ଖାଦ୍ୟ ଓ ଜଳ ବିନା ୭୬ବର୍ଷ ବଞ୍ଚିଥିବା ବାବା ପ୍ରହଲ୍ଲାଦ ଜାନିଙ୍କ ପରଲୋକ

ଅହମ୍ମଦାବାଦ : ବିନା ଖାଦ୍ୟ ଓ ପାନୀୟରେ ଦୀର୍ଘ ୭୬ବର୍ଷ ଧରି ବଞ୍ଚିଛନ୍ତି ବୋଲି ଦାବି କରିଆସୁଥିବା ବାବା ପ୍ରହଲ୍ଲାଦ ଜାନିଙ୍କର ମଙ୍ଗଳବାର ଗାନ୍ଧୀନଗର ନିକଟ ଚରଦା ଗ୍ରାମ​ରେ ପରଲୋକ ଘଟିଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ନିଜକୁ ମାତା ଅମ୍ବାଙ୍କର ଅବତାର ବୋଲି କହିବା ସହ ଲାଲ ଶାଢ଼ି ପିନ୍ଧି ନାରୀଙ୍କ ବେଶ ଧାରଣ କରୁଥିଲେ; ତେଣୁ ଚୁନ୍‌ରୀବାଲା ମାତାଜୀ ନାମରେ ସେ ପରିଚିତ ଥିଲେ। ଜନ୍ମ ସ୍ଥାନରେ କିଛି ଦିନ ରହିବା ପାଇଁ ମନ ବଳାଇବାରେ ଭକ୍ତମାନେ ତାଙ୍କୁ କିଛି ଦିନ ପୂର୍ବେ ତାଙ୍କ ଗାଁକୁ ନେଇଯାଇଥିଲେ। ମଙ୍ଗଳବାର ତାଙ୍କ ମୃତଶରୀରକୁ ବନସ୍କଣ୍ଟା ଜିଲା ଅନ୍ତର୍ଗତ ଅମ୍ବାଜୀ ମନ୍ଦିର ପରିସରରେ ଥିବା ଗୁମ୍ଫା ଆଶ୍ରମକୁ ଅଣାଯାଇଛି। ସେଠାରେ ଦୁଇ ଦିନ ରଖାଯିବା ପରେ ସମାଧି ଦିଆଯିବ ବୋଲି ଭକ୍ତମାନେ କହିଛନ୍ତି। ମାତ୍ର ୧୪ବର୍ଷ ବୟସରୁ ଐଶ୍ବରୀକ ଶକ୍ତି ବଳରେ ସେ ଖାଦ୍ୟ ଓ ଜଳ ପରିତ୍ୟାଗ କରିଥିଲେ। ସେବେଠାରୁ ଖାଦ୍ୟ ଓ ଜଳ ବିନା ଜୀବନଧାରଣ କରୁଥିବା ନେଇ ପ୍ରହଲ୍ଲାଦଙ୍କ ଦାବି ଅନୁସାରେ ୨୦୦୩ ଓ ୨୦୧୦ରେ ବୈଜ୍ଞାନିକମାନେ ତାଙ୍କର ପରୀକ୍ଷାନିରୀକ୍ଷା କରିଥିଲେ। ଏମିତିକି ୨୦୧୦ରେ ବାବା କିପରି କେବଳ ବାୟୁସେବନ କରି ବଞ୍ଚୁଛନ୍ତି ତାହା ଜାଣିବା ପାଇଁ ଡିଫେନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଫିଜିଓଲଜି ଆଣ୍ଡ ଆଲାଏଡ ସାଇନ୍ସେସ୍‌ (ଡିଆଇପିଏଏସ୍‌) ପକ୍ଷରୁ ୧୫ଦିନ ତାଙ୍କର ଅନୁଧ୍ୟାନ କରାଯାଇଥିଲା। ଜାନି ଖାଦ୍ୟ ଓ ଜଳ ବିନା ଜୀବନଧାରଣ ତଥା ନିର୍ଜଳା ଉପବାସର କୌଣସି ଚରମ ଉପଲବ୍ଧି ହାସଲ କରିଥିବା ଡିଆଇପିଏଏସ୍‌ର ବୈଜ୍ଞାନିକମାନେ ମତ ଦେଇଥିଲେ।

Comments are closed.