ମାଟ୍ରିକ୍‍ ପାସ ଛାତ୍ରଛାତ୍ରୀଙ୍କୁ ଶୀଘ୍ର ସାର୍ଟିଫିକେଟ ଓ ମାର୍କସିଟ ପ୍ରଦାନ ଦାବିରେ ଏଆଇଡିଏସ୍‍ଓର ବିକ୍ଷୋଭ

ବଲାଙ୍ଗିର : ମାଟ୍ରିକ୍‍ ପାସ ଛାତ୍ର ଛାତ୍ରୀଙ୍କୁ ଶିଘ୍ର ସାର୍ଟିଫିକେଟ ଓ ମାର୍କସିଟ ଯୋଗାଇ ଦେବା ଦାବିରେ ସୋମବାର ଏଆଇଡିଏସ୍‍ଓ ବଲାଙ୍ଗିର ଜିଲା କମିଟି ତରଫରୁ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ବୋର୍ଡ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ ତୃଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଏହି ସମସ୍ୟା ଉପୁଜିଛି ବୋଲି ସଂଗଠନ ତରଫରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ମେ ୨୧ ତାରିଖରେ ମାଟ୍ରିକ୍‍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଫଳ ପ୍ରକାଶନ ସମୟରେ ମେ ୩୧ ମଧ୍ୟରେ ସାର୍ଟିଫିକେଟ ମିଳିବ ବୋଲି ସଚିବ, ମନ୍ତ୍ରୀ ଓ ବୋର୍ଡ କର୍ତ୍ତୃପକ୍ଷଙ୍କ ତରଫରୁ ଘୋଷଣା କରାଯାଇଥିଲା। ମାତ୍ର ଏକମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସାର୍ଟିଫିକେଟ ମିଳିଲା ନାହିଁ ।

ଜୁଲାଇ ୩ରୁ +୨ ନାମଲେଖା ଆରମ୍ଭ ହେବ। ତେଣୁ ସାର୍ଟିଫିକେଟ ପାଇବା ନେଇ ଛାତ୍ରଛାତ୍ରୀ ମାନେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି । ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନ ଏବଂ ସାର୍ଟିଫିକେଟ୍‍ ଯୋଗାଣ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଫିସ୍‍ ଆକାରରେ କୋଟି କୋଟି ଟଙ୍କା ଆଦାୟ କରାଯାଉଥିଲେ ମଧ୍ୟ ଘୋଷଣା ମୁତାବକ ଠିକ୍‍ ତାରିଖରେ ପ୍ରଦାନ କରାଯାଉନଥିବାରୁ ସଂଗଠନ ତରଫରୁ ତାହାକୁ ତୀବ୍ର ନିନ୍ଦା କରାଯାଇଛି। କ୍ରମାଗତ ଅବହେଳା ପ୍ରଦର୍ଶନ କରି ମାଟ୍ରିକ ବୋର୍ଡକୁ ଘରୋଇକରଣ କରିବା ପାଇଁ ଏହିସବୁ ଅବ୍ୟବସ୍ଥା ସୃଷ୍ଟି କରାଯାଉଛି ବୋଲି ଏଆଇଡିଏସ୍‍ଓ ତରଫରୁ ଦାବି କରାଯାଇଛି । ନାମଲେଖା ଆରମ୍ଭ ପୂର୍ବରୁ ତୁରନ୍ତ ସାର୍ଟିଫିକେଟ୍‍ ପ୍ରଦାନ କରିବାକୁ ଏଆଇଡିଏସ୍‍ଓ ତରଫରୁ କୁହାଯାଇଛି। ଆଜିର ବିକ୍ଷୋଭ ସଭାରେ ଜିଲା ସଭାପତି ସୁନିଲ ଭେଇ, ସମ୍ପାଦକ ଲକ୍ଷ୍ମୀଧର ସାମଲ, ରାଜେନ୍ଦ୍ର ରଣା, ତ୍ରିଲୋଚନ ସାହୁ, ରାଜିବ ମହାକୁର, ଖୁସିରାମ ସୁନା, ମମତା ନାଏକଙ୍କ ସମେତ ବହୁ ସଦସ୍ୟ ବିକ୍ଷୋଭରେ ସାମିଲ ଥିଲେ।

Comments are closed.