଟ ହୋଇଥିବାରୁ ଗୁରୁତର ଅବସ୍ଥାରେ ଏମ୍ସ ଆପାତକାଳୀନକୁ ଆସିଥିଲେ। ଚିକିତ୍ସା କରି ଅସ୍ଥି ବିଭାଗ ଓପିଡିରେ ଡାକ୍ତରଙ୍କୁ ଦେଖାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ରୋଗୀ ଜଟିଳ ପରିସ୍ଥିତିରେ ଥିଲେ ମଧ୍ୟ ଆପାତକାଳୀନରୁ ସିଧା ୱାର୍ଡରେ ଭର୍ତ୍ତି କରିବା ବ୍ୟବସ୍ଥା କରାଗଲା ନାହିଁ।

ଓପିଡିରେ ଡାକ୍ତର ଦେଖିବା ପରେ ୱାର୍ଡରେ ଭର୍ତ୍ତି ହେଲେ ଜରୁରୀ ଅସ୍ତ୍ରୋପଚାର କରାଯିବ ବୋଲି କହିଥିଲେ; କିନ୍ତୁ ତା’ପୂର୍ବରୁ କେତେକ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ୱାର୍ଡରେ ଭର୍ତ୍ତି ନିମନ୍ତେ ଶଯ୍ୟା ଅଭାବ ରହିଛି। ପରୀକ୍ଷା କରି ଶଯ୍ୟା ଖାଲି ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି କୁହାଗଲା। ପରେ ସମ୍ପର୍କୀୟ ରସୁଲଗଡରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ରୋଗୀ ବୁହାଯାନ (ଆମ୍ବୁଲାନ୍ସ)ରେ ରୋଗୀକୁ ନେଇଥିଲେ। ରୋଗୀ ଶଯ୍ୟାରେ ପଡି ରହୁଥିବାରୁ ପରୀକ୍ଷା ଏବଂ ଭର୍ତ୍ତି ନିମନ୍ତେ ପ୍ରତିଦିନ ୨ ହଜାର ଟଙ୍କା ଆମ୍ବୁଲାନ୍ସକୁ ଦେଇ ଏମସକୁ ନେବା ଆଣିବା କରୁଥିଲେ। ୫ଦିନ ପର୍ଯ୍ୟନ୍ତ ୧୦ହଜାର ଟଙ୍କା ଆମ୍ବୁଲାନ୍ସ ପିଛା ଖର୍ଚ୍ଚ କରିବାକୁ ପଡିଲା। ହେଲେ ରୋଗୀକୁ ଭର୍ତ୍ତି କରାଯାଇ ପାରିଲା ନାହିଁ। ଏଣେ ରୋଗୀ ବେଳକୁ ବେଳ କଷ୍ଟ ପାଇ ଖାଇବା ପିଇବା ଛାଡିଦେଲା। ଶଯ୍ୟା ପାଇଁ ଏମସ୍‌ ଅଧୀକ୍ଷକଙ୍କ ସହାୟତା ନିଆଗଲା। ଅଧୀକ୍ଷକ ହସ୍ତକ୍ଷପ କରିବାର ୨ଦିନ ପରେ ଶଯ୍ୟା ମିଳିଥିବା ରୋଗୀଙ୍କ ସମ୍ପର୍କୀୟ ସୁରେଶ ପରିଡା କହିଛନ୍ତି। ଦୂର ଦୂରାନ୍ତରୁ ଆସୁଥିବା ଗୁରୁତର ରୋଗୀ ଶଯ୍ୟା ପାଇଁ ବାହାରେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।

ଏମ୍ସ ଅଧୀକ୍ଷକ ପ୍ରଫେସର ଡା. ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି, ନିୟମ ଅନୁସାରେ ଏମ୍ସରେ ଶଯ୍ୟା ଯେତିକି ରହିଛି ସେତିକି ରୋଗୀଙ୍କୁ ୱାର୍ଡରେ ଭର୍ତ୍ତି କରାଯିବ। ତଳେ ଶୁଆଇ ଚିକିତ୍ସା କରାଯାଇ ପାରିବ ନାହିଁ। ୯୬୦ ଶଯ୍ୟା ନେଇ ଏମ୍ସ ପ୍ରତିଷ୍ଠା ହୋଇଥିଲା। ରୋଗୀଙ୍କ ଆବଶ୍ୟକତାକୁ ଦେଖି ଅସ୍ଥାୟୀ ଭାବେ ୧୯୬ ଶଯ୍ୟା ପକାଯାଇଛି। ତଥାପି ଅଭାବ ରହୁଛି। ଉପଲବ୍ଧ ଶଯ୍ୟା ୧୧୫୬ରୁ ୩୭୧ ଶଯ୍ୟା ନିଆଯାଇ କରୋନା ୱାର୍ଡ ଖୋଲା ଯାଇଛି। ଏଥିପାଇଁ ୱାର୍ଡରେ ଶଯ୍ୟା ଅଭାବ ରହୁଛି।

Comments are closed.