ଏମ୍ସରେ ଖୋଲିବ ଆଉ ୧୦ ମୋଡୁଲାର ଓଟି, ୨୦୦ ଶଯ୍ୟା

0

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଖୁବ୍‍ ଶୀଘ୍ର ଆଉ ୧୦ଟି ମୋଡୁଲାର ଅସ୍ତ୍ରୋପଚାର କକ୍ଷ(ଓଟି) ଖୋଲିବ। ଏଥିସହିତ ବିଭିନ୍ନ ୱାର୍ଡରେ ଆଉ ୨୦୦ଟି ଶଯ୍ୟା ପାଇଁ ବ୍ୟବସ୍ଥା କରାଯିବ। ପେଟ୍‍ ସିଟି ସ୍କାନ୍‍ ସୁବିଧା ଓ ନେଫ୍ରୋଲଜି ବିଭାଗ ଖୋଲିବ। ରବିବାର ଭୁବନେଶ୍ୱର ଏମ୍ସର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି।
୨୦୦୩ ଜୁଲାଇ ୧୫ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭୁବନେଶ୍ୱର ଏମ୍ସର ଭିିତ୍ତି ପ୍ରସ୍ତର ସ୍ଥାପନା କରିଥିବା ବେଳେ ୨୦୧୨ରୁ ଏଠାରେ ଶିକ୍ଷାଦାନ ଓ ରୋଗୀ ସେବା ଆରମ୍ଭ ହୋଇଥିଲା। ଏମ୍ସ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଇତିମଧ୍ୟରେ ଭୁବନେଶ୍ୱର ଏମ୍ସ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ମାଇଲ୍‍ଖୁଣ୍ଟ ସ୍ଥାପନା କରିପାରିଛି। ଏବେ ୧୫ଟି ବିଭାଗରେ ପିଜି ପାଠ୍ୟକ୍ରମ ପ୍ରଦାନ କରାଯାଉଥିବା ବେଳେ ଆସନ୍ତା ବର୍ଷ ଜାନୁଆରୀ ମାସରୁ ସମସ୍ତ ବିଭାଗରେ ପିଜି ପାଠ୍ୟକ୍ରମ ଖୋଲିବ। ସେଥିମଧ୍ୟରେ ରହିଛି କାର୍ଡିଓଲଜି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲଜି, ନ୍ୟୁରୋଲଜି, ହେମାଟୋଲଜି, ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ୍‍ ସର୍ଜରୀ। ଓଡ଼ିଶାର ପ୍ରଥମ ସରକାରୀ ଡାକ୍ତରଖାନା ଭାବରେ ଏମ୍ସରେ ପେଟ୍‍ ସିଟି ସ୍କାନ୍‍ ସେବା ଯୋଗାଇ ଦିଆଯିବ। ଏହାପୂର୍ବରୁ ଅତ୍ୟାଧୁନିକ ଓ ସର୍ବୋତ୍କୃଷ୍ଟ ଉପକରଣ ସହାୟତାରେ ଏମ୍ସରେ କର୍କଟ ରୋଗ ନିରୂପଣ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହାଫଳରେ ଓଡ଼ିଶାର ଗରୀବ ରୋଗୀମାନେ ଆଉ ବାହାରକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇଛନ୍ତି। ମେଡିକାଲ୍‍ ଗ୍ୟାସ୍‍ ପାଇପ୍‍ ଲାଇନ୍‍ କାମ ସମ୍ପୂର୍ଣ୍ଣ ହୋଇସାରିଛି। ଭୁବନେଶ୍ୱର ଏମ୍ସରେ ବର୍ତ୍ତମାନ ୧୮୨ ଜଣ ଫାକଲ୍ଟି ନିଯୁକ୍ତି ପାଇଛନ୍ତି। ଦେଶର ସମସ୍ତ ଏମ୍ସ ତୁଳନାରେ ଏହା ସର୍ବାଧିକ। ଏମ୍‍ଏସ୍‍ସି ନର୍ସିଂରେ ଫାକ୍‍ଲଟି ସଂଖ୍ୟା ଦିଲ୍ଲୀ ଏମ୍ସଠାରୁ ମଧ୍ୟ ଅଧିକ। ୮୦୦ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୦୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟାନ୍ୟ ବୈଷୟିକ ଅଧିକାରୀଙ୍କୁ ଖୁବ୍‍ ଶୀଘ୍ର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରୋଗୀଙ୍କ ସମ୍ପର୍କୀୟମାନେ ରହିବା ପାଇଁ ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ ହୋଇଛି।
ଏମ୍ସ ନିର୍ଦେଶିକା ଡ. ବି. ଗୀତାଞ୍ଜଳିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଆଇଆଇଟି ନିର୍ଦେଶକ ପ୍ରଫେସର ରାଜାକୁମାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦେଶକ ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ପ୍ରତିଷ୍ଠାତା ଅଧୀକ୍ଷକ ବିଗ୍ରେଡିୟର ଡ. ଅମ୍ବିକା ମହାନ୍ତି, ପ୍ରତିଷ୍ଠାତା ଅଧୀକ୍ଷଣ ଯନ୍ତ୍ରୀ ଚିତ୍ତ ରଞ୍ଜନ ନନ୍ଦଙ୍କୁ ନିର୍ଦେଶିକା ଡ. ଗୀତାଞ୍ଜଳି ସମ୍ବର୍ଦ୍ଧିତ କରିଥିଲେ।

Leave A Reply